ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୧୦ ଅକ୍ଟୋବର କକ୍ରୋଚ ଜନତା ପାର୍ଟି ଆନ୍ଦୋଳନ ପାଇଁ ଦିଲ୍ଲୀ ମେଟ୍ରୋର ଟ୍ରେନ ଚଳାଚଳ ସ୍ୱଭାବିକ ଥିଲା କୌଣସି ଟ୍ରେନ ବାତିଲ ହୋଇନାହିଁ। ଏହି ଜବାବ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ (ଡିଏମଆରସି) ବୁଧବାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଛି। ତେବେ ସେଦିନ ଜାତୀୟ ରାଜଧାନୀରେ ବିରୋଧ ପ୍ରଦର୍ଶନ ଲାଗି ୪୫ ମେଟ୍ରୋ ଷ୍ଟେସନର ଏଣ୍ଟ୍ରି-ଏଗଜିଟ୍ ବନ୍ଦ ଥିଲା। ସୁପ୍ରିମକୋର୍ଟରେ ଦାଖଲ ଜବାବରେ ମେଟ୍ରୋ ଅପରେସନର ମୋଟ ସଂଖ୍ୟାରେ କୌଣସି କାଣ୍ଟଛାଣ୍ଟ ହୋଇନଥିବା ଅଥବା ନମ୍ବର ଅଫ ଟର୍ଣ୍ଣରେ କୌଣିସ ହ୍ରାସ ହୋଇନି।

ଡିଏମଆରସି କହିଛି ଯେ ପୁରା ମେଟ୍ରୋ ନେଟୱାର୍କରେ ୩୦୩ଟି ଷ୍ଟେସନ ରହିଛି। ଏଥିରେ କେବଳ ୪୫ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ବନ୍ଦ ରଖାଯାଇଥିଲା। ଏହି ସମୟରେ ୮୫ ପ୍ରତିଶତରୁ ଅଧିକ ଭାଗ (୨୫୮ ଷ୍ଟେସନ) ଯାତ୍ରୀଙ୍କ ଲାଗି ସମ୍ପୂର୍ଣ୍ଣ ସକ୍ରିୟ ଥିଲା। ତେବେ ଆଇନ ପ୍ରବର୍ତ୍ତନ ଏଜେନ୍ସୀଙ୍କ ଆକଳନ ଅନୁସାରେ ଓ ସେମାନଙ୍କ ନିର୍ଦ୍ଦେଶାନୁସାର ୪୫ ଷ୍ଟେସନର ଏଣ୍ଟ୍ରି ଓ ଏଗଜିଟ୍ ରେ କଟକଣା ଥିଲା। ଡିଏମଆରସି କହିଛନ୍ତି ଯେ ଅକ୍ଟୋବର ୧୦ ତାରିଖ ଦିନ ମେଟ୍ରୋରେ ଯାତ୍ରା କରିଥିବା ଯାତ୍ରୀଙ୍କ ସଂଖ୍ୟା ପାଖାପାଖି ୩୨ ଲକ୍ଷ ଥିଲା। ସାଧାରଣତଃ ସେକେଣ୍ଡ ସଟର ଡେରେ ପାଖାପାଖି ୫୮ ଲକ୍ଷ ଯାତ୍ରୀ ମେଟ୍ରୋରେ ଯାତ୍ରା କରିଥାନ୍ତି।

ମେଟ୍ରୋ ରେଳ କର୍ପୋରେସନ ଏହି ଆଫିଡେଭିଟ ସୁପ୍ରିମକୋର୍ଟଙ୍କ ୯ ଅକ୍ଟୋବର ଆଦେଶ ଅନୁସାରେ ଦାଖଲ କରିଛି। ଜାତୀୟ ରାଜଧାନୀରେ ଅକ୍ଟୋବର ୧୦ ବିରୋଧ ପ୍ରଦର୍ଶନ ଦୃଷ୍ଟିରୁ ବିଭିନ୍ନ ମେଟ୍ରୋ ଷ୍ଟେସନକୁ ବନ୍ଦ କରିବା ଓ ଦିଲ୍ଲୀ ଆସୁଥିବା ଟ୍ରେନ ବାତିଲ କରାଯିବା ବିରୋଧରେ ରୁଜୁ ଏକ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ଆସୁଥିବା ଟ୍ରୋନ ଓ ମେଟ୍ରୋ ଯାତାୟାତ ଯେପରି ସ୍ୱଭାବିକ ରହେ ସୁନିଶ୍ଚିତ କରିବାକୁ କହିଥିଲେ। କୋର୍ଟ କହିଥିଲେ ଯେ ଦିଲ୍ଲୀ ଯାତାୟାତ କରୁଥିବା ଟ୍ରେନ ଓ ମେଟ୍ରୋ ଯାତାୟାତ ଉପରେ ଯେପରି ‘ପୂର୍ଣ୍ଣ କଟକଣା’ ନ ରହେ।

ଏ ନେଇ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଡିଏମଆରସି ଓ ଅନ୍ୟ ପକ୍ଷଙ୍କୁ ଅନୁପାଳନ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।