ଭୁବନେଶ୍ୱର,୧୫/୦୯ : ଅକ୍ଟୋବରରୁ ଡିସେମ୍ବର ଭିତରେ ଆସିପାରେ ୩ ବାତ୍ୟା । ଏଥିରୁ ଅନ୍ୟୁନ ଗୋଟିଏ ବାତ୍ୟା ଅତି ଭୟଙ୍କର ଅର୍ଥାତ୍ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇପାରେ। ଯାହାର ସର୍ବାଧିକ ପବନ ବେଗ ଘଣ୍ଟା ପ୍ରତି ୨୨୦ କିଲୋମିଟର କିମ୍ବା ଅଧିକ ହେବା ଆଶଙ୍କା ରହିଛି।

ଡରାଇଦେଲା ଭଳି ଏମିତି କିଛି ସଙ୍କେତ ମିଳିଛି ଇସ୍ରୋ ପକ୍ଷରୁ କରାଯାଇଥିବା ଗବେଷଣାରୁ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ସ୍ପେସ୍ ଆପ୍ଲିକେସନ ସେଣ୍ଟର ଦ୍ବାରା ପ୍ରକାଶିତ ରିପୋର୍ଟ ଦର୍ଶାଉଛି ଯେ ଚଳିତବର୍ଷ ଅକ୍ଟୋବରରୁ ଡିସେମ୍ବର ଭିତରେ ଉତ୍ତର ଭାରତୀୟ ମହାସାଗର (ବଙ୍ଗୋପସାଗର ଓ ଆରବ ସାଗରରେ) ୩ଟି ବାତ୍ୟା ସୃଷ୍ଟି ହୋଇପାରେ। ଏହାର ସମ୍ଭାବ୍ୟ ତୀବ୍ରତା ଓ ବିନାଶକାରୀ କ୍ଷମତାକୁ ନେଇ ଯେଉଁ ସଙ୍କେତ ମିଳିଛି,ତାହା ପଣିପାଗ ବିଜ୍ଞାନୀଙ୍କ ଚିନ୍ତା ବଢ଼ାଇ ଦେଇଛି।

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) କିନ୍ତୁ ଏଭଳି କୌଣସି ରିପୋର୍ଟ କିମ୍ବା ପୂର୍ବାନୁମାନ ଜାରି କରିନାହିଁ । ବାତ୍ୟା ନେଇ ଏତେ ଆଗୁଆ ପୂର୍ବାନୁମାନ ମଧ୍ୟ ସହଜ ନୁହେଁ । ସମୁଦ୍ରରେ ଘୂର୍ଣ୍ଣିବଳୟ ହେବା ପରେ ହିଁ କିଛି ନିର୍ଦ୍ଦିଷ୍ଟ ଆକଳନ କରାଯାଇଥାଏ। କେବଳ ଚଳିତବର୍ଷର ସୁପର ଏଲ୍-ନିନୋ ପ୍ରଭାବ ଓ ସାମୁଦ୍ରିକ ଜଳରାଶିର ତାପମାତ୍ରା ବୃଦ୍ଧି ଭିତରେ ଏଭଳି ସଙ୍କେତ ଚିନ୍ତା ବଢ଼ାଇଛି। ସବୁଠାରୁ ବଡ଼ କଥା,ନିର୍ଦ୍ଦିଷ୍ଟ ଭାବେ ଓଡ଼ିଶା ପାଇଁ କିଛି ପୂର୍ବାନୁମାନ ଜାରି କରାଯାଇନି।

ଇସ୍ରୋ ଗବେଷଣା ଅନୁସାରେ ଚଳିତ ବର୍ଷ ପାଇଁ ସମ୍ଭାବ୍ୟ ବାତ୍ୟାର ଶକ୍ତି ସୂଚକାଙ୍କ (ପାଓ୍ବାର ଡି ସିପେସନ ଇଣ୍ଡେକ୍ଟ -ପିଡିଆଇ) ହାରାହାରି ଭାବେ ବେଶ୍ ଅଧିକ ରହିବ। ଅର୍ଥାତ୍ ବାତ୍ୟାର ତୀବ୍ରତା,ଅବଧି ଓ ପ୍ରଭାବ ଢେର ଅଧିକ ରହିପାରେ। ଗତ ୪୪ ବର୍ଷରେ ସୃଷ୍ଟି ହୋଇଥିବା ସମସ୍ତ ବାତ୍ୟାର ହାରାହାରି ଶକ୍ତିଠାରୁ ଏହାର ଶକ୍ତି (ପିଡିଆଇ) ପ୍ରାୟ ୮୩% ଅଧିକ ରହିବା ଆଶଙ୍କା କରାଯାଉଛି। ସାଧାରଣତଃ ଅକ୍ଟୋବର- ନଭେମ୍ବର ମାସରେ ଓଡ଼ିଶା ସମେତ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ବାତ୍ୟା ଭୟ ଅଧିକ। ବିଗତ ବର୍ଷମାନଙ୍କର ରେକର୍ଡ ଅନୁସାରେ ୧୯୯୯ ମସିହା ଅକ୍ଟୋବର ୨୯ ମହାବାତ୍ୟା ଓଡ଼ିଶା ପାଇଁ ସବୁଠାରୁ ପ୍ରଳୟଙ୍କାରୀ ଥିଲା । ପରବର୍ତ୍ତୀ ସମୟରେ ଅକ୍ଟୋବରରେ ହୁଡ୍ ହୁଡ୍,ଫାଇଲିନ ଆଦି ବାତ୍ୟା ଆସିଥିଲା। ଏଥର ବାତ୍ୟା ଗତ ୪୪ ବର୍ଷର ହାରାହାରି ବାତ୍ୟା ତୁଳନାରେ ଅଧିକ ଶକ୍ତିଶାଳୀ ରହିପାରେ।

Also Read :- ବିଦେଶରେ ଲୁଚିଛନ୍ତି ଓରାଙ୍ଗଓଟାନ୍ ସ୍ମଗଲର୍ ବାପା-ପୁଅ ! କେମିତି ଧରିବ ଏସଟିଏଫ୍ ?

ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଚଳିତବର୍ଷ ବାତ୍ୟା ସୃଷ୍ଟି ହେବା ପାଇଁ ବାତାବରଣ ଅନୁକୂଳ ରହିଛି। ସୁପର ଏଲନିନୋ ଯୋଗୁ ସମୁଦ୍ରର ଜଳରାଶି ତାପମାତ୍ରା ସ୍ବାଭାବିକଠାରୁ ବେଶ୍ ଅଧିକ ରହୁଛି। ଉତ୍ତର ଭାରତ ମହାସାଗରର ବଙ୍ଗୋପସାଗର ଅଞ୍ଚଳରେ ଏ ସ୍ଥିତି ଅଧିକ ରହୁଛି। ଲୋୟର ଭର୍ଟିକାଲ ୱିଣ୍ଡ ସିଅର ପ୍ରଭାବ ରହୁଛି। ଅର୍ଥାତ୍ ବାୟୁମଣ୍ଡଳର ତଳ ଓ ଉପରଭାଗ ମଧ୍ୟରେ ପବନ ବେଗ ଓ ଦିଗର ପାର୍ଥକ୍ୟ ବହୁତ କମ୍ ରହୁଛି। ଏହା ସମୁଦ୍ରରେ ବାତ୍ୟା ସୃଷ୍ଟି ହେବା ଓ ଶକ୍ତିଶାଳୀ ହେବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରୁଛି। ଫଳରେ ସମୁଦ୍ରରୁ ଗରମ ଜଳୀୟବାଷ୍ପ ଶୋଷି ବାତ୍ୟାଟି ଶୀଘ୍ର ପ୍ରଚଣ୍ଡ ରୂପ ନେଇପାରେ। ସେପ୍ଟେମ୍ବରରୁ ଡିସେମ୍ବର ଭିତରେ ଏଲ୍ ନିନୋ ପ୍ରଭାବ ପ୍ରଚଣ୍ଡ ରହିବ। ଏହା ବାତ୍ୟା ପାଇଁ ଅନୁକୂଳ ରହିପରେ। ଇସ୍ରୋ ପକ୍ଷରୁ ଜାରି ରିପୋର୍ଟରେ ଉପକୂଳବର୍ତ୍ତୀ ଜନବସତି,ପର୍ଯ୍ୟଟନ ଏବଂ ସରକାରଙ୍କ ଉଦ୍ଦେଶ୍ୟରେ ସତର୍କ ସୂଚନା ପ୍ରଦାନ କରାଯାଇଛି। ଏହି ସମ୍ଭାବ୍ୟ ସ୍ଥିତିକୁ ନେଇ ଆଗୁଆ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।