ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତରମନ୍ତରରେ ଚାଲିଛି ଜୋରଦାର ବିକ୍ଷୋଭ ପ୍ରଦର୍ଶନ। ହଜାର ହଜାର ପ୍ରଦର୍ଶନକାରୀ ଏକାଠି ହୋଇଥିବାବେଳେ ଆନ୍ଦୋଳନ ସ୍ଥଳର ଏକ ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେଲାଗିଛି। ଜଣେ ଯୁବତୀ ହଠାତ୍ ଏକ ପୋଲିସ ବସ୍ ଆଗରେ ଠିଆ ହୋଇଯାଇଥିଲେ ଏବଂ ବସର ବନେଟ୍ ଉପରେ ହାତ ରଖି ଭିତରେ ଥିବା ଅଟକ ଆନ୍ଦୋଳନକାରିଙ୍କୁ ମୁକ୍ତ ନ କଲେ ଗାଡ଼ି ଆଗକୁ ବଢ଼ିବ ନାହିଁ ବୋଲି ଜିଦ୍ ଧରିଥିଲେ। ଏହି ଘଟଣା ଦେଖିବା ପରେ ସୋସିଆଲ ମିଡ଼ିଆରେ ଲୋକେ ଏହାକୁ ଚଳିତ ବର୍ଷ ମୁମ୍ବାଇରେ ଛାତ୍ର ଆନ୍ଦୋଳନ ସମୟରେ ପୋଲିସ ଗାଡ଼ି ଅଟକାଇ ଭାଇରାଲ ହୋଇଥିବା ମଡେଲ୍ ରିୟା ଆହିରଙ୍କ ସହ ତୁଳନା କରିବା ଆରମ୍ଭ କରିଦେଇଛନ୍ତି।

ଶୁକ୍ରବାର କେନ୍ଦ୍ରୀୟ ଦିଲ୍ଲୀରେ ଏହି ପ୍ରତିବାଦ ସମୟରେ, ଆପ୍ ଏବଂ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏସଆଇଆର୍ ଅନିୟମିତତା ଏବଂ ବ୍ୟାପକ ଭୋଟରଙ୍କ ନାମ କାଟିବା ଅଭିଯୋଗ ଆଣି ସିଇସିଙ୍କ ଇସ୍ତଫା ଦାବି କରିଥିଲେ। ଦେଶବ୍ୟାପୀ ଏହି ଏସଆଇଆର୍ ଅଭିଯାନ ମଧ୍ୟରେ ଏ ପର୍ଯ୍ୟନ୍ତ ପ୍ରାୟ ୧୩.୩ କୋଟି ଭୋଟରଙ୍କ ନାମ ତାଲିକାରୁ ବାଦ ପଡ଼ିଥିବା ଜଣାପଡ଼ିଛି। ନିର୍ବାଚନ ଆୟୋଗ ଭିତରେ ଥିବା ଆଭ୍ୟନ୍ତରୀଣ ମତଭେଦକୁ ନେଇ ଏକ ଗଣମାଧ୍ୟମ ରିପୋର୍ଟ ସାମ୍ନାକୁ ଆସିବା ପରେ ବିରୋଧୀମାନେ ଏହି ପ୍ରତିବାଦକୁ ଜୋରଦାର କରିଥିଲେ।

Also Read: SIR ବିବାଦ ମଧ୍ୟରେ ନିର୍ବାଚନ ଆୟୋଗଙ୍କ ବଡ଼ ନିଷ୍ପତ୍ତି, UP ଓ ବେଙ୍ଗଲ ସମେତ ୨୦ ରାଜ୍ୟରେ ଚାଲିବ ଭୋଟରଙ୍କ ଲାଗି ବିଶେଷ ଅଭିଯାନ

ଜନ୍ତରମନ୍ତରରେ କ'ଣ ଘଟିଥିଲା ?

ଜନ୍ତରମନ୍ତରରେ ଚାଲିଥିବା ଏହି ଆନ୍ଦୋଳନ ସମୟରେ ସ୍ଥିତି ବିଗିଡ଼ିବାକୁ ଯାଉଥିଲା, ଯେଉଁଥିରେ ଦିଲ୍ଲୀ ପୋଲିସ ରାଜନୈତିକ ନେତା ଏବଂ କର୍ମକର୍ତ୍ତାଙ୍କ ସମେତ ପ୍ରାୟ ୧,୦୦୦ ଲୋକଙ୍କୁ ଅଟକ ରଖିଥିଲା। ଅଟକ ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଆପରର ଦିଲ୍ଲୀୟ ମୁଖ୍ୟ ସୌରଭ ଭରଦ୍ୱାଜ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମଧ୍ୟ ସାମିଲ ଥିଲେ।

ତେବେ ଏହି ହାଙ୍ଗାମା ମଧ୍ୟରେ, ଅଟକ ବିକ୍ଷୋଭକାରୀଙ୍କୁ ନେଇଯାଉଥିବା ବସକୁ ଅଟକାଇଥିବା ସେହି ଯୁବତୀ ଜଣଙ୍କ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଭିଡିଓରେ ଦେଖିବାକୁ ମିଳିଛି ଯେ, ପୋଲିସ ବାରମ୍ବାର ହଟିବାକୁ କହିଲେ ମଧ୍ୟ ସେ ବସ୍ ଆଗରୁ ହଟି ନଥିଲେ ଏବଂ ଅଫିସରମାନଙ୍କ ସହ ଯୁକ୍ତିତର୍କ କରିଥିଲେ।

Also Read: ୧୯୮ ନାମ କାଟିବାକୁ କହିଥିଲେ ବିଜେପି ନେତା, BLO ଦେଲେ ଏଫଆଇଆର୍

କିଏ ଏହି ରିୟା ଆହିର ?

ଏହି ଦୃଶ୍ୟଟି ମୁମ୍ବାଇର ଏକ ପୁରୁଣା ଘଟଣାକୁ ମନେ ପକାଇ ଦେଇଛି, ଯେତେବେଳେ ଜୁଲାଇ ମାସରେ ଶିବାଜୀ ପାର୍କରେ ଚାଲିଥିବା ଏକ ଆନ୍ଦୋଳନ ସମୟରେ ବର୍ଷାରେ ଭିଜି ଭିଜି ଜଣେ ଯୁବତୀ ଅଟକ ଛାତ୍ରଙ୍କୁ ନେଇଯାଉଥିବା ପୋଲିସ ଭ୍ୟାନ୍ ଆଗରେ ଠିଆ ହୋଇଯାଇଥିଲେ। ସେହି ଫଟୋଟି ମୁମ୍ବାଇ ଛାତ୍ର ଆନ୍ଦୋଳନର ମୁଖ୍ୟ ଚେହେରା ପାଲଟିଥିଲା। ପରେ ସେହି ଯୁବତୀ ଜଣଙ୍କ ମୁମ୍ବାଇର ଥିଏଟର୍ ଅଭିନେତ୍ରୀ ତଥା ମଡେଲ୍ ରିୟା ଆହିର ବୋଲି ପରିଚୟ ମିଳିଥିଲା ଏବଂ କିଛି ଦିନ ଭିତରେ ସେ ଗଣମାଧ୍ୟମ ଏବଂ ରାଜନୈତିକ ବଳୟରେ ଚର୍ଚ୍ଚାର ବିଷୟ ହୋଇଯାଇଥିଲେ।