ସୁନ୍ଦରଗଡ଼: ଆଖି ଆଗରେ ନଦୀର ପ୍ରଖର ସ୍ରୋତରେ ଭାସିଗଲେ ଯୁବକ। ଘଟଣାକୁ ନିଜ ମୋବାଇଲରେ କଏଦ କରିବାରେ ବ୍ୟସ୍ତ ରହିଲେ ଉପସ୍ଥିତ ଲୋକେ । ହେଲେ ଉଦ୍ଧାର ପାଇଁ ଆଗକୁ ଆସିଲେନି କେହି। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା କଇଁତରା ଟୁଁଗୁରିପଡ଼ା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁସାରେ, ଟୁଁଗୁରିପଡ଼ା ଗାଁର ଜଣେ ଯୁବକ ଇବ୍ ନଦୀରେ ଭାସିଯାଇଛନ୍ତି। ନଦୀର ପ୍ରଖର ସ୍ରୋତରେ ଯୁବକ ଜଣକ ଭାସିଯାଉଥିବା ବେଳେ ଘଟଣାସ୍ଥଳରେ ଅନେକ ଲୋକ ଉପସ୍ଥିତ ଥିଲେ। ମାତ୍ର ଯୁବକଙ୍କୁ ଉଦ୍ଧାର କରିବା ବଦଳରେ କିଛି ଲୋକ ମୋବାଇଲରେ ଘଟଣାର ଭିଡିଓ ରେକର୍ଡିଂ କରିଥିଲେ। ପ୍ରଖର ସ୍ରୋତ ଯୋଗୁଁ ଉଦ୍ଧାର ପାଇଁ କେହି ସାହସ ଜୁଟାଇ ପାରିନଥିବା ଜଣାପଡ଼ିଛି।

ଅନ୍ୟପଟେ, ଘଟଣା ସମ୍ପର୍କରେ ଖବର ପାଇ ସୁନ୍ଦରଗଡ଼ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଦ୍ଧାରକାରୀ ଟିମ୍ ଇବ୍ ନଦୀରେ ଦୀର୍ଘ ସମୟ ଧରି ଖୋଜାଖୋଜି କରି ଝାରସୁଗୁଡ଼ା ଜିଲ୍ଲାର ତାଳପଟିଆ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଚଳାଇଥିଲେ। ହେଲେ ଯୁବକଙ୍କ କୌଣସି ପତ୍ତା ମିଳିନଥିଲା।

Also Read: ରେଡ୍ ଫ୍ଲାଗ୍ ସତ୍ତ୍ୱେ ସମୁଦ୍ରକୁ ଗଲେ, ପର୍ଯ୍ୟଟକଙ୍କୁ ଟାଣିନେଲା ଜୁଆର

ତେବେ ଅନ୍ଧାର ହୋଇଯିବାରୁ ଉଦ୍ଧାର କାର୍ଯ୍ୟକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଏନେଇ ସୁନ୍ଦରଗଡ଼ ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ମିଳିଛି। ଯୁବକଙ୍କ ନିଖୋଜ ଘଟଣାକୁ ନେଇ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଥିବା ବେଳେ ତାଙ୍କର ସନ୍ଧାନ ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିବା ନେଇ ଆଶା କରାଯାଉଛି।