ନୂଆଦିଲ୍ଲୀ: ଚୀନ୍ ଏବଂ ପାକିସ୍ତାନ ସହ ସଂଲଗ୍ନ ସୀମାରେ ଭାରତର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଅଭେଦ୍ୟ କରିବା ପାଇଁ କେନ୍ଦ୍ର ସରକାର ନେଇଛନ୍ତି ଐତିହାସିକ ନିଷ୍ପତ୍ତି। ଭାରତୀୟ ସ୍ଥଳସେନା, ନୌସେନା ଏବଂ ବାୟୁସେନାର ଯୁଦ୍ଧ କ୍ଷମତା ବୃଦ୍ଧି ପାଇଁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବା (Defence Acquisition Council - DAC) ପ୍ରାୟ ୨.୧୨ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବକୁ 'ଆବଶ୍ୟକତାର ମଞ୍ଜୁରୀ' (Acceptance of Necessity - AoN) ପ୍ରଦାନ କରିଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦେଶର ତିନି ସେନାବାହିନୀ ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର, ଡ୍ରୋନ୍ ଏବଂ ରୋବୋଟିକ୍ସ ସିଷ୍ଟମ୍ କ୍ରୟକୁ ଅନୁମୋଦନ ଦିଆଯାଇଛି।

'ଆତ୍ମନିର୍ଭର ଭାରତ'କୁ ସବୁଠାରୁ ବଡ଼ ପ୍ରୋତ୍ସାହନ

ଏହି ମୋଟ ଅଧିଗ୍ରହଣ ପ୍ରସ୍ତାବର ସବୁଠାରୁ ବଡ଼ କଥା ହେଉଛି, ମଞ୍ଜୁର ହୋଇଥିବା ମୋଟ ବଜେଟ୍ର ପ୍ରାୟ ୮୨ ପ୍ରତିଶତ ସାମଗ୍ରୀ ସ୍ୱଦେଶୀ ଶିଳ୍ପ ବା ଭାରତୀୟ କମ୍ପାନୀଗୁଡ଼ିକଠାରୁ କ୍ରୟ କରାଯିବ। ଏହାଦ୍ୱାରା ଦେଶର ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରକୁ ବିଶାଳ ପ୍ରୋତ୍ସାହନ ମିଳିବା ସହ 'ଆତ୍ମନିର୍ଭର ଭାରତ' ଅଭିଯାନ ଅଧିକ ସଶକ୍ତ ହେବ।

ଏହି ଚୁକ୍ତି ଅନୁସାରେ ସ୍ଥଳସେନା (Indian Army)କୁ ଦୁର୍ଗମ ଅଞ୍ଚଳରେ ଯବାନମାନଙ୍କ ଯାତାୟାତକୁ ସହଜ କରିବା ପାଇଁ ହାଇ ମୋବିଲିଟି ଭେଇକିଲ୍, ସୀମାନ୍ତରେ ସୁରକ୍ଷା ବୃଦ୍ଧି ପାଇଁ ଆଧୁନିକ ତୋପ ପ୍ରଣାଳୀ ଥିବା ସେଲ୍ଫ-ପ୍ରୋପେଲ୍ଡ୍ ଟ୍ରାକ୍ଡ୍ ଗନ୍ ସିଷ୍ଟମ୍, ଦୂରଗାମୀ କାମିକାଜେ ଡ୍ରୋନ୍ ଏବଂ ସର୍ଭେଲାନ୍ସ ୟୁଏଭି ସିଷ୍ଟମ୍, ଲାଇଟ୍ ମଲ୍ଟି-ରୋଲ୍ ହେଲିକପ୍ଟର ଏୟାର ଡିଫେନ୍ସ ସିଷ୍ଟମ୍ ଆଦି ମିଳିବ ।

ସେହିଭଳି ନୌସନାକୁ ସମୁଦ୍ରରେ ଶତ୍ରୁପକ୍ଷର ଆଣ୍ଟି-ଶିପ୍ ମିସାଇଲ୍ ଆକ୍ରମଣରୁ ଭାରତୀୟ ଯୁଦ୍ଧପୋତଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟା ବିଶିଷ୍ଟ ଆକ୍ଟିଭ ଏକ୍ଟିଭ୍ ଅଫ୍ବୋର୍ଡ ଡିକୟ ସିଷ୍ଟମ୍ (Active Offboard Decoy Systems) ମିଳିବ । ଏହା ସହ ନୌସେନାର ଯୁଦ୍ଧ କ୍ଷମତା ବୃଦ୍ଧି ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିଭିନ୍ନ ନାଭାଲ୍ ପ୍ଲାଟଫର୍ମ ମଧ୍ୟ କ୍ରୟ କରାଯିବ।

Also Read: ଭାରତ ନିର୍ମାଣ କଲା ନିଜସ୍ୱ ଡ୍ରୋନ୍ ବୋଟ୍, ଏଲିଟ୍ କ୍ଲବରେ ହେଲା ସାମିଲ...

ତୃତୀୟରେ ଭାରତୀୟ ବାୟୁସେନା (Indian Air Force) ପାଇଁ ସୀମାନ୍ତ ଓ ଅଗ୍ରଣୀ ଯୁଦ୍ଧାଞ୍ଚଳଗୁଡ଼ିକରେ ପାଣିପାଗର ସଠିକ୍ ପୂର୍ବାନୁମାନ ନିମନ୍ତେ ସ୍ବତନ୍ତ୍ର ମୋବାଇଲ୍ ଏକ୍ସ-ବ୍ୟାଣ୍ଡ୍ ଡପ୍ଲର ୱେଦର ରଡାର ସିଷ୍ଟମ ସ୍ଥାପନ କରାଯିବ । ଏହାସହ ସ୍ୱତନ୍ତ୍ର ଉପଯୋଗୀ ହେଲିକପ୍ଟର ଏବଂ ଆଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମଧ୍ୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବ।

ସୂଚନାଯୋଗ୍ୟ, ସୀମାରେ ଚୀନ୍ ଏବଂ ପାକିସ୍ତାନର କ୍ରମାଗତ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଏହି ବୃହତ୍ ପ୍ରତିରକ୍ଷା କ୍ରୟ ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ଜଳ, ସ୍ଥଳ ଓ ଆକାଶ—ତିନି ପ୍ରମୁଖ କ୍ଷେତ୍ରରେ ଭାରତୀୟ ସେନାବାହିନୀ ଶତ୍ରୁର ଯେକୌଣସି ଦୁଃସାହସର କଡ଼ା ଜବାବ ଦେବାକୁ ସମ୍ପୂର୍ଣ୍ଣ ସମର୍ଥ ହେବ।