ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ପରୀକ୍ଷା ସଂସ୍କାର ସମ୍ପର୍କିତ ଉଚ୍ଚ କ୍ଷମତା ସମ୍ପନ୍ନ ଟାସ୍କ ଫୋର୍ସର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ସମାନ ଯୋଗ୍ୟତା, ବିଷୟ ତଥା ଦାୟିତ୍ୱ ଆବଶ୍ୟକ କରୁଥିବା ବିଭିନ୍ନ ବିଭାଗର ପଦବୀଗୁଡ଼ିକରେ ନିଯୁକ୍ତି ପାଇଁ ଗୋଟିଏ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ସହିତ ଏକ ସୁବ୍ୟବସ୍ଥିତ ବାର୍ଷିକ ନିଯୁକ୍ତି ପ୍ରକ୍ରିୟା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

  • ପରୀକ୍ଷା ସଂସ୍କାର ସମ୍ପର୍କିତ ଉଚ୍ଚକ୍ଷମତା ସମ୍ପନ୍ନ ଟାସ୍କ ଫୋର୍ସର ସଦସ୍ୟଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
  • ସମାନ ଯୋଗ୍ୟତା ଓ ଦାୟିତ୍ୱ ଆବଶ୍ୟକ କରୁଥିବା ପଦବୀ ପାଇଁ ଗୋଟିଏ ପରୀକ୍ଷା କରିବାକୁ ପ୍ରସ୍ତାବ

ସୂଚନାଯୋଗ୍ୟ ଯେ, ବିଭିନ୍ନ ପରୀକ୍ଷା- ସ୍କୁଲ୍ ବୋର୍ଡ ଠାରୁ ଆରମ୍ଭ କରି ଇଞ୍ଜିନିୟରିଙ୍ଗ୍ ଓ ମେଡିକାଲ ଆଦି ପ୍ରବେଶିକା ପରୀକ୍ଷା ଓ ବିଭିନ୍ନ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷାରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କଫୋର୍ସ ଗଠନ କରିଛନ୍ତି । ଏହି କମିଟି ବିଭିନ୍ନ ରାଜ୍ୟକୁ ଯାଇ ପରୀକ୍ଷା ସମ୍ପର୍କିତ ସଂସ୍କାର ପାଇଁ ପ୍ରସ୍ତାବ ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଟାସ୍କଫୋର୍ସର ପ୍ରତିନିଧିମାନେ ବୁଧବାର ଓଡ଼ିଶା ଆସି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଆମର ଏକମାତ୍ର ଲକ୍ଷ୍ୟ ହେଉଛି, ଛାତ୍ର ଓ ଯୁବକମାନଙ୍କ ପାଇଁ ଏକ ନିରପେକ୍ଷ, ସମୟବଦ୍ଧ ଓ ବିଶ୍ୱସନୀୟ ନିଯୁକ୍ତି ପ୍ରକ୍ରିୟା ପ୍ରଦାନ କରିବା । ତେଣୁ, ସମସ୍ତ ପରୀକ୍ଷାଗୁଡ଼ିକୁ ସମୟବଦ୍ଧ ଭାବେ ଏବଂ ସ୍ୱଚ୍ଛତାର ସହିତ ଆୟୋଜିତ କରିବା ଏବଂ ଫଳାଫଳକୁ ତୁରନ୍ତ ଘୋଷଣା କରିବା ଅତ୍ୟନ୍ତ ଆବଶ୍ୟକ ।‘