ଭୁବନେଶ୍ୱର,/୦୯ : ଆସିପାରେ ବାତ୍ୟା । ସବୁଠି ଭୟର ମାହୋଲ । ପୁଣି ଥରେ ଓଡିଶାକୁ ଘାରିଛି ବାତ୍ୟାର ଭୟ । ଭିନ୍ନ ଭିନ୍ନ ମଡେଲ ଅନେକ କଥା ଆକଳନ କରୁଛନ୍ତି । ପାଣିପାଗ ବିଶେଷଜ୍ଞମାନେ ମଧ୍ୟ ବାତ୍ୟା ସମ୍ଭାବନାକୁ ଏଡାଇ ନାହାଁନ୍ତି । ଏହା ଭିତରେ ବାତ୍ୟାର ଗତିପଥ ନେଇ କିଛି ଖବର ଆସିଛି ।

ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିଲା ଯେ, ଥାଇଲାଣ୍ଡ ପାଖ ଉତ୍ତର ଆଣ୍ଡାମାନ ସାଗର ନିକଟରେ ଏକ ଘଣ୍ଠିବଳୟ ସୃଷ୍ଟି ହୋଇପାରେ। ଏହା ୨୨ ତାରିଖବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ ରୂପ ନେଇପାରେ।

Also Read :- ୨୦ରେ ଲଘୁଚାପ, ୨୪ରେ ଗଭୀର ଅବପାତ : ଆସିପାରେ 'ବାତ୍ୟା ଏବଂ ରେନ୍ ଷ୍ଟର୍ମ୍'

ତେବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ଵବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା,୧୮ ତାରିଖବେଳକୁ ଆଣ୍ଡାମାନ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ୨୦ ତାରିଖବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପର ରୂପ ନେବ। ପ୍ରଥମେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ମିଆଁମାର ଉପକୂଳ ଆଡ଼କୁ ମୁହାଁଇବ। ୨୨ ତାରିଖବେଳକୁ ଏହା ଅବପାତ ରୂପ ନେଇଯିବ।

ଏହାପରେ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶାକୁ ମୁହାଁଇବ। ୨୪ ତାରିଖ ବେଳକୁ ଗଭୀର ଅବପାତ ଅବସ୍ଥାରେ ଓଡ଼ିଶା ଉପକୂଳ ଛୁଇଁପାରେ। ସମ୍ଭବତଃ ପୁରୀରୁ ଜଗତସିଂହପୁର ମଧ୍ୟରେ ସ୍ଥଳଭାଗକୁ ପ୍ରବେଶ କରିପାରେ। ସେପ୍ଟେମ୍ବରରେ ବାତ୍ୟା ସମ୍ଭାବନା କମ୍ ଥାଏ । ତଥାପି ବାତ୍ୟା ସମ୍ଭାବନାକୁ ବି ସମ୍ପୂର୍ଣ୍ଣ ଏଡ଼ାଇ ହେବନି। ଯଦି ବାତ୍ୟା ହୁଏ,ଏହା ଅଧିକ ଘନୀଭୂତ ହେବନି। ଅଳ୍ପ ସମୟ ପାଇଁ ସମୁଦ୍ର ଭିତରେ ବାତ୍ୟା ରୂପ ନେଇପାରେ।

ଅନ୍ତର୍ଜାତୀୟ ସଂସ୍ଥାର ଆକଳନ

ଜିଏଫଏସ୍ ଏବଂ ଇସିଏମଡବଲୁଏଫ୍ ଭଳି ଆନ୍ତର୍ଜାତିକ ମଡେଲ୍ ଅନୁସାରେ ସମ୍ଭାବ୍ୟ ସିଷ୍ଟମ ଅଧିକ ଘନୀଭୂତ ହୋଇ ୨୪ ତାରିଖବେଳକୁ ଓଡ଼ିଶା ଆସିପାରେ। ଜିଏଫଏସ୍ ଅନୁସାରେ ଏହା ଶକ୍ତିଶାଳୀ ବାତ୍ୟା ରୂପ ନେଇ ଓଡ଼ିଶାରେ ମାଡ଼ ହୋଇପାରେ। ଇସିଏମଡବଲୁଏଫ୍ ପ୍ରାକ୍ ଆକଳନ ହେଲା,ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ଓଡ଼ିଶାରେ ପ୍ରବେଶ କରିପାରେ।