ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ କଠୋର ଚେତାବନୀ ଦେଇଛନ୍ତି। ଯଦି ଇରାନ ତାଙ୍କୁ ହତ୍ୟା କରିବାରେ ସଫଳ ହୁଏ, ତେବେ ସେ ପୂର୍ବରୁ ଏପରି ଏକ ଗୁପ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଜାରି କରି ସାରିଛନ୍ତି, ଯାହା ସାରା ବିଶ୍ୱକୁ ସ୍ତବ୍ଧ କରିଦେବ। ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ମୃତ୍ୟୁ ପରେ ଇରାନ ଉପରେ ଇତିହାସର ସବୁଠାରୁ ବିଧ୍ୱଂସକାରୀ ବୋମାମାଡ଼ କରାଯିବ। ପ୍ରସିଦ୍ଧ ଗଣମାଧ୍ୟମ ନ୍ୟୁୟର୍କ ପୋଷ୍ଟକୁ ଦେଇଥିବା ସାକ୍ଷାତକାରରେ ଟ୍ରମ୍ପ ଦାବି କରିଛନ୍ତି।

ଇସ୍ରାଏଲ୍ ପକ୍ଷରୁ ମିଳିଥିବା ଗୁପ୍ତ ସୂଚନା ଯେଉଁଥିରେ ଟ୍ରମ୍ପଙ୍କ ବିରୋଧରେ ଇରାନର ଷଡ଼ଯନ୍ତ୍ର ଥିବା କୁହାଯାଇଥିଲା। ଏହା ଉପରେ ପ୍ରତିକ୍ରିୟା ଦେଇ ଟ୍ରମ୍ପ ଏହାକୁ ଖାରଜ କରିଛନ୍ତି। ସେ କହିଛନ୍ତି, "ନା, ନା... ଇସ୍ରାଏଲ ପାଖରେ ଏପରି କୌଣସି ନୂତନ ସୂଚନା ନଥିଲା। ମୁଁ ବହୁତ ଦିନ ଧରି ଇରାନର ହିଟ୍ ଲିଷ୍ଟରେ ଏକ ନମ୍ବରରେ ଅଛି। ଏହା ହେଉଛି ବାସ୍ତବତା। ଆଶା କରୁଛି, ଯଦି ମୁଁ ଚାଲିଯାଏ, ତେବେ ଆପଣ ମୋତେ ମନେ ପକାଇବେ।"

୨୦୨୦ ମସିହାରେ ବାଗଦାଦରେ ଆମେରିକାର ଏକ ଡ୍ରୋନ ଆକ୍ରମଣରେ ଇରାନର ଶୀର୍ଷ ସାମରିକ କମାଣ୍ଡର କାସେମ ସୋଲେମାନୀଙ୍କ ମୃତ୍ୟୁ ହୋଇଥିଲା, ଯାହା ଟ୍ରମ୍ପଙ୍କ ନିର୍ଦ୍ଦେଶରେ କରାଯାଇଥିଲା। ଏହାପରେ ଇରାନ ବାରମ୍ବାର ପ୍ରତିଶୋଧ ନେବାକୁ ଧମକ ଦେଇ ଆସୁଛି। ଜୁଲାଇ ୨୦୨୪ରେ ପେନସିଲଭାନିଆର ବଟଲର ପ୍ରଚାର ରାଲିରେ ଟ୍ରମ୍ପଙ୍କ ଉପରକୁ ହୋଇଥିବା ଗୁଳିମାଡ଼ ପଛରେ ମଧ୍ୟ ଇରାନର ହାତ ଥିବା ନେଇ ଆମେରିକୀୟ ଗଣମାଧ୍ୟମ ଅନୁମାନ କରିଥିଲେ, ଯଦିଓ ସରକାରୀ ଏଜେନ୍ସି ଏହାକୁ ସାର୍ବଜନୀନ ଭାବେ ନିଶ୍ଚିତ କରିନାହାନ୍ତି।

ଇରାନର ସର୍ବୋଚ୍ଚ ନେତୃତ୍ୱରେ ହୋଇଥିବା ପରିବର୍ତ୍ତନ ଉପରେ ତେରଛା ତୀର ମାରି ଟ୍ରମ୍ପ କହିଛନ୍ତି, "ସେମାନଙ୍କର ପୁରୁଣା ନେତା ଅଲି ଖାମେନି ଚାଲିଯାଇଛନ୍ତି ଏବଂ ଜଣେ ନୂତନ ନେତା ମୋଜତାବା ଖାମେନି ଆସିଛନ୍ତି। ସେ ମଧ୍ୟ ଯାଇପାରନ୍ତି। ମୁଁ ସେମାନଙ୍କର ସବୁଠାରୁ ବଡ଼ ଟାର୍ଗେଟ୍ ହୋଇଥିବାରୁ ମୁଁ ପରବର୍ତ୍ତୀ ହୋଇପାରେ।" ଏହା ସହ ସେ ଦୋହରାଇଛନ୍ତି ଯେ ଇରାନକୁ କୌଣସି ପରିସ୍ଥିତିରେ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ ଏବଂ ଯଦି ଯୁଦ୍ଧ ହୁଏ, ତେବେ ଏହା ଦୀର୍ଘକାଳୀନ ନୁହେଁ ବରଂ ଖୁବ୍ କ୍ଷଣସ୍ଥାୟୀ ହେବ।

ଏସବୁ ମଧ୍ୟରେ ଟ୍ରମ୍ପ ନିଜ ସୋସିଆଲ ମିଡିଆ ଆପ୍ 'ଟ୍ରୁଥ୍ ସୋସିଆଲ'ରେ ଏକ ବଡ଼ ଖୁଲାସା କରିଛନ୍ତି। ସେ ଲେଖିଛନ୍ତି, "ଇସଲାମିକ ଗଣରାଜ୍ୟ ଇରାନ ଆମ ସହିତ ଆଲୋଚନା ଜାରି ରଖିବାକୁ ଅନୁରୋଧ କରିଛି। ଆମେ ଏଥିରେ ରାଜି ହୋଇଛୁ, କିନ୍ତୁ ଆମେରିକା ସେମାନଙ୍କୁ ସ୍ପଷ୍ଟ କରିଦେଇଛି ଯେ ପୂର୍ବରୁ ଚାଲିଥିବା ଯୁଦ୍ଧବିରତି ଏବେ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି। ଟ୍ରମ୍ପଙ୍କ ଏହି ଆଭିମୁଖ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଆଗାମୀ ଦିନରେ ଆମେରିକା-ଇରାନ ସମ୍ପର୍କ ଆହୁରି ରୋମାଞ୍ଚକର ମୋଡ଼ ନେବାକୁ ଯାଉଛି।