ନୂଆଦିଲ୍ଲୀ, ୧୮।୧୧ : ଭୁଲରେ ବାଂଲାଦେଶ ସୀମା ମଧ୍ୟକୁ ପଶିଗଲେ ବିଏସଏଫ ଯବାନ । ଧରିଦେଲେ ବାଂଲାଦେଶୀ ସୈନ୍ୟ । ଆକ୍ରମଣ କଲେ । ମାଡ ମାରିଲେ । ତଳେ ପକାଇଦେଲେ । କିଛି ଏମିତି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଜଣେ ଭାରତୀୟ ଯବାନଙ୍କୁ ବାଂଲାଦେଶରେ ଅତ୍ୟାଚାର କରାଯାଉଥିବା ଦେଖିବାକୁ ମିଳିଛି ।

ରିପୋର୍ଟ ଅନୁସାରେ, ଗତ ୧୭ ତାରିଖରେ ବିଏସଏଫ୍ ଯବାନଜଣଙ୍କ ସିଲହଟ୍ ସୀମା ଦେଇ ବାଂଲାଦେଶରେ ପଶିଯାଇଥିଲେ । ତାଙ୍କୁ ତୁରନ୍ତ ବାଂଲାଦେଶୀ ସୁରକ୍ଷାକର୍ମୀ ଧରି ପକାଇବା ସହ ଆକ୍ରମଣ କରିଥିଲେ । ଯାହା ଭିଡିଓରେ ଦେଖିବାକୁ ମିଳିଛି ।

Also Read :- ନଭେମ୍ବର ୧୮ରୁ ୨୩ ପର୍ଯ୍ୟନ୍ତ ଛୁଟି ବାତିଲ, ବିନା ଅନୁମତିରେ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ

ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ, ଯବାନଙ୍କୁ ବାଂଲା ଅଧିକାରୀ ଘୋଷାରି ନେଉଛନ୍ତି । ସେ ଏକ ମୋଟର ସାଇକଲରେ ବସିବା ପୂର୍ବରୁ ତାଙ୍କୁ ଆକ୍ରମଣ କରାଯାଉଛି । ତାଙ୍କ ବନ୍ଧୁକରେ ମାଡ଼ ମରାଯାଇଛି । ଏବେ ଅଟକ ରଖାଯାଇଥିବା ଯବାନଙ୍କୁ ଭାରତ ଅଣାଯାଇଥିବା ସୂଚନା ମିଳିଛି । ଯବାନଙ୍କୁ ଅଟକ ରଖାଯିବା ପରେ ଦୁଇ ଦେଶ ମଧ୍ୟରେ ଏକ ବୈଠକ ବସିଥିଲା । ଏଥିରେ ଯବାନଙ୍କୁ ଫେରାଇ ଆଣିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ସୂଚନାଯୋଗ୍ୟ, ଭାରତ ଏବଂ ବାଂଲାଦେଶ ମଧ୍ୟରେ ୪୦୯୬ କିମିର ସୀମାରେଖା ରହିଛି । ଅଧିକାଂଶ ସୀମାରେ ତାରବାଡ ନାହିଁ । ତେଣୁ ବାଂଲାଦେଶ ପକ୍ଷରୁ ଅନେକ ବେଆଇନ କାର୍ଯ୍ୟ ଏହି ସୀମା ଦେଇ କରାଯାଏ । ଏପରିକି ଅନୁପ୍ରବେଶ ମଧ୍ୟ ଲଗାତାର ବାବେ ବାଂଲାଦେଶ-ଭାରତ ସୀମା ଦେଇ ବଢିବାରେ ଲାଗିଛି । ଯାହାକୁ ନେଇ ଭାରତ ସରକାର ଅନେକ ଥର ଆପତ୍ତି ପ୍ରକାଶ କରିଛନ୍ତି ।