ବେଙ୍ଗାଲୁରୁ : ସିଦ୍ଦରମୈୟା କର୍ଣ୍ଣାଟକର ସେହି ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସାମିଲ ହୋଇଯାଇଛନ୍ତି ଯେଉଁମାନେ ଏକଧିକବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ଏପରି ନେତାଙ୍କ ମଧ୍ୟରେ ଏସ୍.ନିଜଲିଙ୍ଗପ୍ପା, ବିରେନ୍ଦ୍ର ପାଟିଲ, ଡି.ଦେବରାଜ ଉର୍ସ, ରାମକୃଷ୍ଣ ହେଗଡ଼େ, ଏଚ.ଡି. କୁମାର ସ୍ୱାମୀ ଓ ବି.ଏସ.ୟେଦିୟୁରପ୍ପା ଆଦି ଥିଲେ। ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଓ ଗୃହମନ୍ତ୍ରୀ ଜି.ପରମେଶ୍ୱରନଙ୍କ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏଥିରେ ସିଦ୍ଦରମୈୟା ସ୍ପଷ୍ଟ କରିଛନ୍ତି ଯେ ସେ ପାର୍ଟି ହାଇକମାଣ୍ଡଙ୍କ ପରାମର୍ଶରେ ପଦରୁ ଇସ୍ତଫା ଦେଇଛନ୍ତି, ହେଲେ ରାଜ୍ୟସଭାକୁ ଯିବା ମୋର ଉଦ୍ଦେଶ୍ୟ ନୁହେଁ ବୋଲି କହିଛନ୍ତି। ତେବେ ସେ କହିଛନ୍ତି ଯେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ କର୍ଣ୍ଣାଟକ ରାଜନୀତିରେ ରହିବେ।

ଏବେ ସିଦ୍ଦରମୈୟା କରିବେ କ’ଣ?
ଯେହେତୁ ସିଦ୍ଦରମୈୟା ରାଜ୍ୟ ରାଜନୀତିରେ ସକ୍ରିୟ ରହିବା ପାଇଁ ରାଜ୍ୟସଭା ଆସନକୁ ଠୋକର ମାରିଛନ୍ତି ଏଥି ଲାଗି ଏହି ଅଭିଜ୍ଞ ନେତାଙ୍କ ଆଗରେ ଅନେକ ବିକଳ୍ପ ମଧ୍ୟ ରହିଛି। ସେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ମୁଖ୍ୟ ଭାବେ କାର୍ଯ୍ୟଭାର ସମ୍ଭାଳି ପାରନ୍ତି। ଏହା ଦ୍ୱାରା ସେ ସ୍ଥାନୀୟ ରାଜନୈତିକ ଗତିବିଦ୍ଧି ସହିତ ସାମିଲ ରହି ତୃଣମୂଳ ସ୍ତରରେ ତାଙ୍କ ପ୍ରଭାବକୁ ମଜଭୁତ କରିପାରନ୍ତି। ଏହା ଛଡା ସିଦ୍ଦରମୈୟା କେନ୍ଦ୍ରୀୟ ନେତୃତ୍ୱକୁ ମଧ୍ୟ ଯାଇ ପାରନ୍ତି। କଂଗ୍ରେସ ଜାତୀୟ ସଭାପତି ଭାବେ ପାର୍ଟିର ନେତୃତ୍ୱ କଲେ ତାଙ୍କ ଜନଆବେଦନ ଏକ ବଡ଼ ମଞ୍ଚରେ ପ୍ରଦର୍ଶିତ ହେବ। ଯଦି ସେ ଏ ସବୁ ନ କରନ୍ତି ତେବେ ଦୈନନ୍ଦିନ ରାଜନୀତିରୁ ଦୂରରେ ରହିବା ତାଙ୍କ ଲାଗି ଆଉ ଏକ ବିକଳ୍ପ ହେବ।

ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେନି ଉତ୍ତରାଧିକାରୀ
ରାଜ୍ୟରେ ଦୁଇଥର ମୁଖ୍ୟମନ୍ତ୍ରୀ ରହିବା ଲାଗି ଅବସର ପ୍ରାପ୍ତ କରିଥିବାରୁ ସିଦ୍ଦରମୈୟା ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତୃତ୍ୱ ଅର୍ଥାତ ସୋନିୟା ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧିଙ୍କୁ କୃତଜ୍ଞତା ଜଣାଇଛନ୍ତି। ତେବେ ତାଙ୍କ ପୁରା ଭାଷଣରେ ସେ କେଉଁଠି ହେଲେ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଅଥବା କୌଣସି ଅନ୍ୟ ନେତାଙ୍କ ନାମ ତାଙ୍କ ଉତ୍ତରାଧିକାରୀ ଭାବେ ଘୋଷଣା କରିବାକୁ ସ୍ପଷ୍ଟ ଟାଳି ଯାଇଛନ୍ତି। ଏଣୁ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ପଛୁଆ ସମାଜର ସମାଜବାଦୀ ନେତାଙ୍କୁ ହଟାଇବାର ବାଜି କାହିଁକି ଖେଳା ଗଲା ତାହା ବୁଝାପଡୁନି।

ଆଉ ଜଣେ ବିଶ୍ୱାଶର୍ମା ସୃଷ୍ଟି କରିବାକୁ ଚାହୁଁନି କଂଗ୍ରେସ
ଏଥିଲାଗି କଂଗ୍ରେସ ଶିବ କୁମାରଙ୍କୁ ସମାଜବାଦୀ ସିଦ୍ଦରମୈୟାଙ୍କ ସ୍ଥାନରେ ବାଛିଲା କାରଣ ଯଦି ଡି.କେଙ୍କୁ ସୁଯୋଗ ନ ଦିଆଯାଏ ତେବେ କଂଗ୍ରେସ ପାର୍ଟିରେ ଆଉଜଣେ ହିମନ୍ତା ବିଶ୍ୱାଶର୍ମା ସୃଷ୍ଟି ନ ହେଉ। ଅର୍ଥାତ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱାଶର୍ମାଙ୍କ ଭଳି ଡିକେ ପାର୍ଟି ଭାଙ୍ଗି ବିଜେପିରେ ସାମିଲ ହୋଇଯାଇ ପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଜେପିରେ ସାମିଲ ହେବା ପୂର୍ବରୁ ହିମନ୍ତା ବିଶ୍ୱଶର୍ମା ଆସାମ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ।

ଅନେକ କଥା କହୁଛି ସିଦ୍ଦରମୈୟାଙ୍କ ଭାଷଣ
ତେବେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ଶେଷ ସାମ୍ବାଦିକ ସମ୍ମିଳନୀରେ କର୍ଣ୍ଣାଟକରେ ଅନେକ ବାଣ ଫୁଟିବାର ସଂକେତ ଦେଇଛନ୍ତି। କାରଣ ସେ ଚାପରେ ଇସ୍ତଫା ଦେଇଛନ୍ତି। ତେବେ ଶିବକୁମାର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୁଅନ୍ତୁ କଂଗ୍ରେସ ପାର୍ଟି ପ୍ରଥମରୁ ଚାହୁଁଥିଲା। ହେଲେ ସାମାଜିକ ସମିକରଣ କାରଣରୁ ଏପରି କରିପାରି ନଥିଲା। ସିଦ୍ଦ ଜନତା ପରିବାରର ସମାଜବାଦୀ ଚେହେରା ଅଟନ୍ତି ହେଲେ ଶିବକୁମାର ପୁଞ୍ଜିପତି ଚେହେରା। ଯେହେତୁ ପାର୍ଟିର ରାଜନୈତିକ ଲଢେଇରେ ପଇସାର ବି ଆବଶ୍ୟକତା ଅଛି ଏଣୁ ପାର୍ଟି ସିଦ୍ଦାଙ୍କ ସ୍ଥାନରେ ଡିକେଙ୍କ ଉପରେ ଅଧିକ ଭରସା କରିବାକୁ ବାଧ୍ୟ ହେଲା।

ସିଦ୍ଦରମୈୟାଙ୍କୁ ଖୁସି ରଖିପାରିବତ କଂଗ୍ରେସ?
ତେବେ ପ୍ରଶ୍ନ ଉଠୁଛି ରାଜ୍ୟ ରାଜନୀତିରେ ଜନତାଙ୍କ ଚେହେରା ସିଦ୍ଦରମୈୟାଙ୍କୁ କଂଗ୍ରେସ ଖୁସି ରଖି ପାରିବତ? କାରଣ ସେ ରାଜ୍ୟ ରାଜନୀତି ସହ ଅଙ୍ଗାଅଙ୍ଗି ହୋଇ ରହିବେ ବୋଲି କହିଛନ୍ତି। ଏଣୁ ସିଦ୍ଦରମୈୟା ଅସମୟରେ ନେତୃତ୍ୱ ଛାଡିବା ରାଜ୍ୟ ରାଜନୀତିକୁ ଭାଗଭାଗ କରିବନିତ ଏହା ଏବେ ସମୟର ଆଉ ଏକ ବଡ଼ ପ୍ରଶ୍ନ ପାଲଟିଛି। କାରଣ ପଦ ଛାଡିବା ପୂର୍ବରୁ ସିଦ୍ଦରମୈୟା ଜାତିକୁ ନେଇ ଏକ ବଡ଼ ରାଜନୀତି ଖେଳି ଯାଇଛନ୍ତି 'ଅହିନ୍ଦା' (କର୍ଣ୍ଣାଟକରେ ସଂଖ୍ୟାଲଘୁ, ପଛୁଆ ବର୍ଗ ଓ ଦଳିତଙ୍କ ଲାଗି ୁପଯୋଗ ହେୁଥିବା ଏକ ସଂକ୍ଷିପ୍ତ ଶବ୍ଦ) ଙ୍କ କଥା କହୁଥିବା ସମାଜବାଦୀ ନେତା ପଛୁଆବର୍ଗ ଆୟୋଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବହୁ ପ୍ରତୀକ୍ଷିତ ସାମାଜିକ, ଆର୍ଥିକ ଓ ଶୈକ୍ଷଣିକ ସର୍ଭେକ୍ଷଣ (ଜାତି ଜନଗଣନା ରିପୋର୍ଟ)କୁ ସ୍ୱୀକାର କରି ଯାଇଛନ୍ତି। ଏହାକୁ ସିଦ୍ଦାରମୈୟାଙ୍କ ରାଜନୀତିର ସବୁଠୁ ମାଷ୍ଟରଷ୍ଟ୍ରୋକ୍ ବୋଲି ବୁଝା ଯାଉଛି। କାରଣ ତାଙ୍କ ଅହିନ୍ଦା ରାଜନୀତିକୁ ମଜଭୁତ କରିବା ତାଙ୍କ ପୁରୁଣା ଲକ୍ଷ୍ୟ ଥିଲା।

ମୁଣ୍ଡ ଟେକିପାରେ ସଂରକ୍ଷଣ ଆନ୍ଦୋଳନ
ଏହି ରିପୋର୍ଟରେ ରାଜ୍ୟର ପଛୁବର୍ଗ କୋଟାକୁ ୩୨ରୁ ବଢାଇ ୫୧% କରିବାକୁ ପରାମର୍ଶ ଦିଆଯାଇଛି। ଏହି ରିପୋର୍ଟ ସ୍ୱୀକାର ହୋଇଯାଇଥିବାରୁ ଏହା ସରକାରୀ ଡକ୍ୟୁମେଣ୍ଟରେ ପରିଣତ ହୋଇ ସାରିଛି। ଏଣୁ ଆଗାମୀ ମୁଖ୍ୟମନ୍ତ୍ରୀଙ୍କୁ ଏହାକୁ ଅଣଦେଖା କରିବା ଅସମ୍ଭବ। ଏହି କଥା ସିଦ୍ଦଙ୍କ ଉତ୍ତରାଧିକାରୀଙ୍କ ଲାଗି ଚିନ୍ତାଜନକ ହୋଇପାରେ। କାରଣ ରାଜ୍ୟ ଜନସଂଖ୍ୟାର ଏକ ବଡ଼ ଭାଗକୁ ଏହା ଅସନ୍ତୁଷ୍ଟ  କରିପାରେ। ଏହା ଛଡା ଏହି ରିପୋର୍ଟ କାର୍ଯ୍ୟକାରୀ କରିବା ମଧ୍ୟ ସିଦ୍ଦଙ୍କ ଉତ୍ତରାଧିକାରୀଙ୍କ ଲାଗି ଆହ୍ୱାନପୂର୍ଣ୍ଣ ହୋଇପାରେ। କାରଣ କେବଳ ପଛୁଆ ବର୍ଗଙ୍କୁ ସଂରକ୍ଷଣ ମିଳିଗଲେ ହେବନି ଅନ୍ୟ ବର୍ଗ ମଧ୍ୟ ସଂରକ୍ଷଣ ଦାବି କରିବସିବେ। ଏଣୁ ରାଜ୍ୟରେ ସଂରକ୍ଷଣକୁ ନେଇ ଯେଉଁ ପରିସ୍ଥିତି ଉପୁଜିବ ସିଦ୍ଦଙ୍କ ଉତ୍ତରାଧିକାରୀ ତାକୁ ସମ୍ଭାଳିପାରିବେ ନାହିଁ