ଭୁବନେଶ୍ୱର,୧୫/୦୯ : ଓଡ଼ିଶାରୁ ୫ ଓରାଙ୍ଗଉଟାନ୍ ଶାବକ ଉଦ୍ଧାର ଘଟଣାରେ କିଛି ଥଳକୂଳ ପାଉନି କ୍ରାଇମ ଏସ୍ଟିଏଫ୍ । ଚୋରାଚାଲାଣର ମାଷ୍ଟରମାଇଣ୍ଡ କୁହାଯାଉଥିବା କୋଲକାର ବାସିନ୍ଦା ଜି. ମାଇତି ଓ ପୁଅ ଏସ୍. ମାଇତିଙ୍କ ବାବଦରେ ଅଧିକାରୀମାନେ କିଛି ମୁହଁ ଖୋଲୁନାହାନ୍ତି। ସେମାନେ ଭାରତରେ ଲୁଚିଛନ୍ତି ନା ବିଦେଶକୁ ପଳାଇଛନ୍ତି,ତାହା ବି ଅସ୍ପଷ୍ଟ।

ଶ୍ରୀ ମାଇତିଙ୍କ ଦୀଘାରେ ଥିବା ହୋଟେଲରେ ଗତ ଗୁରୁବାରଠାରୁ କାହିଁକି ତାଲା ପଡ଼ିଛି?ସୋମବାର ରାତିରେ ସେଠାରେ କଣ ଘଟିଥିଲା?ଗୁରୁବାର ପୂର୍ବରୁ ହୋଟେଲରେ କାହିଁ କି ଘନଘନ ଯାଞ୍ଚ କରାଯାଇଥିଲା?ସେନେଇ ମଧ୍ୟ କେହି କିଛି କହୁନାହାନ୍ତି। ସିସିଟିଭି ଫୁଟେଜ୍ରୁ ସେତେଟା ପ୍ରମାଣ ନ ମିଳିଥିବାରୁ ଏସଟିଏଫ୍ ମଧ୍ୟ ଖାଲି ଅନ୍ଧାରରେ ବାଡ଼ି ବୁଲାଉଛି।

ହୋଟେଲ ସାମ୍ନାରେ ଧଳାକାରରୁ ଓରାଙ୍ଗଉଟାନ୍ ଭର୍ତ୍ତି ବାକ୍ସକୁ ରହସ୍ୟମୟ ଥର୍ ଗାଡ଼ିରେ ରଖାଯାଇଥିଲା କି?ତାହା ମଧ୍ୟ ସ୍ପଷ୍ଟ କରୁନି ଏସଟିଏଫ୍। ସେପଟେ ବାପା-ପୁଅ ଦୁହେଁ ଗଳାବାଟ ଦେଇ ବାଂଲାଦେଶ କିମ୍ବା ନେପାଳକୁ ପଳାଇଥିବା ଅନୁମାନ କରାଯାଉଛି। କୋଲକାତା ପୁଲିସ ଜାଣିବାକୁ ପାଇଛି ଯେ,ଶ୍ରୀ ମାଇତିଙ୍କ ଜଣେ ସମ୍ପର୍କୀୟ ଭାଇ ଅଭିଜିତ୍ ଉକ୍ତ ହୋଟେଲର ବ୍ୟବସାୟିକ ପାର୍ଟନର ଅଛନ୍ତି। ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ହାୱଡ଼ା ଅଞ୍ଚଳରୁ ଅଭିଜିତଙ୍କୁ ଦୀଘାକୁ ଅଣାଯାଇ ହୋଟେଲରେ ଛାନ୍ଭିନ୍ କରାଯାଇଛି। ପଶ୍ଚିମବଙ୍ଗ ପୁଲିସ ଓ ଏସଟିଏଫ୍ ଏପର୍ଯ୍ୟନ୍ତ ଦୀଘାରେ ପ୍ରାୟ ୫୦ରୁ ଅଧିକ ହୋଟେଲରେ ଯାଞ୍ଚ କରିସାରିଲାଣି।ଆଉ ଦିନେ କି ଦୁଇ ଦିନ ଭିତରେ ଶାବକଗୁଡ଼ିକର ଡିଏନଏ ପରୀକ୍ଷା କରାଯିବ। ଉଚ୍ଚସ୍ତରୀୟ ବୈଷୟିକ କମିଟିର ସଦସ୍ୟମାନେ ଭର୍ଚୁଆଲ୍ ମୋଡରେ ଏକ ବୈଠକ କରିଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିର୍ଦ୍ଦେଶକ ସନତ ନାରାୟଣ ସମସ୍ତ ସଦସ୍ୟଙ୍କୁ ଶାବକଗୁଡ଼ିକର ସ୍ବାସ୍ଥ୍ୟବସ୍ଥା ନେଇ ଅବଗତ କରାଇଛନ୍ତି। ଖୁବ୍ ଶୀଘ୍ର ଟିମ ସଦସ୍ୟମାନେ ନନ୍ଦନକାନନ ନରେ ପହଞ୍ଚିବେ।

Also Read :- 'ଅପରେସନ୍ ସିନ୍ଦୂର' ଦେଖି ଡରିଗଲା ଚାଇନା ! ସୀମାରୁ କମାଇଦେଲା ସୈନ୍ୟ ସଂଖ୍ୟା

ଡିଏନଏ ପରୀକ୍ଷାରୁ ରିପୋର୍ଟ ମିଳିବା ପରେ ଶାବକଗୁଡ଼ିକୁ ସଂଗରୋଧ ଗୃହରୁ ବାହାରକୁ ଅଣାଯିବ କି ନାହିଁ,ସେନେଇ ବିଶେଷଜ୍ଞମାନେ ବିଚାରବିମର୍ଶ କରିବେ। ନନ୍ଦନକାନନ ପକ୍ଷରୁ ଜାରି ହୋଇଥିବା ସ୍ବାସ୍ଥ୍ୟ ବୁଲେଟିନ୍ ଅନୁସାରେ,ରବିବାର ଅପେକ୍ଷା ସମସ୍ତ ଓରାଙ୍ଗଉଗନ୍ଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି। ୨ଟି ମାଈ ଶାବକ ଭିତରୁ ଗୋଟିଏର ତାପମାତ୍ରା ୧୦୧ ଡିଗ୍ରୀ ଥିଲା। ସୋମବାର ଜ୍ଵର କମିଛି। ତାପମାତ୍ରା ୯୮.୮ ଡିଗ୍ରୀ ବୋଲି ମପାଯାଇଛି। ସମସ୍ତ ଓରାଙ୍ଗଓଗନ୍ ଶାବକଙ୍କ ଖାଦ୍ୟ ଗ୍ରହଣ ସ୍ବାଭାବିକ ରହିଛି। ୨ ଅଣ୍ଡିରା ଶାବକଙ୍କ ବଦହଜମୀ ଭଲ ହେଲାଣି। ମଳ ପରୀକ୍ଷା କରାଯାଇଥିଲା । ତରଳ ଝାଡ଼ା ଓ କୃମି ମାତ୍ରା କମିଥିବା ଜଣାପଡ଼ିଛି। ପଲ୍ଲୀରୁ ଦିଲ୍ଲୀ ଯାଏଁ ସପ୍ତାହେ ଧରି ଚର୍ଚ୍ଚା ସାଉଁଟିଥିବା ଓରାଙ୍ଗଉଟାନ୍ ଶାବକଙ୍କ ପ୍ରକୃତ ଠିକଣା ଓ ଚୋରା ଚାଲାଣର ତଥ୍ୟ ଜାଣିବାକୁ ସଭିଏଁ ବ୍ୟଗ୍ର। ଚର୍ଚ୍ଚିତ ଶାବକଙ୍କ ଝଲକ୍ ପାଇଁ ମଧ୍ୟ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିତରେ ଉତ୍କଣ୍ଠା ଭରି ରହୁଛି। ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ଯଥାଶୀଘ୍ର ଏମାନଙ୍କ ନାମକରଣ କରିବାକୁ ପ୍ରାଣୀ ବିଶେଷଜ୍ଞମାନେ ଦାବି ଉଠାଇଛନ୍ତି ।