ଚାନ୍ଦବାଲି ୩୦।୩: ରହିବାକୁ ଭଲ ଘରଟିଏ କରିବେ । ଛୁଆଙ୍କୁ ଭଲ ମଣିଷ କରିବେ । ଆଉ ବାପା-ମା’-ସ୍ତ୍ରୀଙ୍କୁ ଭଲରେ ରଖିବେ । ଏମିତି କିଛି ସ୍ବପ୍ନ ନେଇ ଯାଇଥିଲେ ବିଦେଶ । ହେଲେ ସେସବୁ ହୋଇଗଲା ଧୂଳିସାତ୍ । ସ୍ବପ୍ନ ସତ ହେବା ପୂର୍ବରୁ ଚାଲିଗଲେ ଆରପାରିକୁ । ମୃତ୍ୟୁ ଖବର ତ ପହଞ୍ଚିଲା କିନ୍ତୁ ଫେରିପାରିଲାନି ଶବ । ତାଠୁ ବଡ଼ ଦୁର୍ଭାଗ୍ୟ ଯେ ଶବ ନ ଆସିବା ଆଗରୁ ସରିଗଲା ଶୁଦ୍ଧିକ୍ରିୟା । ଆଉ ଏବେ ମାସେ ପରେ ଗାଁକୁ ଫେରିଛି ମରଶରୀର । କାନ୍ଦ ବୋବାଳିରେ ଫାଟିପଡ଼ୁଛି ପରିବେଶ । ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ବାପା-ମା’ଙ୍କ ଆଖିରୁ ଲୁହ ଶୁଖୁନି । ପତ୍ନୀ ସ୍ବାମୀଙ୍କ ଫଟୋକୁ ଜାବୁଡି ଧରି ମଥାପିଟି କାନ୍ଦୁଛନ୍ତି । ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଉତୁକୁଡା ଗାଁରେ ।

ପ୍ରାୟ ବର୍ଷେ ତଳେ ଉତୁକୁଡା ଗାଁର ବାବାଜୀ ନାୟକଙ୍କ ପୁଅ ବୀରଭଦ୍ର ନାୟକ ଦାଦନ ଖଟିବାକୁ ଯାଇଥିଲେ ଦୁବାଇ । ସେଠାରେ ସେ ପ୍ଲମ୍ବର ଭାବେ କାମ କରୁଥିଲେ । ଗତ ମାସ ୨୭ ତାରିଖରେ କୋଠା ଉପରୁ ଖସି ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଆସିପାରିନଥିଲା ମୃତଦେହ । ମାସେ ହେବ ତାଙ୍କ ମୃତଦେହ ଫେରିବା ବାଟକୁ ଅନାଇ ବସିଥିଲେ ପରିବାର ଓ ସମ୍ପର୍କୀୟ । ମୃତଦେହ ସଠିକ୍ ସମୟରେ ନଫେରିବାରୁ ବୀରଭଦ୍ରଙ୍କ ଏକ କୁଶପୁତ୍ତଳିକା କରି ଶୁଦ୍ଧିକ୍ରିୟା ସାରି ଦେଇଥିଲେ ପରିବାର । କିନ୍ତୁ ଦୁଃଖର ବିଷୟ ଶୁଦ୍ଧିକ୍ରିୟା ସାରିବାର ୨୦ଦିନ ପରେ ସରକାରଙ୍କ ଉଦ୍ୟମରେ ଫେରିଥିଲା ମୃତଦେହ । ଗାଁରେ ମୃତଦେହ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ପରିବେଶ । ବାହୁନି ବାହୁନି ମା’ ଓ ସ୍ତ୍ରୀ ହୋଇପଡୁଥିଲେ ଚେତାଶୂନ୍ୟ ।

Also Read:- ବିଜେଡି ସୁପ୍ରିମୋଙ୍କୁ କଟକ ଚିନ୍ତା, ଦଳର ସଙ୍ଗଠନକୁ ସୁଦୃଢ଼ କରିବାକୁ କଟକ ଚୌଦ୍ୱାରାର ୮ କର୍ପୋରେଟରଙ୍କୁ ନବୀନ ଦେଲେ ମନ୍ତ୍ର

ପରିବାରର ଏକମାତ୍ର ସାହାରା ଥିଲେ ପୁଅ ବୀରଭଦ୍ର । ତାଙ୍କ ଅକସ୍ମାତ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ପରିବାର । କେମିତି ଚଳିବେ ବାପା, ମା’, ପତ୍ନୀ ଏବଂ ପିଲା ଛୁଆ । ଏହି ଅସହାୟ ପରିବାରକୁ ସରକାରୀ ସହାୟତା ସହ କମ୍ପାନୀ ପକ୍ଷରୁ କ୍ଷତିପୂରଣ ଯୋଗାଇକୁ ଦାବି କରିଛନ୍ତି ଗ୍ରାମବାସୀ l

Watch Video: