ନୂଆଦିଲ୍ଲୀ: ଅଷ୍ଟ୍ରେଲିୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂହ ଓରଫ୍ ରବୀନ୍ଦ୍ର କୁମାର ପାଲଙ୍କ ମୁକ୍ତି ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦାରା ସିଂଙ୍କ ମୁକ୍ତି (Premature Release) ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ସୁପ୍ରିମକୋର୍ଟ ଓଡ଼ିଶା ସଜା ସମୀକ୍ଷା ବୋର୍ଡ (Orissa Sentence Review Board)କୁ ଶେଷ ସୁଯୋଗ ଦେଇଛନ୍ତି । କୋର୍ଟ ମୌଖିକ ଭାବେ କହିଛନ୍ତି ଯେ, ଆଗାମୀ ଶୁଣାଣି ସୁଦ୍ଧା ଯଦି କୌଣସି ନିଷ୍ପତ୍ତି ନ ନିଆଯାଏ, ତେବେ କୋର୍ଟ ନିଜେ ନିଷ୍ପତ୍ତି ଗ୍ରହଣ କରିବେ । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ୱର ୨ରେ ହେବ ।

ପୂର୍ବ ଶୁଣାଣିରେ ସୁପ୍ରିକୋର୍ଟ କୋର୍ଟ ଓଡ଼ିଶା ସରକାରଙ୍କୁ ଅଗଷ୍ଟ ୧୯ ସୁଦ୍ଧା ମୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେବାକୁ କହିଥିଲେ । ତେବେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ବିଚାରପତି ମନୋଜ ମିଶ୍ର ଏବଂ ବିଚାରପତି ବିଜୟ ବିଷ୍ନୋଇଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ ଜଣାଯାଇଥିଲା । ଆବେଦନକାରୀଙ୍କ ଓକିଲ ପ୍ରଥମେ ସମୟ ମାଗିଥିଲେ, କିନ୍ତୁ କୋର୍ଟ ନିଷ୍ପତ୍ତି ନ ନେବାର କାରଣ ପଚାରିବାରୁ ସେ କାରାଗାର ମହାନିର୍ଦ୍ଦେଶାଳୟର ଏକ ଚିଠି ଉପସ୍ଥାପନ କରିଥିଲେ । ରିଭ୍ୟୁ ବୋର୍ଡର ନିଷ୍ପତ୍ତି ଆବଶ୍ୟକ ଥିବାବେଳେ ଏହି ଚିଠି କାହିଁକି ଦିଆଗଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ ।

ଓକିଲ କହିଥିଲେ ଯେ, ଦାରା ସିଂହଙ୍କ ଜନ୍ମସ୍ଥାନ ଉତ୍ତରପ୍ରଦେଶରୁ ତାଙ୍କର ପୂର୍ବ ଅପରାଧିକ ରେକର୍ଡ ସମ୍ପର୍କିତ ତଥ୍ୟ ମଗାଯାଇଛି ବୋଲି ଡିଜି ପୋଲିସ ଦର୍ଶାଇଛନ୍ତି ।

ଜଷ୍ଟିସ୍ ମିଶ୍ର ମୌଖିକ ଭାବେ କହିଥିଲେ ଯେ କୋର୍ଟ ଏଭଳି ବିଳମ୍ୱକୁ ଗ୍ରହଣ କରିବେ ନାହିଁ । ସେପ୍ଟେମ୍ବର ୨ ସୁଦ୍ଧା ତାଙ୍କ ଆବେଦନ ଉପରେ ନିଷ୍ପତ୍ତି ନେବାକୁ ରିଭ୍ୟୁ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି, ନଚେତ୍ କୋର୍ଟ ନିଜେ ନିଷ୍ପତ୍ତି ନେବେ । ସେ କହିଥିଲେ, "ଆପଣଙ୍କ ଯାହା ଇଚ୍ଛା ନିଷ୍ପତ୍ତି ନିଅନ୍ତୁ, ନଚେତ୍ ଆମେ ନିଷ୍ପତ୍ତି ନେବୁ... ଆପଣ କିପରି ଯୋଗାଯୋଗ କରୁଛନ୍ତି ସେଥିରେ ଆମର କିଛି ଯାଏ ଆସେ ନାହିଁ, କେବଳ ଏକ ନିଷ୍ପତ୍ତି ନିଅନ୍ତୁ । ନିଷ୍ପତ୍ତି ନେବାରୁ ଦୂରେଇବାକୁ ଆମେ ସହ୍ୟ କରିପାରିବୁ ନାହିଁ ।"

କୋର୍ଟ ଆଦେଶ ଦେଇଛନ୍ତି,"୨୬ ବର୍ଷରୁ ଅଧିକ ସମୟ ଧରି ଜେଲରେ ଥିବା ଆବେଦନକାରୀଙ୍କ ଦଣ୍ଡ କୋହଳ (ରିମିସନ୍) ଆବେଦନ ଉପରେ ପ୍ରତିପକ୍ଷମାନଙ୍କୁ ନିଷ୍ପତ୍ତି ନେବା ପାଇଁ ଏହି ମାମଲାକୁ ବାରମ୍ବାର ସ୍ଥଗିତ ରଖାଯାଇଛି । ଶେଷ ଥର ଯେତେବେଳେ ମାମଲା ସ୍ଥଗିତ ରଖାଯାଇଥିଲା, ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଆବେଦନକାରୀଙ୍କ ଆବେଦନ ଉପରେ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଥିବା ପରି ମନେହେଉଥିଲା । ତାହାକୁ ଭିତ୍ତି କରି ମାମଲା ସ୍ଥଗିତ ରଖାଯାଇଥିଲା । ଆଜି, ପ୍ରତିପକ୍ଷଙ୍କ ଓକିଲ ଆମ ଆଗରେ କାରାଗାର ଏବଂ ସୁଧାର ସେବା ନିର୍ଦ୍ଦେଶାଳୟର ଏକ ଚିଠି ଉପସ୍ଥାପନ କରିଛନ୍ତି । କେନ୍ଦୁଝର ଜିଲ୍ଲା ଜେଲରୁ ରିପୋର୍ଟ ମିଳିବା ବାକି ଅଛି ବୋଲି ଚିଠିରେ ଦର୍ଶାଯାଇଛି । ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ନିଷ୍ପତ୍ତି ସମ୍ପର୍କରେ ଆମକୁ ଅବଗତ କରାଯାଇନାହିଁ । ଏହି ମାମଲାକୁ ସେପ୍ଟେମ୍ବର ୨ ରେ ତାଲିକାଭୁକ୍ତ କରାଯାଉ । ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ନିଷ୍ପତ୍ତି ନେଇ ଆମକୁ ଜଣାଉ ।"

ଦୋଷୀ ଦାରା ସିଂ ତାଙ୍କ ଦଣ୍ଡ କୋହଳ ପାଇଁ ନିବେଦନ କରିଛନ୍ତି ଏବଂ ଦର୍ଶାଇଛନ୍ତି ଯେ ସେ ୨୫ ବର୍ଷରୁ ଅଧିକ ସମୟ ଜେଲରେ ବିତାଇ ସାରିଛନ୍ତି । ରାଜ୍ୟର କ୍ଷମା (ରିମିସନ୍) ନୀତି ଅନୁଯାୟୀ, ଯେଉଁ ଆସାମୀଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରାଯାଇଛି, ସେମାନଙ୍କ ୨୫ ବର୍ଷ ଜେଲ୍ ଦଣ୍ଡ ପୂରଣ ପରେ ରିମିସନ୍ ପାଇଁ ବିଚାର କରାଯାଇପାରିବ ।

୨୦୦୩ ମସିହାରେ ନିମ୍ନ ଅଦାଲତ ଦାରା ସିଂଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ । ୨୦୦୫ ମସିହାରେ ଓଡ଼ିଶା ହାଇକୋର୍ଟ ଏହି ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ । ୨୦୧୧ ମସିହାରେ ସୁପ୍ରିମକୋର୍ଟ ସଜାକୁ କାଏମ ରଖିଥିଲେ । ଆଇନଜୀବୀ ହରି ଶଙ୍କର ଜୈନ ଏବଂ ବିଷ୍ଣୁ ଶଙ୍କର ଜୈନଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ତାଙ୍କ ରିଟ୍ ଆବେଦନରେ ଦାରା ସିଂ ଦର୍ଶାଇଛନ୍ତି ଯେ ସେ ଯୁବାବସ୍ଥା ରାଗରେ ଏହି ଅପରାଧ କରିଥିଲେ ଏବଂ ଏବେ ସେ ତାଙ୍କ କାର୍ଯ୍ୟ ପାଇଁ ଅନୁତପ୍ତ ।

ରିଫରମେଟିଭ୍ ଥିଓରୀ ଅଫ୍ ପନିଶମେଣ୍ଟ (ଦଣ୍ଡର ସୁଧାରାତ୍ମକ ସିଦ୍ଧାନ୍ତ) ଉପରେ ନିର୍ଭର କରି, ଜଣେ ଭଲ ବ୍ୟକ୍ତି ଭାବରେ ସମାଜକୁ ଫେରିବା ପାଇଁ ଅବଧି ପୂର୍ବରୁ ମୁକ୍ତ କରିବାକୁ ଦାରା ସିଂ ନିବେଦନ କରିଛନ୍ତି । ସେ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସଜାପ୍ରାପ୍ତ ଆସାମୀମାନଙ୍କୁ ଅବଧି ପୂର୍ବରୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ୨୦୨୨ର ରାୟକୁ ଆଧାର କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ୧୯୯୯ ମସିହା ଜାନୁଆରୀ ୨୨ ତାରିଖରେ ଓଡ଼ିଶାର କେନ୍ଦୁଝର ଜିଲ୍ଲା ମନୋହରପୁର ଗାଁରେ ଏହି ଅପରାଧ ଘଟିଥିଲା । ଦାରା ସିଂଙ୍କ ନେତୃତ୍ୱରେ ଏକ ଉତ୍ତ୍ୟକ୍ତ ଜନତା ଗ୍ରାହାମ୍ ଷ୍ଟେନ୍ସଙ୍କ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ସେହି ସମୟରେ ଗାଡ଼ି ଭିତରେ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ପୁଅ ଫିଲିପ୍ (୧୦ ବର୍ଷ) ଓ ତିମୋଥି (୬ ବର୍ଷ) ଶୋଇଥିଲେ ।