ବେଙ୍ଗାଲୁରୁ: କର୍ଣ୍ଣାଟକର ଧାରୱାଡ଼ରେ ଏକ ଆପାର୍ଟମେଣ୍ଟରେ ହୋଇଥିବା ହାତ୍ୟାକାଣ୍ଡର ଏକ ଚାଞ୍ଚଲ୍ୟକର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ସମ୍ଭବତଃ ଏହି ମାମଲା ସହ ଜଡ଼ିତ ପ୍ରାୟ ସମସ୍ତ ପ୍ରଶ୍ନର ଉତ୍ତର ଥାଇପାରେ । ଫ୍ଲାଟ୍ ଭିତରେ ପଶିବା ବେଳେ ଚଟାଣ ସାରା ରକ୍ତର ଦାଗ ଏବଂ ଏକ ଭୟଙ୍କର ନୀରିବତା ଖେଳିଯାଇଥିଲା । କିଛି ପାଦ ଆଗକୁ ଯିବା ପରେ ବେଡ୍ ରୁମର ଧଳା ଟାଇଲ୍ସ ରକ୍ତର ରଙ୍ଗରେ ଲାଲ୍ ହୋଇଛି । ତଳେ ଆଠ ବର୍ଷର ପୁଅ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ପାର୍ଶ୍ୱରେ ବାପା ଡାକ୍ତର କିରଣ ହୋନ୍ନାନଭରଙ୍କ ମୃତ୍ୟୁଦେହ ପଡ଼ିଛି । ସେହି ରୁମର ଖଟରେ ପିଲାର ମାଆ ଏବଂ ମୃତ ଡାକ୍ତରଙ୍କ ପତ୍ନୀ ଡାକ୍ତର ପ୍ରିୟଙ୍କା ସ୍ମାର୍ଟଫୋନ ଧରି ରିଲ୍ ସ୍କ୍ରୋଲ୍ କରୁଛନ୍ତି ।

ମୃତକଙ୍କ ସମ୍ପର୍କୀୟ ଏବଂ ପରିଚିତ ଲୋକମାନେ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ସ୍ତ୍ରୀ ବାହାନା କରି ଚାଲିଥିଲେ । ଯେତେବେଳେ ଅନେକ ସମୟ ଯାଏଁ ଯୋଗାଯୋଗ କରିପାରିଲେ ନାହିଁ, ସମ୍ପର୍କୀୟମାନେ ଆପାର୍ଟମେଣ୍ଟକୁ ଯିବାକୁ ନିଷ୍ପତ୍ତି ନେଇଥିଲେ । ପହଞ୍ଚିବା ପରେ ସେମାନେ ଏପରି ଏକ ଦୃଶ୍ୟ ଦେଖିବାକୁ ପାଇଲେ ଯାହା ବିଶ୍ୱାସ କରିବା କଷ୍ଟକର ଥିଲା ।

ପୋଲିସ ଯେତେବେଳେ ଆପାର୍ଟମେଣ୍ଟରେ ପଶିଲା, ସେତେବେଳେ ଭିତରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଜଣେ ପୁରୁଷଙ୍କ ମୃତଦେହ ତଳେ ପଡ଼ିଥିଲା । ଏକ ଆଠ ବର୍ଷର ଶିଶୁ ଆହତ ଅବସ୍ଥାରେ ପଡ଼ିଥିଲା । ଅଭିଯୁକ୍ତ ମହିଳାଙ୍କୁ ସେହି ରୁମର ବିଛଣାରେ ଶୋଇ ତାଙ୍କ ଫୋନରେ ରିଲ୍ ସ୍କ୍ରୋଲ୍ କରୁଥିବାର ଦେଖି ପୋଲିସ ଆହୁରି ଆଶ୍ଚର୍ଯ୍ୟ ହୋଇଗଲା । ଘଟଣାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ।

ଡାକ୍ତର କିରଣ ହୋନ୍ନାନଭରଙ୍କୁ କର୍ଣ୍ଣାଟକର ଧାରୱାଡରେ ତାଙ୍କ ଆପାର୍ଟମେଣ୍ଟରେ ହତ୍ୟା କରାଯାଇଥିଲା । ତାଙ୍କ ଆଠ ବର୍ଷର ପୁଅକୁ ଛୁରି ମାଡ଼ରେ ଗୁରୁତର ଆଘାତ ଲାଗିଛି । ମୃତକଙ୍କ ପତ୍ନୀ ଡାକ୍ତର ପ୍ରିୟଙ୍କାଙ୍କୁ ପଚରାଉଚରା ପାଇଁ ପୋଲିସ ହେପାଜତକୁ ନିଆଯାଇଛି ।

ହୁବଲି-ଧାରୱାଡ ପୋଲିସ କମିଶନର ଏନ. ଶଶିକୁମାରଙ୍କ ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଆପାର୍ଟମେଣ୍ଟଟି ଅତ୍ୟନ୍ତ ସୁରକ୍ଷିତ ହୋଇଥିବାରୁ କୌଣସି ବାହାର ଲୋକ ଭିତରକୁ ପ୍ରବେଶ କରି ନଥିଲେ। ପୋଲିସ କହିଛି ଯେ ଘଟଣା ସମୟରେ ଘର ଭିତରେ କେବଳ ତିନି ଜଣ ସ୍ୱାମୀ, ସ୍ତ୍ରୀ ଏବଂ ପିଲା ଥିଲେ ।ପୋଲିସ କହିଛି ଯେ, ଘରେ ପହଞ୍ଚିଲା ବେଳେ ପିଲାଟି ନିଃଶ୍ୱାସ ନେଉଥିଲା । ତାକୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି ଯେ ସ୍ୱାମୀକୁ ଗୋଟିଏ ରୁମରେ ମୃତ ଅବସ୍ଥାରେ ପାଇଥିଲେ, ଆହତ ପିଲାଟି ଅନ୍ୟ ଏକ ରୁମରୁ ମିଳିଥିଲା । କମିଶନର କହିଛନ୍ତି ଯେ ଅଭିଯୁକ୍ତ ସ୍ତ୍ରୀର ବୟାନରେ ତାଳମେଳ ନାହିଁ ।