ନୂଆଦିଲ୍ଲୀ ୨୧।୦୭; ଦିଲ୍ଲୀର ଜନ୍ତରମନ୍ତରରେ ଚାଲିଥିବା କକରୋଚ୍ ଜନତା ପାର୍ଟିର ଛାତ୍ର ଆନ୍ଦୋଳନକୁ ନେଇ ପଞ୍ଜାବୀ ଗାୟକ ଓ ଅଭିନେତା ଦିଲଜିତ ଦୋସାଞ୍ଜ ସମର୍ଥନ ଜଣାଇଛନ୍ତି। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଛାତ୍ରଛାତ୍ରୀଙ୍କ ଦାବିକୁ ସରକାର ଗୁରୁତ୍ୱର ସହ ଶୁଣିବାକୁ ଅପିଲ କରିଛନ୍ତି । ଦିଲଜିତ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଲେଖିଛନ୍ତି, "ଆଜି ଯାହା ଘଟିଲା ତାହା ଠିକ୍ ନୁହେଁ। ଛାତ୍ରଛାତ୍ରୀଙ୍କ ସହ ଏଭଳି ବ୍ୟବହାର କରିବା ଉଚିତ୍ ନୁହେଁ । ସେମାନଙ୍କ ଦାବିକୁ ଶୁଣନ୍ତୁ । ଲୋକଙ୍କ ସ୍ୱର ହିଁ ଭଗବାନଙ୍କ ସ୍ୱର।

ସେ ଆହୁରି କହିଛନ୍ତି, ମୋତେ ପୂର୍ବରୁ ମଧ୍ୟ ଅନେକ ଥର 'ଦେଶଦ୍ରୋହୀ' କୁହାଯାଇଛି, ଆଉ ଏବେ ପୁଣି ଥରେ କୁହାଯିବ । କୃଷକ ଆନ୍ଦୋଳନ ପରେ ମୋତେ ଅନେକ ସମାଲୋଚନା ଓ ଆଇନଗତ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ବାକି ସବୁ ଭଗବାନ ଦେଖୁଛନ୍ତି । ନିଟ୍-ୟୁଜି ୨୦୨୬ ପରୀକ୍ଷାରେ କଥିତ ପ୍ରଶ୍ନପତ୍ର ଲିକ୍ ଏବଂ ଓଏମାର ସିଟ୍‌ରେ ଅନିୟମିତତା ଅଭିଯୋଗକୁ ନେଇ କକରୋଚ୍ ଜନତା ପାର୍ଟି ଗତ କିଛି ସପ୍ତାହ ଧରି ଜନ୍ତରମନ୍ତରରେ ଆନ୍ଦୋଳନ କରୁଛି ।

କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ମଧ୍ୟ ଅନିର୍ଦ୍ଦିଷ୍ଟକାଳୀନ ଅନଶନରେ ବସିଛନ୍ତି । ଏହି ଆନ୍ଦୋଳନକୁ ଶବାନା ଆଜମୀ, ପ୍ରକାଶ ରାଜ, ସୋନାକ୍ଷୀ ସିହ୍ନା, ହୁମା କୁରେଶୀ, ଭୂମି ପେଡନେକର, ଦିଆ ମିର୍ଜା, ଅନୁରାଗ କଶ୍ୟପ ଏବଂ ଶିଳ୍ପା ରାଓଙ୍କ ଭଳି ଅନେକ କଳାକାର ମଧ୍ୟ ସମର୍ଥନ ଜଣାଇଛନ୍ତି ।