ଭୁବନେଶ୍ୱର ୧୮।୧୧ : ଆକ୍ସନରେ ସରକାର । ସମ୍ଭାବ୍ୟ ବାତ୍ୟା ଅକଭାନ୍ର ଗତିପଥ ପରିବର୍ତ୍ତନ ନେଇ ଆଲର୍ଟମୋଡ଼ରେ ସରକାର । ଆଗୁଆ ପଦକ୍ଷେପ ନେଇ ୪ ଜିଲ୍ଲା ପାଇଁ ୪ IAS ଙ୍କୁ ଦାୟିତ୍ବ ଦେଇଛନ୍ତି ସରକାର । ପୂର୍ବରୁ ଜିଲ୍ଲପାଳ ଭାବେ ଭୂମିକା ତୁଲାଇଥିବା ଅଫିସରଙ୍କୁ ଦାୟିତ୍ୱ ଦେଲେ ସରକାର । ଜଗତସିଂହପୁର ପାଇଁ ଯାମିନୀ ଷଡ଼ଙ୍ଗୀ , ପୁରୀ ପାଇଁ ଅରବିନ୍ଦ ଅଗ୍ରୱାଲ, କେନ୍ଦ୍ରାପଡ଼ା ପାଇ ସ୍ମୃତି ରଞ୍ଜନ ପ୍ରଧାନ ଓ ଗଜପତି ପାଇଁ ମାନସୀ ନିମ୍ବଲଙ୍କୁ ଦାୟିତ୍ବ ଦିଆଯାଇଛି ।

ସେହିପରି ଗଞ୍ଜାମ, ଗଜପତି ଓ କନ୍ଧମାଳର ପାହାଡ଼ିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବିପର୍ଯ୍ୟୟ ମୁକାବିଲା ପାଇଁ NDRF, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ଟିମ୍ଗୁଡ଼ିକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଉଛି। ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି। ବାତ୍ୟାର ଗତିପଥ ନେଇ IMDର ନୂଆ ଆକଳନ ପରେ ଉପକୂଳ ଅଞ୍ଚଳରେ ଚିନ୍ତା ବଢ଼ିଛି। ପୂର୍ବରୁ ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ରହିବା ଆକଳନ କରାଯାଉଥିବା ବେଳେ ଏବେ ୯୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିବା ଆଶଙ୍କା ରହିଛି। ନଭେମ୍ବର ୧୯ରୁ ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା, କନ୍ଧମାଳ ଓ ଗଜପତିକୁ ରେଡ୍ ଜୋନରେ ରଖାଯାଇଛି। କୋରାପୁଟ, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଅରେଞ୍ଜ୍ ଜୋନ୍ରେ ରହିବେ। ସେହିପରି ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ୟେଲୋ ଜୋନ୍ରେ ରହିବେ।

Also Read:-ବାତ୍ୟା ଅର୍ଣ୍ଣବରେ କେଉଁ ଜିଲ୍ଲାରେ କେତେ ଚାଷ ନଷ୍ଟ ? ଗୃହରେ ତଥ୍ୟ ରଖିଲେ କୃଷି ମନ୍ତ୍ରୀ

ବାତ୍ୟା ପ୍ରଭାବରେ ସମ୍ଭାବ୍ୟ ବର୍ଷା ଓ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ଦୁଇ ଦିନ ପୂର୍ବରୁ ଡ୍ୟାମ୍ଗୁଡ଼ିକର ଗେଟ୍ ଖୋଲି ଜଳ ନିଷ୍କାସନ କରାଯାଉଛି। ଗଞ୍ଜାମରେ ପୂର୍ବରୁ ହୋଇଥିବା ଅସ୍ଥାୟୀ ମରାମତି ବନ୍ୟା ଆସିଲେ ପୁଣି କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି। ତେଣୁ ପୂର୍ବରୁ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀମାନେ ମଧ୍ୟ ନିଜ ନିଜ ଜିଲ୍ଲାରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି।