ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଗୁରୁବାର ପାଗ ଅଚାନକ କଡଲେଉଟେଇଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଦିଲ୍ଲୀ ସମେତ ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ ଓ ଉତ୍ତରାଖଣ୍ଡର ଅନେକ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ବିଭାଗ ଭୀଷଣ ଝଡ଼ତୋଫାନ ସହ ବଜ୍ରପାତ ଓ ବର୍ଷା ଚେତାବନୀ ଜାରି କରିଛି। ତେବେ ତା ପୂର୍ବରୁ ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ବର୍ଷା ଆରମ୍ଭ ହେବା ଅସହ୍ୟ ଗରମରେ ସନ୍ତୁଳି ହେଉଥିବା ଲୋକଙ୍କୁ ଆଶ୍ୱସ୍ତ କରିଛି। ତେବେ ସାବଧାନତା ଅବଲମ୍ବନ କରିବା ଏବେ ଜରୁରି ହୋଇଯାଇଛି। କାରଣ ଆଇଏମଡି ଝଡ଼ ସତର୍କତା ଜାରି କରିଛନ୍ତି।

ଆଇଏମଡିଙ୍କ ଅନୁସାରେ ଘଣ୍ଟାପ୍ରତି ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ। କେତେକ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୬୦ କିଲୋମିଟରକୁ ମଧ୍ୟ ପହଞ୍ଚି ଯାଇପାରେ। ଉତ୍ତରପ୍ରଦେଶର ଅଲିଗଡ଼, ଝାଁସି, ମୋହବା ଓ ମଥୁରା ଲାଗି ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହିପରି ଆଗରା, ଗୌତମ ବୁଦ୍ଧ ନଗର, ହମୀରପୁର ଓ ହାଥରସ ଲାଗି ମଧ୍ୟ ଝଡ଼ତୋଫାନ ସହ ବର୍ଷା ଚେତାବନୀ ଜାରି ହୋଇଛି।

ସେହିପରି ଦିଲ୍ଲୀର ସବୁ ଜିଲ୍ଲା ଯେପରି ସେଣ୍ଟ୍ରାଲ ଦିଲ୍ଲୀ, ପୂର୍ବ ଦିଲ୍ଲୀ, ନ୍ୟୁ ଦିଲ୍ଲୀ, ଉତ୍ତର ଦିଲ୍ଲୀ, ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ, ସାହଦରା, ସାଉଥ, ସାଉଥ ଇଷ୍ଟ, ସାଉଥ ୱେଷ୍ଟ ଓ ୱେଷ୍ଟ ଦିଲ୍ଲୀଲାଗି ମଧ୍ୟ ଅରେଞ୍ଜା ଆଲର୍ଟ ଜାରି ହୋଇଛି। ପାଣିପାଗ ବିଭାଗ ଅନୁସାରେ ଦିଲ୍ଲୀ ଏନସିଆରରେ ସନ୍ଧ୍ୟା ସାଢେ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଧୂଳି ଝଡ଼ ହୋଇପାରେ। ଏହି ସମୟରେ ରାଜଧାନୀରେ ପବନର ବେଗ ୪୦ରୁ ୯୦ କିଲୋମିଟର ପ୍ରତିଘଣ୍ଟା ପହଞ୍ଚିବାର ଅନୁମାନ କରାଯାଇଛି। ପାଣିପାଗରେ ଏପରି ପରିବର୍ତ୍ତନ ଯୋଗୁ ବିଭିନ୍ନ ସ୍ଥାନରେ ତାପମାତ୍ରା ୭ରୁ ୧୦ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ଏଣୁ ଲୋକେ ଗରମରୁ ଆଶ୍ୱସ୍ତି ପାଇ ପାରନ୍ତି।