ନୂଆଦିଲ୍ଲୀ: ଶ୍ରୀରାମ କଲେଜ ଅଫ୍ କମର୍ସ (SRCC) ର ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମାଲୋଚକମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ସେ ଦେଇଥିବା ‘ଦିମାଗୀ ନକ୍ସଲ’ ଶବ୍ଦ ଏକ ହୋମିଓପାଥିକ୍ ଔଷଧ ଭଳି କାମ କରିଛି ଏବଂ ଏହା ଦେଶର ପ୍ରଗତିକୁ ବିରୋଧ କରୁଥିବା ଲୋକଙ୍କ ପ୍ରକୃତ ଚେହେରା ସାମ୍ନାକୁ ଆଣିଦେଇଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ହୋମିଓପାଥିକ୍ ଔଷଧ ସେବନ କଲେ ଯେପରି ପ୍ରଥମେ ରୋଗଟି ଅଧିକ ବାହାରକୁ ଆସିଥାଏ, ସେହିପରି 'ଦିମାଗୀ ନକ୍ସଲ' ଡୋଜ୍ ଦେବା ମାତ୍ରେ ଏହି ମାନସିକତାକୁ ପ୍ରଶ୍ରୟ ଦେଉଥିବା ସମସ୍ତ ଲୋକ ଜଣକ ପରେ ଜଣେ ବାହାରକୁ ଆସିବାରେ ଲାଗିଛନ୍ତି।’ ଦେଶର ବିକାଶକୁ ବିରୋଧ କରୁଥିବା ଏବଂ ଭାରତ ବିଫଳ ହେଉ ବୋଲି ଚାହୁଁଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ କୌଣସି ନିର୍ଦ୍ଦିଷ୍ଟ ନାମ ନନେଇ କଟାକ୍ଷ କରିଛନ୍ତି।  

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍ ମହାମାରୀ, ରୁଷ-ୟୁକ୍ରେନ୍ ଯୁଦ୍ଧ, ବିଶ୍ୱ ବାଣିଜ୍ୟରେ ବ୍ୟାଘାତ ଏବଂ ପଶ୍ଚିମ ଏସିଆର ସଙ୍କଟ ଭଳି ଅନେକ ଆହ୍ୱାନର ଭାରତ ସାମ୍ନା କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକ ସଙ୍କଟ ସମୟରେ ବିରୋଧୀ ଓ ସମାଲୋଚକମାନେ ଭାବୁଥିଲେ ‘ଏଥର ମୋଦୀ ଫସିଗଲେ’ । କିନ୍ତୁ ଦେଶବାସୀଙ୍କ ଆଶୀର୍ବାଦ ଏବଂ ସହଯୋଗ ଯୋଗୁଁ ଭାରତ ପ୍ରତ୍ୟେକ ସଙ୍କଟକୁ ପାର୍ କରି ଆଗକୁ ବଢ଼ିବାରେ ସଫଳ ହୋଇଛି।  

କ୍ୟାମ୍ପସ୍ ବାହାରେ ଦୁଇ ପ୍ରକାରର ଲୋକ ମିଳନ୍ତି ବୋଲି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି । ପ୍ରଥମ ଶ୍ରେଣୀର ଲୋକମାନେ ଦେଶ ଗଠନରେ ଯୋଗଦାନ ଦିଅନ୍ତି, ସେହିପରି ଦ୍ୱିତୀୟ ଶ୍ରେଣୀର ଲୋକମାନେ ସବୁ କାମରେ "ଏହାର ଆବଶ୍ୟକତା କ’ଣ ଥିଲା ?" ବୋଲି ପ୍ରଶ୍ନ ଉଠାନ୍ତି।ଏହିପରି ନକାରାତ୍ମକ ମାନସିକତା ରଖୁଥିବା ଲୋକଙ୍କୁ ସେ 'ନାରାଜ ଫୁଫା' ବୋଲି ସମ୍ବୋଧନ କରିଛନ୍ତି ।  ଷ୍ଟାଚ୍ୟୁ ଅଫ୍ ୟୁନିଟି, ହାଇ-ସ୍ପିଡ୍ ରେଲ୍, UPI, ନୂତନ ସଂସଦ ଭବନ ଏବଂ ଜାତୀୟ ଯୁଦ୍ଧ ସ୍ମାରକୀ ଭଳି ପ୍ରକଳ୍ପକୁ ବିରୋଧ କରୁଥିବା ଲୋକଙ୍କୁ ଭାରତ ନିଜ କାର୍ଯ୍ୟ ଦ୍ୱାରା  ଜବାବ ଦେଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।