ନ୍ୟୁୟର୍କ, ୧୯ /୦୩: ବିରୋଧ କରି ଛାଡିଥିଲେ ପଦ । ଟ୍ରମ୍ପ୍ ପ୍ରଶାସନର ମୁଖ୍ୟ ଦାୟିତ୍ୱରୁ ଦୂରେଇ ଯାଇଥିଲେ । କିନ୍ତୁ ଏବେକାଉଣ୍ଟର ଟେରୋରିଜିମ୍ କେନ୍ଦ୍ରର ପୂର୍ବତନ ମୁଖ୍ୟ ଜୋ କେଣ୍ଟଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏନେଇ ଏଫବିଆଇ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

ଯୁଦ୍ଧକୁ ବିରୋଧ କରି ଛାଡିଥିଲେ ପଦ

ରିପୋର୍ଟ ଅନୁସାରେ, ଇରାନ୍ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ପ୍ରଶାସନ ଭିତରେ ମତଭେଦ ସୃଷ୍ଟି ହୋଇଛି । ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବିରୋଧ କରି ଦେଶର କାଉଣ୍ଟର ଟେରୋରିଜିମ୍ କେନ୍ଦ୍ରର ମୁଖ୍ୟ ଦାୟିତ୍ୱରେ ଥିବା ଜୋ କେଣ୍ଟ ଇସ୍ତଫା ପ୍ରଦାନ କରିଥିଲେ । ନିଜ ଇସ୍ତଫା ପତ୍ରରେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସେ ଖୋଲା ବିରୋଧ କରିଥିଲେ । ଏପରିକି ଟ୍ରମ୍ପଙ୍କୁ ସମର୍ଥନ କଲେ, ତାଙ୍କୁ ତାଙ୍କ ବିବେକ ବାଧା ଦେଉଛି ବୋଲି ସୋସିଆଲ ମିଡିଆରେ ଜୋ କେଣ୍ଟ ଲେଖିଥିଲେ ।

ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ

ପ୍ରଥମେ ଜୁନ୍ ୨୦୨୫ ପର୍ଯ୍ୟନ୍ତ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜୀବନ ହାନୀ କରିବା ସହ ଦେଶର ସଂପତ୍ତି ନଷ୍ଟ କରୁଛି ବୋଲି ଟ୍ରମ୍ପ କହିଥିଲେ । କିନ୍ତୁ ତାପରେ ଟ୍ରମ୍ପଙ୍କ ନୀତି ନୈତିକତାରେ ପରିବର୍ତ୍ତନ ଆସିଛି ବୋଲି ସୋସିଆଲ ମିଡିଆରେ ବର୍ଷିଥିଲେ କେଣ୍ଟ । ସେ ଦାବି କରିଥିଲେ ଯେ, ଜୁନ୍ ୨୦୨୫ ପର୍ଯ୍ୟନ୍ତ ଟ୍ରମ୍ପ ବିଶ୍ବାସ କରୁଥିଲେ ମିଡିଲ୍ ଇଷ୍ଟରେ ଯୁଦ୍ଧ ଧନଜୀବନ ବରବାଦ କରୁଛି । କିନ୍ତୁ ପରେ ଇସ୍ରାଏଲର କିଛି ନେତା ଏବଂ ଆମେରିକା ମିଡିଆ ଜଗତର କିଛି ଶକ୍ତିଶାଳୀ ଲୋକ ଇରାନ୍ ଉପରେ ଆକ୍ରମଣ କରାଇବାକୁ ରାଷ୍ଟ୍ରପତିଙ୍କୁ ଉସୁକାଇଥିଲେ । ୭୯ ବର୍ଷୀୟ ରାଷ୍ଟ୍ରପତିଙ୍କୁ ଉସୁକାଇ ଯୁଦ୍ଧ ଆରମ୍ଭ କରିବାକୁ ଏକ ଇକୋ ଚ୍ୟାମ୍ବର ତିଆରି କରାଯାଇଥିଲା । ଏଭଳି କରି ରାଷ୍ଟ୍ରପତିଙ୍କୁ ବିଶ୍ବାସ କରିବାକୁ ବାଧ୍ୟ କରାଯାଇଥିଲା ଯେ, ଇରାନ୍ ଆମେରିକା ପାଇଁ ଏକ ବଡ଼ ବିପଦ ଏବଂ ଇରାନ୍ ଉପରେ ଆକ୍ରମଣ କରିବା ଜରୁରୀ ।

Also Read :- ଆମେରିକାରେ ପଶିଲା ଇରାନୀ ଡ୍ରୋନ୍ ! ବିପଦରେ ଟ୍ରମ୍ପଙ୍କ ରାଇଟ୍ ହ୍ୟାଣ୍ଡ୍, ରୁବିଓଙ୍କ ଜୀବନ ପ୍ରତି ବଢ଼ିଲା ବିପଦ

ଟ୍ରମ୍ପଙ୍କ ପ୍ରତିକ୍ରିୟା

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋ କେଣ୍ଟଙ୍କ ଇସ୍ତଫା ନିଷ୍ପତ୍ତି ଦେଶ ପାଇଁ ଭଲ ବୋଲି କହିଥିଲେ । ସୁରକ୍ଷାକୁ ନେଇ ସେ (କେଣ୍ଟ) ଦୁର୍ବଳ ଥିଲେ ବୋଲି ଟ୍ରମ୍ପ ଅଭିଯୋଗ କରିଥିଲେ । ଇରାନ୍ ଉପରେ ଆକ୍ରମଣ ଆମେରିକା ହିତରେ ନୁହେଁ ବୋଲି ଯେଉଁମାନେ ଭାବୁଛନ୍ତି, ସେମାନଙ୍କୁ ଆମେ ଚାହୁଁନାହୁଁ ବୋଲି ମଙ୍ଗଳବାର ଗଣମାଧ୍ୟମରେ ପ୍ରକାଶ କରିଥିଲେ ଆମେରିକା ରାଷ୍ଟ୍ରପତି ।

ତଦନ୍ତ ଆରମ୍ଭ

କେଣ୍ଟ୍ ଇସ୍ତଫା ଦେବାର୨୪ ଘଣ୍ଟା ପରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ଦେଶର ଅନେକ ଗୋପନୀୟ ତଥ୍ୟ ଲିକ୍ କରିବା ଅଭିଯୋଗରେ ତଦନ୍ତ ହେବ । ଯାହାର ଭାର ଏଫବିଆଇ ନେଇଛି । ତେବେ ସେ ଦେଶର ଭଲ ପାଇଁ ଏପରି କହିଛନ୍ତି ନା ବିଶ୍ୱାସଘାତକ ସେନେଇ ଏଫବିଆଇ ଅଧିକାରୀ ଖୋଳତାଡ ଆରମ୍ଭ କରିଛନ୍ତି ।