• ପୁରୁଣା ଭୋଟରଙ୍କ ସନ୍ଧାନ ଓ ନୂଆ ଭୋଟରଙ୍କ ନାମ ସୂଚୀରେ ଯୋଡିବା ଲାଗି ଦେଶରେ ବିଶେଷ ଅଭିଯାନ ଆରମ୍ଭ ହୋଇଯାଇଛି
  • ପ୍ରତ୍ୟେକ ବିଏଲଓଙ୍କୁ ସପ୍ତାହକରେ ଅନୁନ୍ୟ ୨୦ରୁ ୨୫ଟି ଘରକୁ ପହଞ୍ଚିବାକୁ ଲକ୍ଷ୍ୟ ଦିଆଯାଇଛି
  • ଭୁଲ କ୍ରମେ କାହାର ନାମ ହଟି ଯାଇଥାଏ ତେବେ ସେମାନଙ୍କର ପୁଣି ଥରେ ‘ଫର୍ମ-୬’ ନୂଆ କରି ପୂରଣ କରାଯିବ

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)କୁ ନେଇ ଜାରି ବିବାଦ ଓ ଆନ୍ଦୋଳନ ମଧ୍ୟରେ ନିର୍ବାଚନ ଆୟୋଗ ପୁଣି ଥରେ ସେହି ଭୋଟରଙ୍କ ନାମକୁ ସେମାନଙ୍କ ଘରକୁ ଯାଇ ଯାଞ୍ଚ କରିବେ ଯେଉଁମାନଙ୍କ ନାମ ଚୂଡ଼ାନ୍ତ ଭୋଟର ତାଲିକାରୁ କଟି ଯାଇଛି। ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସହିତ ଦେଶର ଏପରି ସବୁ ୨୦ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କରେ ଛାଡିଯାଇଥିବା  ପୁରୁଣା ଭୋଟରଙ୍କ ସନ୍ଧାନ ଓ ନୂଆ ଭୋଟରଙ୍କ ନାମ ସୂଚୀରେ ଯୋଡିବା ଲାଗି ଦେଶରେ ବିଶେଷ ଅଭିଯାନ ଆରମ୍ଭ ହୋଇଯାଇଛି।

ଏଥିରେ ବୁଥ ଲେବଲ ଅଫିସର (ବିଏଲଓ) ଲୋକଙ୍କ ଘରକୁ ଘର ବୁଲି ଭୋଟର ଲିଷ୍ଟର ଯାଞ୍ଚ କରିବେ, ଏହା ସହିତ ସେମାନେ ଭୋଟର ପଞ୍ଜିକରଣ ଅଧିକାରୀ (ଇଆରଓ)ଙ୍କୁ ଏହାର ରିପୋର୍ଟ ଦେବେ। ଲୋକଙ୍କ ନାମ ଯୋଡିବାକୁ ଇଆରଓ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଆୟୋଗ ରାଜ୍ୟଙ୍କୁ ଦିଆଯାଇଥିବା ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ଯେ ଏହି କାମକୁ ମାସକରେ ଶେଷ କରାଯାଉ। ଏଣୁ ପ୍ରତ୍ୟେକ ବିଏଲଓଙ୍କୁ ସପ୍ତାହକରେ ଅନୁନ୍ୟ ୨୦ରୁ ୨୫ଟି ଘରକୁ ପହଞ୍ଚିବାକୁ ଲକ୍ଷ୍ୟ ଦିଆଯାଇଛି। ତେବେ ଏହା ପୂର୍ବରୁ ଆୟୋଗ ସବୁ ବିଏଲଓଙ୍କୁ ଏସଆଇଆର ପୂର୍ବର ଓ ଏସଆଇଆର ପରର ଚୂଡ଼ାନ୍ତ ଭୋଟର ଲିଷ୍ଟକୁ ମିଶାଇ ଯେଉଁ ଭୋଟରଙ୍କ ନାମ କଟି ଯାଇଛି ତାର ଏକ ତାଲିକା କରିବାକୁ କହିଛନ୍ତି। ପରେ ଏହି ସୂଚୀ ଆଧାରରେ ଲୋକଙ୍କ ଘରକୁ ଘର ଯାଇ ବାଦ ପଡିଥିବା ଅଥବା କଟି ଯାଇଥିବା ଭୋଟରଙ୍କ ଯାଞ୍ଚ କରିବେ।

ଏଥିରେ ଯଦି ଭୁଲ କ୍ରମେ କାହାର ନାମ ହଟି ଯାଇଥାଏ ତେବେ ସେମାନଙ୍କର ପୁଣି ଥରେ ‘ଫର୍ମ-୬’ ନୂଆ କରି ପୂରଣ କରାଯିବ, ଯାହାଦ୍ୱାରା ସେମାନଙ୍କୁ ଭୋଟର ଲିଷ୍ଟରେ ସ୍ଥାନିତ କରିହେବ। ଏହି ସୂଚୀ ରାଜନୈତିକ ଦଳଙ୍କ ସମ୍ପର୍କିତ ବୁଥ ଲେବୁଲ ଏଜେଣ୍ଟ (ବିଏଲଏ)ଙ୍କ ସହ ମେଳ କରାଯିବ। ଯେପରି କୌଣସି ନାମକୁ ନେଇ କାହାର ଆପତ୍ତି ନଥାଏ, ଯଦି ବା ଆପତ୍ତି ଉଠେ ତେବେ ତାକୁ ତୁରନ୍ତ ଦୂର କରିଦିଆଯିବ। ଏହି ନୂଆ ନାମ ଯୋଡିବାର କାମ ଜନପ୍ରତିନିଧି ଆଇନ ୧୯୫୦ ଓ ଭୋଟର ପଞ୍ଜିକରଣ ଆଇନ ୧୯୬୦ଅନୁସାରେ କରାଯିବ।

ଏହା ସହିତ ଆୟୋଗ ରାଜ୍ୟମାନଙ୍କ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଙ୍କୁ ରେନ ବସେରା, ଲେବର କଲୋନୀରେ ରହୁଥିବା ବାସହୀନ ଲୋକଙ୍କ ନାମକୁ ମଧ୍ୟ ଭୋଟର ଲିଷ୍ଟରେ ଯୋଡିବା ଲାଗି ସ୍ୱତନ୍ତ୍ର କ୍ୟାମ୍ପ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଜଡିତ ଗତିବିଦ୍ଧି ରିପୋର୍ଟ ନିୟମିତ ରୂପେ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଭୋଟର ଲିଷ୍ଟରୁ ଏ ପର୍ଯ୍ୟନ୍ତ ଏସଆଇଆର କାଳରେ ୧୩ କୋଟି ଭୋଟରଙ୍କ ନାମ କାଟିଦିଆଯାଇଛି। ଏମାନଙ୍କ ମଧ୍ୟରୁ ୨.୮ କୋଟି ମୃତ ଭୋଟର ଥିବା ବେଳେ ୬.୩କୋଟି ସ୍ଥାୟୀ ରୂପେ ସ୍ଥାନାନ୍ତରିତ, ୩ କୋଟି ଅନୁପସ୍ଥିତ ଅଥବା ସେମାନଙ୍କ ସୂଚନା ମିଳି ପାରିନାହିଁ ଓ୧ କୋଟି ନକଲୀ ଭୋଟର ଅଛନ୍ତି। ଏଥିରେ ସବୁଠୁ ଅଧିକ ୨.୦୭କୋଟି ଭୋଟରଙ୍କ ନାମ କେବଳ ମହାରାଷ୍ଟ୍ରରୁ କଟିଛି।