ଦେବଗଡ଼: ବୋହୂର ଆକ୍ରମଣରେ ଶାଶୁଙ୍କ ମୃତ୍ୟୁ ଅଭିଯୋଗ।  ଏଭଳି ଏକ ଅଭାବନୀୟ ଅଭିଯୋଗ ଆସିଛି ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସାନମାଣପୁର ଗ୍ରାମରୁ। ସାନମାଣପୁର ଗ୍ରାମର ଅଜିତ କୁମାର ପ୍ରଧାନଙ୍କ ସ୍ତ୍ରୀ ହେମଲତାଙ୍କୁ ବଡ ବୋହୂ  ଆକ୍ରମଣ କରି ମାରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ପକ୍ଷରୁ ବାରକୋଟ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛନ୍ତି।

ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସାନମାଣପୁର ଗ୍ରାମରେ ସାମାନ୍ୟ ଘଟଣାକୁ ନେଇ ବୋହୂର ଆକ୍ରମଣରେ ଶାଶୁଙ୍କ ମୃତ୍ଯୁ ଘଟିଥିବା ଅଭିଯୋଗ ହୋଇଛି। ଗତ ରବିବାର ସାମାନ୍ୟ ଘରୋଇ କଳହକୁ ନେଇ ସାନମାଣପୁର ଗ୍ରାମର ଅଜିତ କୁମାର ପ୍ରଧାନ ଙ୍କର ସ୍ତ୍ରୀ ହେମଲତାଙ୍କୁ ବଡ଼ ବୋହୂ ଲୀନାବାଳା ଆକ୍ରମଣ କରି ଠେଲିଦେଇଥିଲେ। ପରିବାରର ଅଭିଯୋଗ ଅନୁଯାୟୀ ଲୀନାବାଳାଙ୍କର ଏକ ଆଠ ମାସର ଶିଶୁ ପୁତ୍ର ରହିଥିବା ବେଳେ ସେ ହଠାତ୍ ପଲଙ୍କରୁ ତଳକୁ ଖସିପଡିଥିଲା। ଏହାକୁ ନେଇ ବୋହୂ ଲୀନାବାଳାକୁ ଶିଶୁକୁ ସମ୍ଭାଳି ରଖିବାକୁ ଶାଶୁ ହେମଲତା ତାଗିଦ କରିଥିଲେ।

Also Read: ​​​​​​​କନିଷ୍ଠ ଯନ୍ତ୍ରୀ ରଶ୍ମିରଞ୍ଜନ ସେଠୀ ମୃତ୍ୟୁ ମାମଲାରେ ଟ୍ବିଷ୍ଟ, ସନ୍ଦେହ ବଢ଼ାଇଲା ପୋଷ୍ଟ ମର୍ଟମ ରିପୋର୍ଟ

ଏଥିରେ ଉତକ୍ଷିପ୍ତ ହୋଇ ବୋହୂ ଶାଶୁକୁ ନିଜ କୋଠରୀ ରୁ ବାହାରକୁ ପେଲି ଦେଇଥିଲେ। ବୋହୂର ଧକ୍କାରେ ଶାଶୁ ହେମଲତା ବାହାରେ ରହିଥିବା କାଠ ସୋଫା ଉପରେ ପଡିଯାଇଥିବା ବେଳେ ତାଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଥିଲା। ଆକ୍ରମଣରେ ହେମଲତା ଗୁରୁତର ହୋଇପଡିଥିବା ବେଳେ ପରିବାର ପକ୍ଷରୁ ତାଙ୍କୁ ନିକଟସ୍ଥ ବାରକୋଟ ଡାକ୍ତରଖାନାରେ ଚିକିତ୍ସା କରାଇ ଘରକୁ ଆଣିଥିଲେ। ପରଦିନ ପୁଣି ଥରେ  ହେମଲତାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ପକ୍ଷରୁ ପୁଣିଥରେ  ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାରକୋଟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଜିତଙ୍କର ବଡ ପୁଅ ଡେସମନ ପ୍ରଧାନ ୨୦୨୫ ଅପ୍ରେଲ ମାସରେ ନିକଟସ୍ଥ ସଇଡା ଗ୍ରାମର ସ୍ବର୍ଗତ ନାୟକଙ୍କ ଝିଅ ଲୀନାବାଳାଙ୍କୁ ବିବାହ କରିଥିଲେ। ବିବାହ ପରେ ଲୀନାବାଳା ବାରମ୍ବାର ଶାଶୂ ଘରେ କଳିଝଗଡା କରି ବାପା ଘରକୁ ପଳାଇଯାଉଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ ଚଳିତବର୍ଷ ମେ ମାସରେ ଦେବଗଡ ପରିବାର କୋର୍ଟରେ ଉଭୟଙ୍କ ମଧ୍ଯରେ ବୁଝାମଣା ଓ ଲେଖାପଢା ହେବା ପରେ ସେ ଶ୍ଵଶୁର ଘରେ ରହୁଥିବା ବେଳେ ଅନେକ ସମୟରେ ପରିବାର ମଧ୍ଯରେ ଗଣ୍ଡଗୋଳ ଲାଗିରହୁଥିଲା ବୋଲି ପରିବାର ତଥା ପାଖ ପଡୋଶୀ ସୂଚନା ଦେଇଛନ୍ତି।

ଏବେ ଶାଶୁଙ୍କୁ ବୋହୁ ଲୀନାବାଳା ପେଲି ଦେଇ ମାରି ଦେଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ପରିବାର ପକ୍ଷରୁ  ବାରକୋଟ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ଅଭିଯୁକ୍ତ ବୋହୂ ଲୀନାବାଳା କୁ ବାରକୋଟ ପୋଲିସ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛନ୍ତି।