ଦେଓଗାଁ: ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାତୃ ଓ ଶିଶୁ ମୃତ୍ୟୁହାର ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି । ଗତ ୬ମାସ ମଧ୍ୟରେ ଏଠାରେ ୩ଜଣ ଗର୍ଭବତୀ ଏବଂ ୧୩ଜଣ ଶିଶୁଙ୍କ ପ୍ରାଣହାନୀ ଘଟିଛି । ରାଜ୍ୟ ସରକାର ଗର୍ଭବତୀ, ପ୍ରସୂତୀ ମହିଳାଙ୍କ ନିରାମୟ ମାତୃତ୍ୱ ଏବଂ ଶିଶୁ ମୃତ୍ୟୁ ହାରକୁ ରୋକିବାପାଇଁ ସରକାରୀସ୍ତରରେ ଅନେକ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଦେଓଗାଁ ବ୍ଲକରେ ପ୍ରସୂତୀ ଓ ଶିଶୁ ମୃତ୍ୟୁ ହାରକୁ ଦେଖିଲେ ଗ୍ରାମାଞ୍ଚଳରେ କାମ କରୁଥିବା କର୍ମଚାରୀଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ସୂଚନା ଅନୁଯାୟୀ, ୨୦୨୬ ମସିହା ଜୁନ, ଅଗଷ୍ଟ ଓ ସେପ୍ଟେମ୍ବରରେ ଜଣେ ଲେଖାଏଁ ପ୍ରସୂତୀଙ୍କ ମୃତ୍ୟୁ ହୋଇଛି । ମାତ୍ର ଏହାକୁ ବଳିଯାଇଛି ନବଜାତ ଶିଶୁ ମୃତ୍ୟୁହାର । ଏଠାରେ ଗତ ମାର୍ଚ୍ଚ ମାସରେ ୨ଜଣ, ଜୁନରେ ୩ଜଣ, ଜୁଲାଇରେ ୪ଜଣ, ଅଗଷ୍ଟରେ ୪ଜଣଙ୍କୁ ମିଶାଇ ମୋଟ ୧୩ଜଣଙ୍କ ମୃତ୍ୟୁ ଘଟିସାରିଛି । ସରକାର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟକର୍ମୀ, ଆଶା ଏବଂ ପଞ୍ଚାୟତସ୍ତରରେ ଆରୋଗ୍ୟ ମନ୍ଦିର ଭଳି ବ୍ୟବସ୍ଥା ରଖିଛନ୍ତି । ହେଲେ ଶିଶୁ ମୃତ୍ୟୁହାର କିପରି ବଢ଼ିଚାଲିଛି ତାହାର କାରଣ ସ୍ୱାସ୍ଥ୍ୟ ବିଭାଗ ପାଖରେ ବି ନାହିଁ ।

ପ୍ରତ୍ୟେକ ମାସ ଗ୍ରାମାଞ୍ଚଳରେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସରକାରଙ୍କ ମାଗଣା ଔଷଧ ଦିଆଯାଉଥିବା ସତ୍ତ୍ୱେ କାହିଁକି ମୃତ୍ୟୁହାର କମୁନାହିଁ ତାହା ତଦନ୍ତ ସାପେକ୍ଷ । ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହାତିସରା ଗ୍ରାମର ବର୍ଷାରାଣୀ ନାମକ ଜଣେ ମହିଳା ଗର୍ଭବତୀ ଥିବା ସମୟରୁ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀରୋଗ ବିଶେଷଜ୍ଞ ଡା.ରାଜୀବ କୁମାର ପଧାନଙ୍କଠାରୁ ପରାମର୍ଶ ନେଉଥିଲେ । ବର୍ଷାଙ୍କ ସ୍ୱାମୀ ସନ୍ତୋଷ ସୁନାଙ୍କ କହିବା ଅନୁସାରେ, ବର୍ଷାଙ୍କ ୟୁଟେରସ ସମସ୍ୟା ରହିଥିବା ସେମାନେ ଆରମ୍ଭରୁ ଡାକ୍ତରଙ୍କୁ ଜଣାଇଥିଲେ । କିନ୍ତୁ ଡାକ୍ତର କୌଣସି ଅସୁବିଧା ହେବ ନାହିଁ କହି ଚିକିତ୍ସା କରିଥିଲେ । ଗତ ଅଗଷ୍ଟ ୩ତାରିଖରେ ପ୍ରସୂତୀ ପାଇଁ ପେଟ ଦରଜ ହେବାରୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଫୋନ କରିଥିଲେ । କିନ୍ତୁ ଡା. ପଧାନ ଫୋନ ନଉଠାଇବାରୁ ସନ୍ତୋଷ ନିଜ ପତ୍ନୀଙ୍କୁ ବଲାଙ୍ଗୀର ନେଇ ଭୀମଭୋଇ ମେଡିକାଲ କଲେଜର ପ୍ରସୂତୀ ବିଭାଗରେ ଦାଖଲ କରିଥିଲେ। ସେଠାରେ ଚାରିଦିନ ରହିବା ପରେ ବର୍ଷାଙ୍କ ପ୍ରସବ ହୋଇଥିଲା । କିନ୍ତୁ ଶିଶୁ ଜନ୍ମ ହେବାବେଳେ ୟୁଟେରସ ବାହାରି ପଡିବାରୁ ରକ୍ତସ୍ରାବ ବନ୍ଦ ହୋଇନଥିଲା । ଫଳରେ ପ୍ରସୂତୀଙ୍କ ମୃତ୍ୟୁ ହୋଇଯାଇଥିଲା । ଡାକ୍ତରଙ୍କ ଭୁଲ ପାଇଁ ଶିଶୁଟି ଜନ୍ମରୁ ମା’କୁ ହରାଇଲା ବୋଲି ପରିବାର ଲୋକେ ଅଭିଯୋଗ ଆଣି ତଦନ୍ତକରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ବର୍ତ୍ତମାନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ମୃତ୍ୟୁ ହାରକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି । ଏଦିଗରେ ସ୍ୱାସ୍ଥ୍ୟ ବିଭାଗ ସଜାଗ ହେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ଏ ବିଷୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦାୟିତ୍ୱରେ ଥିବା ଅଧିକାରୀ ଶ୍ରୀ ପଧାନଙ୍କୁ ପଚାରିବାରୁ ଶିଶୁ ମୃତ୍ୟୁହାର ବଢ଼ିଥିବା କଥାକୁ ସ୍ୱୀକାର କରିବା ସହ ଗୁରୁବାର ଏବିଷୟକୁ ନେଇ ସମସ୍ତଙ୍କୁ ବୈଠକ ଡକାଯାଇଛି ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ । ସେହିଭଳି ଭୁଲ ଚିକିତ୍ସା ଅଭିଯୋଗ ସମ୍ପର୍କରେ ପଚାରିବାରୁ, ପ୍ରସୂତିଜଣକ ତାଙ୍କ ପାଖରେ ଚିକିତ୍ସିତ ହେଉଥିଲେ । ବଲାଙ୍ଗୀରରେ ଶିଶୁ ଜନ୍ମପରେ ପ୍ରବଳ ରକ୍ତସ୍ରାବ ହୋଇଥିଲା ଏବଂ ପ୍ରସୂତିଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁର ପ୍ରକୃତ କାରଣ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନକୁ ମାଗିଛୁ, ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି । ତେବେ ଦେଓଗାଁରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଅହେତୁକ ଭାବେ ବୃଦ୍ଧି ପାଇଥିବା ମାତୃ ଓ ଶିଶୁ ମୃତ୍ୟୁହାରକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି ।