ନୂଆଦିଲ୍ଲୀ: ଜନ୍ମାଷ୍ଟମୀ ଅବସରରେ ଶୁକ୍ରବାର ଦିଲ୍ଲୀ ଏନସିଆରରେ ପାଗ ବିଗିଡି ଯାଇଛି। ମଧ୍ୟାହ୍ନରୁ ଆରମ୍ଭ ହୋଇଥିବା ବର୍ଷା ଛାଡିବାର ନାଁ ନେଉନି। ଫଳରେ ଦିଲ୍ଲୀ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ(ଆଇଜିଆଇ) ବିମାନ ବନ୍ଦରର ଟର୍ମିନାଲ-୩ରେ ପାଣି ଭରି ଯାଇଛି। ପାଗ ଖରାପ ଯୋଗୁ ଦିଲ୍ଲୀ ଏୟାରପୋର୍ଟ ପାଖାପାଖି ୯ଟି ଉଡାଣ ଡାଇଭର୍ଟ କରିଛି। ଏହା ଛଡା ୪୦୦ରୁ ଅଧିକ ଉଡାଣ ବିଳମ୍ବରେ ସଞ୍ଚାଳିତ ହୋଇଛି। ଏୟାରପୋର୍ଟ ଟର୍ମିନାଲ ୩ର ଫୋରକୋର୍ଟରେ ପାଣି ଭରିଯିବା ଯୋଗୁ ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।

ଜୟପୁର,ଲକ୍ଷ୍ନୌ ଓ ଅହମଦାବାଦ ଡାଇଭର୍ଟ ହେଲା ବିମାନ
ବିମାନବନ୍ଦର ଅଧିକାରୀଙ୍କ ଅନୁସାରେ ଶୁକ୍ରବାର ଅପରାହ୍ନ ୩ଟା ୩୦ ମିନିଟ୍ ରୁ ୪ଟା ୩୦ ମିନିଟ୍ ମଧ୍ୟରେ ପାଗ ଖରାପ ରହିବାରୁ ୯ଟି ଉଡାଣର ଦିଗ ବଦଳାଇବାକୁ ପଡିଥିଲା। ଏଥିରୁ ୪ଟି ଉଡାଣକୁ ଜୟପୁର ଓ ୪ଟିକୁ ଲକ୍ଷ୍ନୌ ପଠାଯାଇଥିଲା। ଆଉଗୋଟିଏ ଉଡାଣକୁ ଅହମଦାବଦ ଡାଇଭର୍ଟ କରାଯାଇଛି। ଭୀଷଣ ବର୍ଷା ଓ ଖରାପ ପାଗ କାରଣରୁ ଦିଲ୍ଲୀ ଏୟାରପୋର୍ଟରେ ଉଡାଣ ସଞ୍ଚାଳନ ପ୍ରଭାବିତ ହୋଇଛି। ଫ୍ଲାଇଟ ଟ୍ରାକିଙ୍ଗ ୱେବସାଇଟ ଫ୍ଲାଇଟ ରାଡାର ୨୪ରୁ ଉପଲବ୍ଧ ତଥ୍ୟ ଅନୁସାରେ ଶୁକ୍ରବାର ୪୦୦ରୁ ଅଧିକ ଉଡାଣ ବିଳମ୍ବିତ ହୋଇଛି।

ଦିଲ୍ଲୀ ଏନସିଆରରେ ଅରେଞ୍ଜ ଆଲର୍ଟ
ପାଣିପାଗ ବିଭାଗ ଦିଲ୍ଲୀ ଏନସିଆର ଲାଗି ଅରେଞ୍ଜ ଆଲର୍ଟ ଜାରି କରିଛି। ଦିଲ୍ଲୀ, ନୋୟେଡା, ଗାଜିୟାବାଦ, ଗୁରୁଗ୍ରାମ ଓ ଫରିଦାବାଦରେ ବର୍ଷା ସହିତ ଘଡ଼ଘଡ଼ି ଓ ବିଜୁଳି ଆଲର୍ଟ ଜାରି ହୋଇଛି। ଆଗାମୀ ୩ ଘଣ୍ଟାରେ ରାଜଧାନୀ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ମଧ୍ୟମ ବର୍ଷା ଓ କିଛି ସ୍ଥାନରେ ୫୦ରୁ ୧୦୦ ମିଲିମିଟର ପର୍ଯ୍ୟନ୍ତ ଭୀଷଣ ବର୍ଷା ହେବାର ଅନୁମାନ କରାଯାଇଛି। ଏହି ସମୟରେ ଘଡ଼ଘଡ଼ି ବିଜୁଳି ସହ ୬୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ।