ଦେବଶୟନୀ ଏକାଦଶ: ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଆଷାଢ଼ ମାସ ଶୁକ୍ଳ ପକ୍ଷର ଏକାଦଶୀ ତିଥିକୁ ଦେବଶୟନୀ ଏକାଦଶୀ ଭାବେ ପାଳନ କରାଯାଏ । ଏହି ବର୍ଷ ଦେବଶୟନୀ ଏକାଦଶୀ ଜୁଲାଇ ୨୫ରେ ପଡ଼ୁଛି । ଧାର୍ମିକ ମାନ୍ୟତା ଅନୁସାରେ, ଏହି ପବିତ୍ର ଦିନରୁ ହିଁ ଭଗବାନ ଶ୍ରୀହରି ବିଷ୍ଣୁ ଚାରି ମାସ ପାଇଁ କ୍ଷୀରସାଗରରେ ଯୋଗନିଦ୍ରାରେ ଲୀନ ହୋଇଯାଆନ୍ତି, ଯାହାକୁ ଚାତୁର୍ମାସ୍ୟର ଆରମ୍ଭ କୁହାଯାଏ । ଭଗବାନ ଶୟନକାଳକୁ ଚାଲିଯାଉଥିବାରୁ ଆଗାମୀ ଚାରି ମାସ ପର୍ଯ୍ୟନ୍ତ ବିବାହ, ଗୃହପ୍ରବେଶ, ମୁଣ୍ଡନ ଏବଂ ବ୍ରତଘର ପରି ସମସ୍ତ ପ୍ରକାରର ମାଙ୍ଗଳିକ ଓ ଶୁଭ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବର୍ଜିତ ହୋଇଥାଏ ।

କାହିଁକି ସ୍ୱତନ୍ତ୍ର ଦେବଶୟନୀ ଏକାଦଶୀ ?

ଶାସ୍ତ୍ର ଅନୁସାରେ, ଯେତେବେଳେ ଜଗତର ପାଳନକର୍ତ୍ତା ଭଗବାନ ବିଷ୍ଣୁ ଚାରି ମାସ ପାଇଁ ବିଶ୍ରାମ ନେବାକୁ ଚାଲିଯାଆନ୍ତି, ସେତେବେଳେ ସୃଷ୍ଟି ସଞ୍ଚାଳନର ଦାୟିତ୍ଵ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ହାତକୁ ଆସିଥାଏ । ଏହି କାରଣରୁ ଦେବଶୟନୀ ଏକାଦଶୀର ଠିକ୍ ପରେ ପବିତ୍ର ଶ୍ରାବଣ ମାସ ଆରମ୍ଭ ହୁଏ, ଯାହା ସମ୍ପୂର୍ଣ୍ଣ ଭାବେ ଶିବ ଆରାଧନା ପାଇଁ ସମର୍ପିତ । ଧାର୍ମିକ ମାନ୍ୟତା ରହିଛି ଯେ ଏହି ସମୟ ମଧ୍ୟରେ ଭଗବାନ ବିଷ୍ଣୁ ରାଜା ବଳିଙ୍କ ଦ୍ଵାରରେ ନିବାସ କରନ୍ତି, ଏହା ପରେ କାର୍ତ୍ତିକ ମାସର ଦେବୋତ୍ଥାପନ ଏକାଦଶୀ ଦିନ ପୁନର୍ବାର ଜାଗ୍ରତ ହୁଅନ୍ତି ।

ଶୁଭ ମୁହୂର୍ତ୍ତ ଏବଂ ତିଥି

ପଞ୍ଚାଙ୍ଗ ଅନୁସାରେ, ଆଷାଢ଼ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଜୁଲାଇ ୨୪ ସକାଳ ୯ଟା୧୨ରୁ ଆରମ୍ଭ ହୋଇ ୨୫ ଜୁଲାଇ ସକାଳ ୧୧ଟା ୩୪ ପର୍ଯ୍ୟନ୍ତ ରହିବ । ଉଦୟାତିଥିକୁ ଆଧାର କରି ବ୍ରତ ଜୁଲାଇ ୨୫ରେ ରଖାଯିବ ।

ଦୁର୍ଲଭ ଯୋଗ ଏବଂ ପୂଜାର ବିଶେଷ ମହତ୍ତ୍ୱ

ଏହି ବର୍ଷ ଦେବଶୟନୀ ଏକାଦଶୀରେ ଅମୃତସିଦ୍ଧି ଯୋଗ, ଶିବବାସ ଯୋଗ, ବ୍ରହ୍ମ ଯୋଗ, ଇନ୍ଦ୍ର ଯୋଗ, ସୂର୍ଯ୍ୟ ଏବଂ ଉଚ୍ଚ ଗୁରୁଙ୍କ ପୁଷ୍ୟା ନକ୍ଷତ୍ର ସଂଯୋଗ ପରି ଅନେକ ଦୁର୍ଲଭ ଓ ଶୁଭ ଯୋଗର ମହାସଂଯୋଗ ସୃଷ୍ଟି ହେଉଛି । ଜ୍ୟୋତିଷବିତଙ୍କ ଅନୁସାରେ, ଏହି ବିଶେଷ ଯୋଗଗୁଡ଼ିକରେ କରାଯାଇଥିବା ଜପ, ତପ, ବ୍ରତ ଏବଂ ଦାନର ଅନେକ ଗୁଣା ଅଧିକ ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ।

ଅଭିଷେକ ଏବଂ ପୂଜା: ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପଞ୍ଚାମୃତ, କେଶର ମିଶ୍ରିତ କ୍ଷୀର କିମ୍ବା ଗଙ୍ଗାଜଳରେ ଅଭିଷେକ କରିବା ଅତ୍ୟନ୍ତ ଶୁଭ ମାନାଯାଏ । ପ୍ରଭୁଙ୍କୁ ହଳଦିଆ ବସ୍ତ୍ର, ହଳଦିଆ ଫୁଲ ଏବଂ ଫଳ ଅର୍ପଣ କରନ୍ତୁ ।

ତୁଳସୀ ପୂଜା: ସନ୍ଧ୍ୟା ସମୟରେ ତୁଳସୀ ଗଛ ଆଗରେ ଘିଅ ଦୀପ ଜାଳି 'ଓଁ ନମୋ ଭଗବତେ ବାସୁଦେବାୟ' ମନ୍ତ୍ର ଜପ କରି ୧୧ଥର ପରିକ୍ରମା କରନ୍ତୁ।

 ଦାନର ମହତ୍ତ୍ୱ: ଏହି ଦିନ ସାମର୍ଥ୍ୟ ଅନୁସାରେ ବୁଟ ଡାଲି, ହଳଦୀ, କଦଳୀ, ପିତ୍ତଳ ବାସନ ଏବଂ ହଳଦିଆ ବସ୍ତ୍ର ଦାନ କରିବା ଦ୍ଵାରା ଘରେ ସୁଖ-ଶାନ୍ତି ବଜାୟ ରହେ ଓ ଆର୍ଥିକ ସମସ୍ୟା ଦୂର ହୁଏ । ଏହା ବ୍ୟତୀତ ବିଷ୍ଣୁ ସହସ୍ରନାମ ପାଠ କରିବା ମଧ୍ୟ ଅତ୍ୟନ୍ତ କଲ୍ୟାଣକାରୀ ବୋଲି ଧରାଯାଏ ।

ଏହି ରାଶିଗୁଡ଼ିକ ଉପରେ ବର୍ଷିବ ଭଗବାନ ବିଷ୍ଣୁଙ୍କ କୃପା

ଦେବଶୟନୀ ଏକାଦଶୀରେ ସୃଷ୍ଟି ହେଉଥିବା ଏହି ଅତ୍ୟନ୍ତ ଦୁର୍ଲଭ ଓ ଶୁଭ ଯୋଗଗୁଡ଼ିକର ପ୍ରଭାବ କିଛି ରାଶିର ବ୍ୟକ୍ତିଙ୍କ ଜୀବନରେ ବିଶେଷ ଭାବେ ସକାରାତ୍ମକ ରହିବ ।

 ମେଷ ରାଶି: ଆୟ ବୃଦ୍ଧି, ନୂଆ ସୁଯୋଗ ଏବଂ ନିବେଶରୁ ଲାଭ ।

 ବୃଷ ରାଶି:  ଭାଗ୍ୟର ସାଥ୍, କାର୍ଯ୍ୟରେ ସଫଳତା ଏବଂ ଅଚାନକ ଧନ ଲାଭ ।

 କନ୍ୟା ରାଶି: ଆର୍ଥିକ ପକ୍ଷ ମଜଭୁତ, ଆର୍ଥିକ ସମସ୍ୟା ଦୂର ଏବଂ ନୂଆ କାମ ଆରମ୍ଭ କରିବା ପାଇଁ ଉତ୍ତମ ଦିନ।

 ତୁଳା ରାଶି: କ୍ୟାରିୟରରେ ଉନ୍ନତି, ବ୍ୟବସାୟରେ ଫାଇଦା ଏବଂ ସୁଖମୟ ଦାମ୍ପତ୍ୟ ଜୀବନ ।