ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାର ପୂର୍ବତନ ଏସଡିପିଓ ମଦନମୋହନ ପ୍ରଧାନ ନିଲମ୍ବିତ।  ଗୃହବିଭାଗ ନିଲମ୍ବନ କରିଛି। ଫତେଗଡ଼ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଫୋନ୍ ଏବଂ ହ୍ୱାଟସଆପ୍ ଚାଟିଂ କରି ଅଶ୍ଳିଳ ଇଙ୍ଗିତ କରିଥିବା ଅଭିଯୋଗ ହୋଇଥିଲା। ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ସହ ଡିଜିପି ଏବଂ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମଦନମୋହନଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିଲା । ଏବେ ମଦନମୋହନ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି। 

ସୂଚନାଯୋଗ୍ୟ ଯେ, ନୟାଗଡ଼ ଫତେଗଡ଼ ଥାନାରେ ଥିବା ଏକ ପୁରୁଣା ମାମଲାର ସମାଧାନ କରିବାକୁ ଖଣ୍ଡପଡ଼ା ଏସଡିପିଓ ଉକ୍ତ ମହିଳାଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଡାକି ପ୍ରେମ ଜାଲରେ ଫସାଇବାକୁ ଚେଷ୍ଟା କରୁଥିଲେ । ଏପରିକି ମାନସିକ ଚାପ ମଧ୍ୟ ସୃଷ୍ଟି କରୁଥିଲେ । ତାଙ୍କ ସ୍ୱାମୀକୁ କୌଣସି ଏକ ମାମଲାରେ ଗିରଫ କରିବା ପାଇଁ ଧମକ ଦେଇ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ମହିଳା ଜଣଙ୍କୁ ଏସଡିପିଓ ଅଶ୍ଳୀଳ ଫଟୋ ମାଗିବା ସହ ବାରମ୍ବାର ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି।

ଏମିତିକି ଏସଡିପିଓ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବାର ଏକ ଅଡିଓ କ୍ଲିପ୍ ମଧ୍ୟ ମହିଳା ଜଣଙ୍କ ପ୍ରଦାନ କରିଛନ୍ତି। ଯେଉଁଥିରେ ଏସଡିପି ଅଟୋରେ ଆସି ରାତିରେ ରହିବାକୁ କହୁଥିବା ଏବଂ ସମ୍ପର୍କ ରଖିଲେ କିଛି ଅସୁବିଧା ହେବ କି ବୋଲି ପ୍ରଶ୍ନ କରିଥିଲେ। ଉକ୍ତ ମହିଳା ଏହାକୁ ବାରମ୍ବାର ବିରୋଧ କରିବା ସହ ଅନେକ ସମୟରେ ଏଡ଼ାଇ ଯିବାକୁ ବାଧ୍ୟ ହୋଇଥିଲେ ବି ଏସଡିପି ତାଙ୍କ ପିଛା ଛାଡ଼ୁ ନଥିବା ଅଭିଯୋଗ ହୋଇଥିଲା । ଏନେଇ ମହିଳା ଜଣଙ୍କ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ପରେ ତାଙ୍କୁ ବଦଳି କରାଯାଇ ଜିଲ୍ଲା ମୁଖ୍ୟାଳୟକୁ ଅଣାଯାଇଛି ।