ନୂଆଦିଲ୍ଲୀ: ଦିଲ୍ଲୀ ମାଲବ୍ୟ ନଗର ହୋଟେଲ ଅଗ୍ନିକାଣ୍ଡ ସାରା ଦେଶକୁ ସ୍ତବ୍ଦ କରିଦେଇଛି। ଏହି ମର୍ମନ୍ତୁଦ ଅଗ୍ନିକାଣ୍ଡରେ ୨୧ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ କିଛି ଲୋକେ ଆହତ ହୋଇଛନ୍ତି। ଘଟଣା ପରେ ପୋଲିସ ଓ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଏହି କ୍ରମରେ ହୋଟେଲ ମାଲିକ ଲଭକେସ ବଜାଜଙ୍କୁ ପୋଲିସ ଅଟକ କରିଛି। ଏହା ପୂର୍ବରୁ ପୋଲିସ ବଜାଜ ଓ ତାଙ୍କ ପତ୍ନୀଙ୍କ ଲାଗି ଲୁକଆଉଟ୍ ସର୍କୁଲାର ଜାରି କରିଥିଲା, ଯେପରି ସେମାନେ ଦେଶ ଛାଡି ଫେରାର ନ ହୋଇ ପାରନ୍ତି।

ସୂଚନା ଅନୁସାରେ ମାଲବ୍ୟ ନଗର ହୌଜରାନୀ କ୍ଷେତ୍ରରେ ଥିବା ‘ଲେମନ ଗ୍ରୀନ’ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ବୁଧବାର ସକାଳେ ଅଚାନକ ନିଆଁ ଲାଗିଯାଇଥିଲା। ନିଆଁ ଏପରି ଭାବେ ଲାଗିଥିଲା ଯେ ଭିତରେ ଥିବା ଲୋକେ ବାହାରକୁ ବାହାରି ପାରିନଥିଲେ। ଆଖି ପିଛୁଳାକେ ପୁରା ପରିସରକୁ ନିଆଁ ଘେରିଯାଇଥିଲା। ଘଟଣାର ସୂଚନା ମିଳିବାମାତ୍ରେ ଦମକଳ ବିଭାଗ, ଦିଲ୍ଲୀପୋଲିସ, ଆମ୍ବୁଲାନ୍ସ ଓ ଅନ୍ୟ ସହାୟତାକାରୀ ସଂସ୍ଥା ଘଟଣାସ୍ଥଳକୁ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ଅଭିଯାନ ଚଳାଇ ଭିତରେ ଫଶିଥିବା ଲୋକଙ୍କୁ ବାହାର କରିଥିଲେ।

ଏହି ଦୁର୍ଘଟଣାକୁ ନେଇ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ଆସିବାରେ ଲାଗିଛି। ଆମ ଆଦମୀ ପାର୍ଟି ସୁରକ୍ଷା ବ୍ୟବସ୍ଥା ଓ ଅଗ୍ନିସୁରକ୍ଷା  ମାନଦଣ୍ଡକୁ ନେଇ ପ୍ରଶ୍ନ କରିଥିବା ବେଳେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ନିମନ୍ତେ ଦାବି କରିଛି। ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘଟଣାକୁ ନେଇ ଦୁଃଖ ବ୍ୟକ୍ତ କରିଥିବା ବେଳେ କହିଛନ୍ତି ଯେ ଉଦ୍ଧାର ଅଭିଯାନ ତୁରନ୍ତ ଆରମ୍ଭ କରାଯାଇଥିଲା। ଏବେ ପୋଲିସ ହୋଟେଲରେ ନିଆଁ ଲାଗିବାର କାରଣ ଯାଞ୍ଚ କରୁଛି। ଏହା ସହିତ ହୋଟେଲରେ ସୁରକ୍ଷା ନିୟମର ପାଳନ ହେଉଥିଲା କି ନା ତାହାର ମଧ୍ୟ ଯାଞ୍ଚ  ହେଉଛି। ହୋଟେଲ ମାଲିକଙ୍କୁ ଅଟକ କରାଯିବା ପରେ ମାମଲାର ଯାଞ୍ଚ ତ୍ୱାରାନ୍ୱିତ ହୋଇଛି। ଏହି ଘଟଣା ପୁଣି ଥରେ ସାର୍ବଜନିକ ସ୍ଥଳରେ ଅଗ୍ନି ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନବାଚୀ ଲଗାଇଛି।