ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ପ୍ରସିଦ୍ଧ ହାସ୍ୟ ଅଭିନେତା ସମୟ ରାଇନାଙ୍କ ଉପରେ ବର୍ଷିଛନ୍ତି । କୋର୍ଟ କହିଛନ୍ତି ଯେ, ସମୟ ରାଇନା ମିଥ୍ୟା ବିବୃତ୍ତି ଦେଇ ଏବଂ କୋର୍ଟଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରି କୋର୍ଟଙ୍କୁ ଅବମାନନା କରିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ସମୟ ରାଇନାଙ୍କ ସମେତ ସହଯୋଗୀ ହାସ୍ୟ ଅଭିନେତା ବିପୁଲ ଗୋୟଲ, ବଲରାଜ ଘାଇ, ସୋନାଲୀ ଠକ୍କର ଏବଂ ନିଶାନ୍ତ ତନୱାରଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଏହି ଅର୍ଥରାଶିକୁ ଦୁଇ ସପ୍ତାହ ମଧ୍ୟରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ନିର୍ଦ୍ଦେଶ ପାଳନ ନକଲେ ଜରିମାନା ପରିମାଣ ଆହୁରି ବୃଦ୍ଧି କରାଯିବ ବୋଲି ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ।

ଶୁଣାଣି ସମୟରେ କୋର୍ଟ ରାଇନାଙ୍କ ସର୍ବସାଧାରଣ ଭାବମୂର୍ତ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। 'ଅମିକସ କ୍ୟୁରି' ଅପରାଜିତା ସିଂ କୋର୍ଟରେ କହିଥିଲେ, ‘ସମୟ ରାଇନା ବିଭିନ୍ନ ଶୋ' କରୁଛନ୍ତି, କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏସଏମଏ (SMA) ଫାଉଣ୍ଡେସନ କିମ୍ବା ଏସଏମଏ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିନାହାନ୍ତି। ସେ କେଉଁ ପ୍ରକାରର ଯୁବ ଆଇକନ୍, ମୁଁ ଭାବି ଆଶ୍ଚର୍ଯ୍ୟ ହେଉଛି।’ ଭାରତର ପ୍ରଧାନ ବିଚାରପତି ସିଜେଆଇ ସୂର୍ଯ୍ୟକାନ୍ତ ମଧ୍ୟ କୋର୍ଟରେ ରାଇନାଙ୍କ ପକ୍ଷରୁ ଦାଖଲ ହୋଇଥିବା ଜବାବକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏତେ ସମୟ ପରେ ଏଭଳି ଜବାବ କାହିଁକି ଦାଖଲ କରାଗଲା ବୋଲି ପ୍ରଶ୍ନ କରି ସେ ଏହାକୁ ‘ଫିଙ୍ଗି ଦିଅ’ ବୋଲି କହିଥିଲେ।

ଏହି ସମ୍ପୂର୍ଣ୍ଣ ବିବାଦ 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍' (India's Got Latent) ର ପ୍ରଥମ ସିଜନ୍ ସମୟରେ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ପରିହାସ କରିବା ଅଭିଯୋଗ ପରେ ଆରମ୍ଭ ହୋଇଥିଲା। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କୋର୍ଟଙ୍କ ସମ୍ମୁଖରେ ପ୍ରତିଶ୍ରୁତି ଦେବା ସତ୍ତ୍ୱେ ହାସ୍ୟ ଅଭିନେତାମାନଙ୍କ ପରବର୍ତ୍ତୀ ଆଚରଣ ତାହା ସହ ମେଳ ଖାଉନାହିଁ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚି ଏବଂ ଜଷ୍ଟିସ ଜେ.ଭି. ମୋହନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ପାଞ୍ଚ ହାସ୍ୟ ଅଭିନେତାଙ୍କୁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସ୍ପାଇନାଲ ମସ୍କୁଲାର ଆଟ୍ରୋଫି (SMA) ରୋଗରେ ପୀଡ଼ିତ ଶିଶୁମାନଙ୍କ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ପ୍ରତି ମାସରେ ଦୁଇଟି ସ୍ୱତନ୍ତ୍ର କମେଡି ଶୋ' ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଖଣ୍ଡପୀଠ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ନିର୍ଦ୍ଦେଶ ପାଳନ କରାନଯାଏ, ତେବେ ଜରିମାନା ରାଶି ଯଥେଷ୍ଟ ବୃଦ୍ଧି କରାଯାଇପାରେ। ଆଉ ଏକ ଶୂନ ଯୋଡ଼ା ଯାଇପାରେ, ବୋଲି ପ୍ରଧାନ ବିଚାରପତି କହିଛନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଜରିମାନା ୩ ଲକ୍ଷରୁ ୩୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିପାରନ୍ତି ସୁପ୍ରିମକୋର୍ଟ।

ଏହି ମାମଲାଟି ୨୦୨୫ ମସିହାରେ ୟୁଟ୍ୟୁବରେ ପ୍ରସାରିତ ହୋଇଥିବା 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍'ର ଦୁଇଟି ଏପିସୋଡ୍ ସହ ଜଡ଼ିତ। ଯେଉଁଥିରେ ସମୟ ରାଇନା ଏବଂ ତାଙ୍କ ସହଯୋଗୀ ହାସ୍ୟ ଅଭିନେତାମାନେ ଭିନ୍ନକ୍ଷମ ବ୍ୟକ୍ତି, ବିଶେଷ କରି ଏସଏମଏ (SMA) ରୋଗରେ ଆକ୍ରାନ୍ତ ଶିଶୁ, ଦୃଷ୍ଟିହୀନ ଏବଂ ଟେରା ଆଖି ଥିବା ଲୋକଙ୍କୁ ନେଇ ବିବାଦୀୟ ଓ ପରିହାସପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟ ଏହି କଳାକାରମାନଙ୍କୁ ସମନ ଜାରି କରିଥିଲେ ଏବଂ ସେମାନଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଶୁଣାଣି ସମୟରେ ସିଜେଆଇ ସୂର୍ଯ୍ୟକାନ୍ତ ଭିନ୍ନକ୍ଷମମାନଙ୍କୁ ପରିହାସରୁ ରକ୍ଷା କରିବା ପାଇଁ କଠୋର ଆଇନଗତ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ସେ ଏସସି/ଏସଟି ଆଇନ ଢାଞ୍ଚାରେ ସଂସଦରେ ଏକ ଆଇନ ପ୍ରଣୟନ କରିବାକୁ ପରାମର୍ଶ ଦେଇଥିଲେ, ଯାହାଦ୍ୱାରା ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଅପମାନିତ କରୁଥିବା ମନ୍ତବ୍ୟକୁ ଏକ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯାଇପାରିବ। ସଲିସିଟର ଜେନେରାଲ ମଧ୍ୟ ପ୍ରଧାନ ବିଚାରପତିଙ୍କ ଏହି ମତାମତ ସହ ସହମତ ହୋଇ କହିଥିଲେ ଯେ, କାହାର ସମ୍ମାନକୁ ହାନି ପହଞ୍ଚାଇ କମେଡି କରାଯିବା ଅନୁଚିତ୍।