ଭୁବନେଶ୍ୱର ୨୪।୧୨: ପ୍ରଦୂଷଣ ସାର୍ଟିଫିକେଟ୍ କରାଇ ନଥିବା ଗାଡ଼ି ଚାଳକଙ୍କୁ ସାମାନ୍ୟ ଆଶ୍ବସ୍ତି । ମାସେ ଘୁଞ୍ଚିଲା ପ୍ରଦୂଷଣ ସାର୍ଟିଫିକେଟ୍ ବିନା ଇନ୍ଧନ ମନା ନିଷ୍ପତ୍ତି । ପୂର୍ବରୁ ଜାନୁଆରୀରୁ ନିୟମ ଲାଗୁ ପାଇଁ ହୋଇଥିଲା ନିଷ୍ପତ୍ତି । ଜାନୁଆରୀ ପରିବର୍ତ୍ତେ ଫେବ୍ରୁଆରୀ ପହିଲାରୁ ଯାଞ୍ଚ କଡ଼ାକଡ଼ି ହେବ । ଏ ନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁଯାୟୀ, ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରି ‘ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା’ ନିଷ୍ପତ୍ତି ଲାଗୁକୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ଜାନୁଆରୀରୁ ଏହା ଲାଗୁ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଫେବ୍ରୁଆରୀ ପହିଲାକୁ ଘୁଞ୍ଚାଅ ଦିଆଯାଇଛି ।

ଏହି ଅବଧି ମଧ୍ୟରେ ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିବା ଯାନ ମାନେ ପ୍ରଦୂଷଣ ଯାଞ୍ଚ କରାଇନେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଅବଧିକୁ ବୃଦ୍ଧି କରାଯାଇଥିବାରୁ ଜନସାଧାରଣ ବିବ୍ରତ ନ ହୋଇ ସୁବିଧାରେ ଯାଞ୍ଚ କରାଇବେ ବୋଲି ଆଶା କରାଯାଉଛି ।

ଫେବ୍ରୁଆରୀ ୧ ପୂର୍ବରୁ କୌଣସି ପେଟ୍ରୋଲ ପମ୍ପରେ କାହାକୁ ମଧ୍ୟ ପ୍ରଦୂଷଣ ସାର୍ଟିଫିକେଟ୍ ପାଇଁ ଇନ୍ଧନ ଦେବାକୁ ମନା କରାଯାଇପାରିବ ନାହିଁ । ଏହି ସମୟରେ ପ୍ରଦୂଷଣ ସାର୍ଟିଫିକେଟ୍ ସଂକ୍ରାନ୍ତରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି ।