ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ଅଷ୍ଟାଦଶ (୧୮ତମ) ବ୍ରିକସ୍ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀ ପାଇଁ ଭାରତ ମଣ୍ଡପମ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବିଦେଶ ମନ୍ତ୍ରାଳୟ (ଏମଇଏ) ବୁଧବାର ଦୁଇ ଦିବସୀୟ ଶିଖର ସମ୍ମିଳନୀର ଅଧିକାରୀକ କାର୍ଯ୍ୟକ୍ରମ ଓ ପୁରା ସିଡ୍ୟୁଲ ଜାରି କରିଛନ୍ତି। ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀର ଥିମ ‘ବିଲ୍ଡିଂ ଫର ରେଜିଲେନ୍ସ, ଇନୋଭେସନ, କୋ-ଅପରେସନ ଆଣ୍ଡ ସଷ୍ଟେନେବିଲିଟି’ ରଖାଯାଇଛି। ଏଥିରେ ବ୍ରିକସ୍ ସଦସ୍ୟ ଦେଶଙ୍କ ଶୀର୍ଷ ନେତାଙ୍କ ଛଡା ଭାଗିଦାର ଓ ଆମନ୍ତ୍ରିତ ଦେଶଙ୍କ ନେତା ମଧ୍ୟ ଯୋଗ ଦେବେ।

୨୫ରୁ ଅଧିକ ସହରରେ ଅନୁଷ୍ଠିତ ହୋଇଛି ୩୫୦ ବୈଠକ
ଭାରତକୁ ବ୍ରିକସ୍ ଆୟୋଜନା ଦାୟିତ୍ୱ ମିଳିବା ପରେ ଦେଶର ୨୫ରୁ ଅଧିକ ପ୍ରମୁଖ ସହରମାନଙ୍କରେ ୩୫୦ରୁ ଅଧିକ ବୈଠକ ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ସବୁ ବୈଠକ ଓ କାର୍ଯ୍ୟକ୍ରମ ପରେ ରାଜଧାନୀ ଦିଲ୍ଲୀରେ ମୁଖ୍ୟ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ବିଦେଶ ମନ୍ତ୍ରାଳୟଙ୍କ ଅନୁସାରେ ଦୁଇଦିନରେ ଅନେକ ଉଚ୍ଚସ୍ତରୀୟ ଅଧିବେଶନ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସମ୍ମିଳନୀରେ ବୈଶ୍ୱିକ ଶାସନ, ବହୁପକ୍ଷବାଦ, ଆର୍ଥିକ ସହଯୋଗ ଓ ସତତ ବିକାଶ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇ ପାରେ ବୋଲି ଆଶା କରାଯାଉଛି।

ସେପ୍ଟେମ୍ବର ୧୨ରେ ହେବ କ’ଣ?
ସମ୍ମିଳନୀର ପ୍ରଥମ ଦିନ ଅର୍ଥାତ ୧୨ ସେପ୍ଟେମ୍ବର ଶନିବାର ବ୍ରିକ୍ସ ସଦସ୍ୟ ଦେଶଙ୍କ ଶୀର୍ଷ ନେତାଙ୍କ ଆଗମନ ଭାରତ ମଣ୍ଡପମକୁ ହେବ। ଏହା ପରେ ମଧ୍ୟାହ୍ନ ୨ଟା ୩୫ ମିନିଟ୍ ରେ ଏକ ବିଶେଷ ଅଧିବେଶନ ଅନୁଷ୍ଠିତ ହେବ। ଅପରାହ୍ନ ୪ଟା ୨୫ ମିନିଟ୍ ରେ ସବୁ ନେତାଙ୍କୁ ଭାରତ ଇନୋଭେଟିଭ ପ୍ରଦର୍ଶନୀ ବୁଲାଇ ଦେଖାଯିବ। ଅପାରହ୍ନ ୫ଟା ୫ ମିନିଟ୍ ରେ ନେତାମାନଙ୍କ ଗ୍ରୁପ ଫଟୋ ଉଠା ଓ ୫ଟା ୧୦ ମିନିଟ୍ ରେ ମିଳିତ ବୃକ୍ଷାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସମ୍ମିଳନୀ ପ୍ରଥମ ଦିନର ସମାପନ ପ୍ରଧାନମନ୍ତ୍ରୀଙ୍କ ଗାଲା ଡିନର ସହ ହେବ। ଏହି ରାତ୍ରି ଭୋଜ ସନ୍ଧ୍ୟା ସାଢେ ୭ଟା ବେଳେ ଭାରତ ମଣ୍ଡପମର ଲେବୁଲ-୩ରେ ଅନୁଷ୍ଠିତ ହେବ।

ସେପ୍ଟେମ୍ବର ୧୩ରେ ହେବ ବିକାଶ ନେଇ ଚର୍ଚ୍ଚା
ସମ୍ମିଳନୀର ଦ୍ୱିତୀୟ ଦିନ ଅର୍ଥାତ ୧୩ ସେପ୍ଟେମ୍ବର ରବିବାର ପୂର୍ବାହ୍ନ ୯ଟା ୫୫ ମିନିଟ୍ ରେ ବ୍ରିକସ୍ ଭାଗିଦାର ଓ ଆଉଟରିଚ୍ ଦେଶଙ୍କ ନେତା ଭାରତ ମଣ୍ଡପମ ପହଞ୍ଚିବେ। ଏହା ପରେ ପୂର୍ବାହ୍ନ ୧୦ଟା ୩୫ ମିନିଟ୍ ରେ ରାଷ୍ଟ୍ରମୁଖ୍ୟ ଓ ସରକାର ମୁଖ୍ୟଙ୍କ ଫ୍ୟାମିଲି ଫଟୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟା ୫୦ ମିନିଟ୍ ରେ ସମ୍ମିଳନୀର ଗୁରୁତ୍ୱପୂର୍ଣ୍ଣ ଓପନ ସେସନ ଅନୁଷ୍ଠିତ ହେବ। ଏହି ସମୟରେ ବ୍ରିକସ୍ ସଦସ୍ୟ ଦେଶଙ୍କ ସମେତ ଆମନ୍ତ୍ରିତ ଦେଶଙ୍କ ନେତା ବୈଶ୍ୱିକ ଆର୍ଥିକ ବିକାଶ ଓ ଏ ସମ୍ପର୍କିତ ଆହ୍ୱାନ ଉପରେ ବିଚାରବିମର୍ଷ ହେବ।

ବ୍ରିକସ୍ କୁ ପୁରିବ ୨୦ ବର୍ଷ
୨୦୨୬ ବ୍ରିକସ୍ ସମ୍ମିଳନୀ ଭାରତ ପାଇଁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହି ବର୍ଷ ବ୍ରିକସ୍ ସମୂହ ସ୍ଥାପନାର ୨୦ତମ ବର୍ଷିକ ପାଳନ କରିବେ। ଏହା ଛଡା ଭାରତ ଚତୁର୍ଥ ଥର ଦେଶରେ ବ୍ରିକସ୍ ସମ୍ମିଳନୀର ଆୟୋଜନ କରୁଛି। ଶିଖର ସମ୍ମିଳନୀରେ ବୈଶ୍ୱିକ ଶାସନ ବ୍ୟବସ୍ଥାରେ ସୁଧାର ଓ ବହୁପକ୍ଷବାଦକୁ ମଜଭୁତ କରିବା ପାଇଁ ବିଶେଷ ଧ୍ୟାନ ଦିଆଯିବ। ଏହା ଛଡା ବାଣିଜ୍ୟ, ବିତ୍ତ, ଟେକ୍ନୋଲଜି, ଉର୍ଜା ସୁରକ୍ଷା ଓ ସତତ ବିକାଶ କ୍ଷେତ୍ରରେ ସଦସ୍ୟ ଦେଶଙ୍କ ମଧ୍ୟରେ ସହଯୋଗ ବଢାଇବା ଉପରେ ମଧ୍ୟ ଚର୍ଚ୍ଚା ହେବ।