ଭୁବନେଶ୍ୱର: ଟିକିଏ ଭାବନ୍ତୁ ତ ! ଝିଅ ଭାବି ମନ ଦେଇଦେଲେ। ପ୍ରେମ କରି ବସିଲେ। ହେଲେ ଦେଖିଲା ବେଳକୁ ଖତମ୍... TATA BYE BYE। ଆଜ୍ଞା, ଠିକ୍ ସେଭଳି ଘଟଣା ଘଟିଛି। ଡେଟିଂ ଆପରେ ପ୍ରେମ କରି ଫସିଛନ୍ତି ଜଣେ ଯୁବକ। ବିଚରା ଲୁଟର ଶିକାର ହୋଇଛନ୍ତି। ଏମିତି ଏକ ଲୁଟର ଶିକାର ହୋଇଛନ୍ତି ଜ୍ଞାନରଞ୍ଜନ ରାଉତ।

ସୋସିଆଲ ମିଡିଆ ଡେଟିଂ ଆପ ମଞ୍ଜୁ ନାମକ ଜଣେ ଯୁବତୀଙ୍କ ସହ ଜ୍ଞାନରଞ୍ଜନଙ୍କ ପରିଚୟ ହୋଇଥିଲା । କିଛି ଦିନର ଚିହ୍ନା ପରିଚୟ ପରେ ମଞ୍ଜୁଙ୍କୁ ପ୍ରେମ କରି ବସିଲେ । ପରେ ତାଙ୍କୁ ଭେଟିବାକୁ ଆସିଲେ । ହେଲେ ଅନ୍ଲାଇନ୍ ପ୍ରେମିକା ମଞ୍ଜୁ ଯେ ରାଜୀବ ନାୟକ ତାହା ଜାଣିବା ପରେ ପ୍ରେମିକ ପ୍ରବରଙ୍କ ଗୋଡ଼ ତଳୁ ମାଟି ଖସିଗଲା । ମଞ୍ଜୁଙ୍କୁ ତ ପାଇଲେ ନାହିଁ ଓଲଟା ମାଡ଼ ଖାଇ ସୁନାଚେନ୍ ଓ ଟଙ୍କା ହରାଇ କାନମୁଣ୍ଡ ଆଉଁସି ଘରକୁ ଆସିଲେ।

ଏନେଇ ସେ ନୟାପଲ୍ଳୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ସାଲିଆ ସାହିର ଚିକୁନ ବେହେରା । ଅଭିଯାଗକାରୀ ଜ୍ଞାନରଞ୍ଜନ ସୋସିଆଲ ମିଡିଆ ଡେଟିଂ ଆପରେ "ୟୁ ଆର ମଞ୍ଜୁ’ ନାମରେ ଏକ ପ୍ରୋଫାଇଲ୍ ଦେଖିଥିଲେ । ସେଥିରେ ଜଣେ ସୁନ୍ଦରୀ ଯୁବତୀଙ୍କ ଡିପି ଥିଲା । ମଞ୍ଜୁ ତାଙ୍କ ପ୍ରୋଫାଇଲ୍ରେ ସାଥୀ ଖୋଜୁଥିବା କଥା ଉଲ୍ଲେଖ କରିଥିଲେ । ଏହାକୁ ଦେଖି ଜ୍ଞାନରଞ୍ଜନ ତାଙ୍କ ସହ ସମ୍ପର୍କ ଯୋଡିଥିଲେ।

ଡେଟିଂ ଆପରୁ ଉଭୟ ଇନଷ୍ଟାଗ୍ରାମକୁ ଆସିଥିଲେ । ଇନଷ୍ଟାଗ୍ରାମରେ ପ୍ରଥମେ ଚାଟିଂ ତା’ପରେ ପ୍ରେମ ଜମିଥିଲା । ମଞ୍ଜୁ ତାଙ୍କୁ ଦେଖା କରିବାକୁ କହିଥିଲେ । ଦେଖା କରିବା କଥା ଶୁଣି ଜ୍ଞାନରଞ୍ଜନ ଉତ୍ସାହିତ ହୋଇଗଲେ । ଗତ ୧୨ ତାରିଖ ଦିନ ଆଇଆରସି ଭିଲେଜ୍ ବିଦ୍ୟୁତ୍ ଅଫିସ୍ ପାଖକୁ ଆସିବାକୁ ମଞ୍ଜୁ ତାଙ୍କୁ କହିଥିଲେ । ଅନ୍ଲାଇନ୍ ପ୍ରେମରେ ଅନ୍ଧ ହୋଇ ମଞ୍ଜୁଙ୍କୁ ଦେଖା କରିବାକୁ ସେ ଦିନ ଅପରାହ୍ଣ ୩ଟା ବେଳେ ବିଦ୍ୟୁତ୍ ଅଫିସ୍ ପାଖରେ ପହଞ୍ଚିଗଲେ ଜ୍ଞାନରଞ୍ଜନ । ସାଙ୍ଗରେ ନେଇଥିଲେ ଫୁଲ ତୋଡା ଓ ଚକୋଲେଟ୍ । ହେଲେ ମଞ୍ଜୁଙ୍କୁ ପାଇ ନଥିଲେ ଜ୍ଞାନରଞ୍ଜନ ।

ମଞ୍ଜୁଙ୍କ ବଦଳରେ ସେଠାରେ ଥିଲେ ଅଭିଯୁକ୍ତ ରାଜୀବ ନାୟକ, ଆର୍ଯ୍ୟନ୍ ଦାସ, ଚିକୁନ ବେହେରା ଓ ଅନ୍ୟ କିଛି ଯୁବକ । ତାଙ୍କୁ ଘେରି ଯାଇ ଅପହରଣ କରି ଏକ ଘରକୁ ନେଇ ଯାଇଥିଲେ । ସେଠାରେ ତାଙ୍କୁ ମାଡ଼ ମାରିଥିଲେ । ପରେ ଅଭିଯୁକ୍ତମାନେ ଜ୍ଞାନରଞ୍ଜନଙ୍କ ପାଖରୁ ୧୨ ହଜାର ଟଙ୍କା, ଗୋଟିଏ ସୁନାଚେନ୍ ନେଇଯାଇଥିଲେ ।

ଖାଲି ସେତିକି ନୁହେଁ ଅନଲାଇନରେ ଟଙ୍କା ଟ୍ରାନ୍ସଫର କରିବାକୁ ବାଧ୍ୟ କରିଥିଲେ । ସନ୍ଦୀପ ରାୟ ଓରଫ ଟୁବୁଲା ଲୋକନାଥ ସାହୁଙ୍କ ଫୋନ୍ ପେ’କୁ ୩୦,୯୦୦ ଟଙ୍କା ଟ୍ରାନ୍ସଫର କରିଥିଲେ ଜ୍ଞାନ । କାଳେ ଜ୍ଞାନରଞ୍ଜନ ଘଟଣା ବିଷୟରେ କହାକୁ ଜଣାଇ ଦେବ ସେଥିପାଇଁ ଅଭିଯୁକ୍ତମାନେ ଜ୍ଞାନରଞ୍ଜନଙ୍କୁ ଉଲଗ୍ନ କରି ଭିଡିଓ ରେକର୍ଡିଂ କରିଥିଲେ । ଏମିତିକି କ୍ୟାମେରା ସମୁଖରେ ମିଥ୍ୟା ବୟାନ ଦେବାକୁ ମଧ୍ୟ ବାଧ୍ୟ କରିଥିଲେ । ଧମକ ଦେଇଥିଲେ କହିଥିଲେ ଯଦି ପୁଲିସ୍ ପାଖରେ ଅଭିଯୋଗ କରିବାକୁ ଚେଷ୍ଟା କରିବ ତା’ହେଲେ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ କରାଯିବ ।

ଏମିତି ଧମକ ପାଇବା ପରେ ସେ ଥାନାରେ ଅଭିଯୋଗ କରି ନଥିଲେ । ଦୁଇ ଦିନ ଗଲା ପରେ ଅର୍ଥାତ ୧୪ ତାରିଖରେ ସେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା ଅଭିଯୁକ୍ତମାନେ "ୟୁ ଆର ମଞ୍ଜୁ’ ନାମରେ ଏକ ନକଲି ପ୍ରୋଫାଇଲ୍ ଖୋଲିଥିଲେ । ଉକ୍ତ ପ୍ରୋଫାଇଲ୍ ଦେଖି ଯିଏ ଚାଟିଂ କରୁଥିଲା ତାକୁ ଏମାନେ ବିଭିନ୍ନ ସ୍ଥାନକୁ ଡାକୁଥିଲେ । ମଉକା ଦେଖି ମାଡ ମାରି ଲୁଟ୍ ପାଟ୍ କରୁଥିଲେ । ଫୋନ୍ ପେ’ରେ ବ୍ୟବହାର ହୋଇଥିବା ନମ୍ବର ମାଧ୍ୟମରେ ପୁଲିସ୍ ଚିକୁନକୁ ଗିରଫ କରିଥିଲା । ଖୁବ୍ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ମାନସ ସାହୁ ସୂଚନା ଦେଇଛନ୍ତି ।