ଭୁବନେଶ୍ୱର, ୧୭|୦୭: ତେଲ ଚୋରଙ୍କ ପାଇଁ ବର୍ଷା ପାଗରେ ଏକାମ୍ର ପାର୍କ ନିକଟରେ ପ୍ରେମୀଯୁଗଳଙ୍କୁ ବେଶ୍ ହଟହଟା ହେବାକୁ ପଡ଼ିଛି। ଲୁଚିଛପି ଘରୁ ପଳାଇ ଆସି ପାର୍କରେ ନିରୋଳାରେ ପ୍ରେମ କରିବା ମହଙ୍ଗା ପଡ଼ିଛି । ବାଇକ୍ ଠେଲିଠେଲି ସେମାନେ ହାଲିଆ ହୋଇ ପଡ଼ିଛନ୍ତି।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁଇ ପ୍ରେମୀଯୁଗଳ ଆଜି ଅପରାହ୍ନ ୪ଗରେ ଏକାମ୍ର ପାର୍କକୁ ବୁଲିବାକୁ ଆସିଥିଲେ । ଗେଟ୍ ନିକଟରେ ବାଇକ୍ ରଖି ସେମାନେ ଭିତରେ ପଶିଥିଲେ। ଘଣ୍ଟାଏ ପରେ ପ୍ରେମୀଯୁଗଳ ଝିପି ଝିପି ବର୍ଷାରେ ଓଦା ହୋଇ ପାର୍କରୁ ବାହାରିଥିଲେ । ବାଇକ୍ ଷ୍ଟାର୍ଟ କରି ୫୦ ମିଟର ଆସିଛନ୍ତି କି ନାହିଁ ବାଇକ୍ ଷ୍ଟାର୍ଟ ବନ୍ଦ ହୋଇ ଯାଇଥିଲା। ପାଖାପାଖି ଶହେରୁ ଅଧିକ କିକ୍ ମାରି ପ୍ରେମିକ ଜଣକ ଝାଳନାଳ ହୋଇ ପଡ଼ିଥିଲେ।

ସେହିବାଟ ଦେଇ ଯାଉଥିବା ଦୁଇ ଯୁବକ ସହାୟତା କରିବାକୁ ଯାଇ ସେମାନେ ମଧ୍ୟ ବାଇକ୍କୁ ଜଣକ ପରେ ଜଣେ ଷ୍ଟାର୍ଟ ମାରି ଚାଲିଥିଲେ । ହେଲେ ବାଇକ୍ ଷ୍ଟାର୍ଟ ହୋଇ ନଥିଲା । ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଦେଖିବା ବେଳକୁ ବାଇକର ତେଲ ପାଇପ୍ କଟି ଯାଇଛି । କେହି ତେଲ ଚୋର ପାର୍କ ସମ୍ମୁଖରୁ ବାଇକ୍ ତେଲ ପାଇପ୍ କଟି ତେଲ ଚୋରି କରି ନେଇଥିବା ଜଣା ପଡ଼ିଥିଲା। ଏନେଇ ପ୍ରେମୀଯୁଗଳ ପାର୍କ ନିକଟରେ ପହଞ୍ଚି ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ପଚାରିଥିଲେ।

ତେବେ ତାଙ୍କ ଉତ୍ତର ମିଳିଥିଲା ଏତେ ସଂଖ୍ୟକ ଲୋକ ପାର୍କକୁ ଆସୁଛନ୍ତି, ତେଣୁ ଏସବୁ ତଦାରଖ କରିବା ସମ୍ଭବ ନୁହେଁ। ନିରାଶ ହୋଇ ପ୍ରେମୀଯୁଗଳ ବାଇକ୍ ଠେଲି ଠେଲି ଫେରିଥିଲେ । ଏହି ଘଟଣା ଆଜି ଅପରାହ୍ନରେ ଏକାମ୍ର ପାର୍କ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା