ନୂଆଦିଲ୍ଲୀ: ପଞ୍ଜାବୀ ସୁପରଷ୍ଟାର ଦିଲଜିତ ଦୋସାଞ୍ଝଙ୍କ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର 'ସତଲୁଜ' (Satluj) କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଓଟିଟି ପ୍ଲାଟଫର୍ମ ଜି୫ (ZEE5) ରେ ରିଲିଜ୍ ହେବାର ମାତ୍ର ଦୁଇ ଦିନ ପରେ ଏହି ଫିଲ୍ମକୁ ଭାରତରେ ହଟାଇ ଦିଆଯାଇଛି। ଦୀର୍ଘ ବର୍ଷର ବିଳମ୍ବ ଏବଂ ଅନେକ ଥର ନାମ ପରିବର୍ତ୍ତନ ହେବା ପରେ ଏହି ଫିଲ୍ମଟି ଓଟିଟିରେ ରିଲିଜ୍‌ ହୋଇଥିଲା। ଏହି ଚଳଚ୍ଚିତ୍ରଟି ପଞ୍ଜାବର ପ୍ରସିଦ୍ଧ ମାନବାଧିକାର କର୍ମୀ ଜସୱନ୍ତ ସିଂହ ଖାଲରାଙ୍କ ସଂଘର୍ଷମୟ ଜୀବନୀ ଦ୍ୱାରା ଅନୁପ୍ରାଣିତ ହୋଇ ନିର୍ମାଣ କରାଯାଇଛି। ଏଥିରେ ଦିଲଜିତ ଦୋସାଞ୍ଝ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। କାହାଣୀର ସମ୍ବେଦନଶୀଳତା ଯୋଗୁଁ ଏହି ପ୍ରୋଜେକ୍ଟଟିକୁ ମୁକ୍ତିଲାଭ କରିବା ପାଇଁ ଅନେକ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା।

ଓଟିଟିରୁ ହଟିଲା ସତଲୁଜ୍‌
ସେନ୍ସର ବୋର୍ଡର କଟକଣା ଏବଂ ବିବାଦ ପରେ ଫିଲ୍ମର ନାମ ବଦଳାଇ 'ସତଲୁଜ' ରଖାଯାଇଥିଲା ଏବଂ ନିକଟରେ ଏହାକୁ ଜି୫ରେ ଷ୍ଟ୍ରିମିଂ କରାଯାଇଥିଲା। କିନ୍ତୁ ଭାରତୀୟ ଦର୍ଶକଙ୍କ ପାଇଁ ଏହା ଉପଲବ୍ଧ ହେବାର ମାତ୍ର ୪୮ ଘଣ୍ଟା ମଧ୍ୟରେ ଏହାକୁ ଓଟିଟି ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି। ଏହି ଚଳଚ୍ଚିତ୍ରକୁ ହଠାତ୍ ହଟାଇ ଦିଆଯିବା ପଛର ପ୍ରକୃତ କାରଣ କ'ଣ, ସେ ନେଇ ଜି୫ କିମ୍ବା ଫିଲ୍ମର ପ୍ରଯୋଜନା ସଂସ୍ଥା ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଏହି ଘଟଣା ଦିଲଜିତଙ୍କ ପ୍ରଶଂସକ ଏବଂ ସିନେପ୍ରେମୀଙ୍କୁ ବେଶ୍ ଆଶ୍ଚର୍ଯ୍ୟ ଓ ନିରାଶ କରିଛି।

ଏହି ପ୍ରୋଜେକ୍ଟଟି ପ୍ରଥମେ ସେନ୍ସର ବୋର୍ଡ ପାଖକୁ ଯିବା ସମୟରେ ଏହାର ନାମ 'ଘଲୁଘାରା' ରଖାଯାଇଥିଲା। ତେବେ କାହାଣୀ ଏବଂ ଶୀର୍ଷକକୁ ନେଇ ବିବାଦ ହେବା ପରେ ବୋର୍ଡ ପକ୍ଷରୁ ଏଥିରେ ଅନେକ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହାର ନାମ ବଦଳାଇ 'ପଞ୍ଜାବ ୯୫' କରାଯାଇଥିଲା। ତଥାପି ଏହି ଫିଲ୍ମ ପ୍ରେକ୍ଷାଳୟକୁ ଆସିପାରିନଥିଲା । ଶେଷରେ ଫିଲ୍ମର ନିର୍ମାତା ଏହାର ନାମ ସତଲୁଜ୍‌ କରିବା ସହ ଓଟିଟିରେ ରିଲିଜ୍‌ କରାଇଥିଲେ। କିନ୍ତୁ ରିଲିଜ୍‌ ହେବାର ୨ ଦିନ ପରେ ଏହା ଗାୟବ ହୋଇଯାଇଛି ।

​​​​​​​

ଦିଲଜିତ ଦୋସାଞ୍ଝଙ୍କ ଏହି ଚଳଚ୍ଚିତ୍ରର ରିଲିଜକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖା ଦେଇଥିଲା। ନିକଟରେ ତାଙ୍କର ଅନ୍ୟ କେତେକ ପ୍ରୋଜେକ୍ଟ ବିଶ୍ୱସ୍ତରରେ ସଫଳତା ପାଇଥିବା ବେଳେ ଏହି ଚଳଚ୍ଚିତ୍ରକୁ ଓଟିଟିରୁ ହଠାତ୍ ହଟାଇ ଦିଆଯିବା ଖବର ପ୍ରଶଂସକମାନଙ୍କୁ ବେଶ୍ ନିରାଶ କରିଛି। ଏହି ବିଷୟରେ ଜି୫  ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି କିନ୍ତୁ ଫିଲ୍ମ ହଟିବା ପଛର କାରଣ ସ୍ପଷ୍ଟ ହୋଇନାହିଁ । ଜି-୫ କହିଛି ଯେ, ସତଲୁଜ୍ ରିଲିଜ୍ ହେବା ପରଠାରୁ ଏହାର ପ୍ରତିକ୍ରିୟା ପ୍ରକୃତରେ ଅଦ୍ଭୁତ। ଆମେ ପ୍ରତ୍ୟେକ ଦର୍ଶକଙ୍କ ପ୍ରତି ଗଭୀର କୃତଜ୍ଞ । ଆମେ ସତଲୁଜ ଏବଂ ଏହାର ପଛରେ ଥିବା ସୃଜନଶୀଳ ଦୃଷ୍ଟିକୋଣ ସହିତ ଦୃଢ଼ ଭାବରେ ଠିଆ ହୋଇଛୁ। ବର୍ତ୍ତମାନର ଘଟଣାକ୍ରମକୁ ଦୃଷ୍ଟିରେ ରଖି, ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସତଲୁଜ୍ ଭାରତରେ ଉପଲବ୍ଧ ହେବ ନାହିଁ। ଆମେ ଯଥାଶୀଘ୍ର ଦର୍ଶକଙ୍କ ପାଇଁ ଚଳଚ୍ଚିତ୍ରକୁ ପୁନଃ ପ୍ରସାରିତ ପାଇଁ ପ୍ରୟାସ କରିବୁ ।