ନୂଆଦିଲ୍ଲୀ: ଦିଲ୍ଲୀରେ ହେଉଥିବା ମୂଷଳଧାରା ବର୍ଷା ମଧ୍ୟରେ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ଚାରି ମହଲା କୋଠା ଅଚାନକ ଭୁଶୁଡ଼ି ପଡ଼ିଛି। ଘଟଣାରେ ଅତଡ଼ା ତଳେ ଅନେକ ଫସି ରହିଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣା ସତ୍ୟ ନିକେତନ ସ୍ଥିତ ଶିବ ମନ୍ଦିର ନିକଟରେ ଘଟିଛି। ଦୁର୍ଘଟଣାର ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀର ୧୨ଟି ଗାଡ଼ି ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଦିଲ୍ଲୀ ପୋଲିସ ଅନୁଯାୟୀ, ରବିବାର ଅପରାହ୍ଣ ୧ଟା ୩୪ରେ କୋଠା ଭୁଶୁଡ଼ିବାର ଖବର ମିଳିଥିଲା। ବର୍ତ୍ତମାନ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଓ ଅନ୍ୟ ଜରୁରୀକାଳୀନ ଏଜେନ୍ସି ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏନଡିଆରଏଫ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନ ଚଳାଇଛି। ତେବେ ମାଟି ତଳେ କେତେ ଲୋକ ଚାପି ହୋଇ ରହିଛନ୍ତି ତାହା ସ୍ପଷ୍ଟ ଜଣା ପଡ଼ିନି।

Also Read: ଯୌନ କେଳେଙ୍କାରୀରେ JNU ପ୍ରଫେସର, ୧୦ ଛାତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ

ପ୍ରାଥମିକ ସୂଚନା ଅନୁଯାୟୀ, ଉଦ୍ଧାରକାରୀ ଦଳ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାଟିତଳୁ ୨ ରୁ ୩ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିସାରିଛନ୍ତି। ତେବେ ଆଉ କେତେ ଜଣ ଲୋକ ମାଟି ତଳେ ଫସି ରହିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ପ୍ରବଳ ବର୍ଷା ସତ୍ତ୍ୱେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଉଛି।

ବର୍ଷା ସାଜିଛି କାଳ

ଦିଲ୍ଲୀରେ ଗତ କିଛି ଦିନ ହେବ କ୍ରମାଗତ ଭାବେ ହେଉଥିବା ପ୍ରବଳ ବର୍ଷା ଯୋଗୁଁ ଅନେକ ପୁରୁଣା ଓ ଦୁର୍ବଳ କୋଠାବାଡ଼ି ବିପଦପୂର୍ଣ୍ଣ ସ୍ଥିତିରେ ରହିଛି। ସତ୍ୟ ନିକେତନର ଏହି କୋଠାଟି କେଉଁ କାରଣରୁ ଭୁଶୁଡ଼ିଲା, ସେ ନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।