ଭୁବନେଶ୍ବର ୩୦।୩: କଟକ ରାଜନୀତିରେ ଚାଲିଥିବା ହଟଚମଟ ଦେଖି ଆକ୍ସନ ମୁଡ୍‌ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ କଟକ ଚୌଦ୍ୱାରାର ୮ କର୍ପୋରେଟର । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ବରେ ଆସି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଦଳର ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ନବୀନ ଦେଲେ ମନ୍ତ୍ର ।

ଏ ନେଇ ପ୍ରତିକ୍ରିୟା ରଖି ପ୍ରତାପ ଜେନା କହିଛନ୍ତି, ପ୍ରଭାତ ଓ ସୌଭିକଙ୍କୁ ନେଇ କୌଣସି ଟିପ୍ପଣୀ ଦେବାକୁ ଚାହେଁନି । ଦଳର ସମସ୍ତ କର୍ପୋରେଟର ନବୀନଙ୍କ ସହ ରହିଛନ୍ତି । ବିଜେଡି ପରିଚୟ ଦେଇଥିବାରୁ ବିଜେଡି ସହ ଆଗକୁ ମଧ୍ୟ ରହିବା ପାଇଁ ନିଷ୍ପତ୍ତି ରୋକଠୋକ ଶୁଣାଇଛନ୍ତି କର୍ପୋରେଟର । ଦଳ ଏକ ରହିଛି । ମିଥ୍ୟା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ଦଳର ସଂଗଠନ ମଜବୁତ କରିବା ପାଇଁ ସମସ୍ତେ କାର୍ଯ୍ୟ ଜାରି ରଖିବେ ।

ସେପଟେ କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆ ପ୍ରଭାତ ବିଶ୍ୱାଳଙ୍କୁ ନେଇ ଦେଇଛନ୍ତି ବଡ଼ ବୟାନ । ପ୍ରଭାତଙ୍କ ଡାକରାରେ ଆମେ ତାଙ୍କୁ ଭେଟିଥିଲୁ, ମାତ୍ର ସେ ଯେଉଁଆଡ଼େ ମୁହାଁଇଛନ୍ତି, ଆମେ ତାଙ୍କ ସାଙ୍ଗରେ ନାହୁଁ । ବିଜେଡି ଆମ ପରିଚୟ । ଆମେ ବିଜେଡି ସହ ରହିବୁ । ଚୌଦ୍ୱାର କଟକର ଉନ୍ନତି ପାଇଁ ନବୀନ ଗୁରୁ ମନ୍ତ୍ର ଦେଇଛନ୍ତି ।

Also Read:- ଡେଡ୍‌ଲାଇନ୍ ସରିବାକୁ ଆଉ ଗୋଟିଏ ଦିନ, ରାଉରକେଲା ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ଖବର ଅନୁଯାୟୀ, କିଛି ଦିନ ତଳେ ପ୍ରଭାତ ବିଶ୍ୱାଳରୁ ଦଳରୁ ବହିଷ୍କାର କରିଥିଲେ ସୁପ୍ରିମୋ । ଏହି ଘଟଣା ପରେ ଯେମିତି କଟକ ରାଜନୀତିରେ ନୂଆ ମୋଡ଼ ଆସିଥିବା ଭଳି ଅନୁମାନ ହେଉଛି । କଟକରେ ପ୍ରଭାତ ବିଶ୍ୱାଳଙ୍କ ବାସଭବନରେ ଘନ ଘନ ବୈଠକ ବସୁଛି । ଯେଉଁଥିରେ ବିଜେଡିରେ ଅନେକ ବରିଷ୍ଠ ନେତା ଏବଂ କର୍ପୋରେଟରମାନେ ସାମିଲ ହେଉଛନ୍ତି । ନିକଟରେ ଗୋଟିଏ ସପ୍ତାହଙ୍କ ମଧ୍ୟରେ ଦୁଇ ଦୁଇ ଥର ବୈଠକ ବସିସାରିଥିଲା । ଯେଉଁଥିରେ ସିଏମସି ମେୟର ସୁବାଷ ସିଂହ ମଧ୍ୟ ସାମିଲ ହୋଇଥିଲେ । ହେଲେ ପରବର୍ତ୍ତୀ ମୁହୁର୍ତ୍ତରେ ତାଙ୍କ ଏନେଇ ପ୍ରଶ୍ନ ପଚରାଯିବାରୁ, ସେ କହିଥିଲେ କି ମୁଁ ବିଜେଡିର ଜଣେ ନେତା ହିସାବରେ ଏହି ବୈଠକକୁ ଯାଇଥିଲି । ଏହାକୁ ନେଇ କୌଣସି ରାଜନୀତି କରିବା ଉଚିତ୍ ନୁହେଁ । ସେହିପରି ଏହି ବୈଠକ ପରେ କିଛି କର୍ପୋରେଟର ପ୍ରଭାତଙ୍କ ସପକ୍ଷରେ ବାହାରିଥିଲେ । କହିଥିଲେ କି, ଭାଇଙ୍କ ସହିତ ଆମେ ଅଛୁ ଏବଂ ଆଗକୁ ମଧ୍ୟ ରହିବୁ ।