ଛତ୍ରପୁର ୨୬।୭: ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ସମୁଦ୍ର ଅଶାନ୍ତ । ମତ୍ସ୍ୟଜୀବୀଙ୍କୁ ତିନି ଦିନ ସମୁଦ୍ର ବାରଣ । ଏହା ସତ୍ତ୍ବେ ମାନିଲେନି କିଛି ଅମାନିଆ ଡ଼ଙ୍ଗା ଚାଳକ । ମାନିଲେ ନାହିଁ କଟକଣା । ମାଛ ଧରିବା ପାଇଁ ସମୁଦ୍ରକୁ ଗଲେ । ଅଘଟଣ ଘଟିଲେ କିଏ ରହିବ ଦାୟୀ ? ସମୁଦ୍ରକୁ ଗଲେ ଚୁଲି ଜଳେ ବୋଲି ଓଲଟା କହିଲେ ମତ୍ସ୍ୟଜୀବୀ ।

ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟରେ ବ୍ୟାପକ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପବନର ବେଗ ମଧ୍ୟ ଅଧିକ ରହିବ ଫଳରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ୨୫ରୁ ୨୭ ତାରିଖ ୩ ଦିନ ପର୍ଯ୍ୟନ୍ତ ସମୁଦ୍ର ନ ଯିବାକୁ ବାରଣ କରାଯାଇଛି । ଏସଆରସିଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ସାଗର ମିତ୍ର ମାନଙ୍କ ଜରିଆରେ ମତ୍ସ୍ୟଜୀବୀ ମାନଙ୍କୁ ସଚେତନତା କରାଯାଇଥିଲା । ମାଇକ୍ ଯୋଗେ ସଚେତନତା ମଧ୍ୟ ସଚେତନତା କରାଯାଇଥିଲା ।

ସମୁଦ୍ର ଅଶାନ୍ତ ରହିବ ତେଣୁ ମତ୍ସ୍ୟଜୀବୀ ମାନେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ମାଛ ଧରିବାକୁ ଯିବାକୁ ବାରଣ କରିବା ସହ ଯେଉଁ ମାନେ ସମୁଦ୍ର ଭିତରକୁ ଯାଇଛନ୍ତି ଫେରି ଆସିବାକୁ ସାଗର ମିତ୍ର ଜରିଆରେ କୁହାଯାଇଛି । ଏପରିକି ନିଜର ଡ଼ଙ୍ଗା ଓ ଜାଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଥିଲା । ସମୁଦ୍ର ଅଶାନ୍ତ ରହିବା ସହ ବଡ଼ ବଡ଼ ଲହଡ଼ି ଆସିବ । ଏହା ସତ୍ତ୍ବେ ବି ଆଜି ସକାଳୁ ବହୁ ମତ୍ସ୍ୟଜୀବୀ ଡ଼ଙ୍ଗା ଦ୍ୱାରା ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିବା ଦେଖିବାକୁ ମିଳିଛି । ଯଦି କିଛି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବ ?

Also Read:- ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, ଆଗାମୀ ୪୮ ଘଣ୍ଟା ପ୍ରବଳ ବର୍ଷିବ !

ଗଞ୍ଜାମ ଜିଲ୍ଲାରେ ୨୭ ଖଣ୍ଡ ମତ୍ସ୍ୟଜୀବୀଙ୍କ ଗାଁ ରହିଛି । ପାତି ସୋନପୁର ଠାରୁ ପ୍ରୟାଗି ପର୍ଯ୍ୟନ୍ତ । ଦୈନିକ ସେମାନଙ୍କ ଜୀବିକା କହିଲେ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥାନ୍ତି । ମାଛ ଧରିଲେ ପରିବାର ଚଳେ । ତିନି ଦିନ ବନ୍ଦ ହେବ କିପରି ଚଳିବୁ ଆମେ ବୋଲି ମତ୍ସ୍ୟଜୀବୀ ମାନେ କହିଛନ୍ତି । ଏହି ସମୟରେ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ମିଳିଥିଲେ ଭଲ ହୁଅନ୍ତା ବୋଲି ମତ୍ସ୍ୟଜୀବୀ ମାନେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୫ ମସିହା ଅଗଷ୍ଟ ୨୮ ତାରିଖରେ ଗଞ୍ଜାମ ବ୍ଲକ ପୋଡ଼ମପେଟାରେ ଡ଼ଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ । ସେହି ସମୟରେ ମଧ୍ୟ ସମୁଦ୍ରକୁ ଯିବାକୁ ବାରଣ ସତ୍ତ୍ବେ ସେମାନେ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ । ସାନ ନୋଳିଆ ନୂଆଗାଁର ଏଙ୍ଗ. କାଲେୟାଙ୍କ ମୃତ୍ୟୁ ହୋଇଥିଲା ।