ଭୁବନେଶ୍ୱର ୧୮।୧୧ : ଅର୍ଣ୍ଣବ ବାତ୍ୟାରେ ରାଜ୍ୟର ୮ଟି ଜିଲ୍ଲାରେ ୮୧ ହଜାର ୭ ହେକ୍ଟରରୁ ଅଧିକ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ପ୍ରାଥମିକ ଆକଳନରୁ ଏହି କ୍ଷୟକ୍ଷତିର ତଥ୍ୟ ସାମ୍ନାକୁ ଆସିଛି। ସମ୍ପୂର୍ଣ୍ଣ ଯାଞ୍ଚ ପରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

ବିଧାନସଭାରେ ପଚରାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ଅର୍ଣ୍ଣବ ବାତ୍ୟାରେ ରାଜ୍ୟର ୮ଟି ଜିଲ୍ଲାର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ପ୍ରାଥମିକ ଆକଳନ ଅନୁସାରେ, ମୋଟ ୮୧ ହଜାର ୭ ହେକ୍ଟର ଚାଷ ଜମିରେ କ୍ଷୟକ୍ଷତି ହୋଇଛି। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା। ସେହିପରି ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକରେ ୭୭ ହଜାର ୮୫୯ ହେକ୍ଟର ଚାଷ ନଷ୍ଟ ହୋଇଛି। ସେହିପରି କନ୍ଧମାଳର ୭ଟି ବ୍ଲକରେ ୧ ହଜାର ୧୩୫.୬୬ ହେକ୍ଟର, ଗଜପତିର ୭ଟି ବ୍ଲକରେ ୧ ହଜାର ୨୩୨ ହେକ୍ଟର ଓ ରାୟଗଡ଼ାର ୪ଟି ବ୍ଲକରେ ୪୯.୮୮ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି।

Also Read:-ନଭେମ୍ବର ୧୮ରୁ ୨୩ ପର୍ଯ୍ୟନ୍ତ ଛୁଟି ବାତିଲ, ବିନା ଅନୁମତିରେ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ

ଅନ୍ୟପଟେ ମାଲକାନଗିରିର ଗୋଟିଏ ବ୍ଲକରେ ୩.୨ ହେକ୍ଟର, କୋରାପୁଟର ୩ଟି ବ୍ଲକରେ ୨୨୨ ହେକ୍ଟର, କେନ୍ଦୁଝରର ଗୋଟିଏ ବ୍ଲକରେ ୧୦ ହେକ୍ଟର ଏବଂ ସୁନ୍ଦରଗଡ଼ର ୨ଟି ବ୍ଲକରେ ୪୯୫.୮୪ ହେକ୍ଟର ଚାଷ ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି।