ନୂଆଦିଲ୍ଲୀ : ଚୀନ୍ ରେ ପୁଣି ଥରେ କରୋନା ଭାଇରସ ମହାମାରୀ ପ୍ରକୋପ କରିଛି। ହେଲେ ଏଥରର ପରିସ୍ଥିତି ୨୦୨୦ରେ ବୁହାନରୁ ଆରମ୍ଭ ହୋଇଥିବା ମହାମାରୀ ଭଳି ନାହିଁ। ଚୀନ୍ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁସାରେ ସଂକ୍ରମଣ ଦ୍ରୁତ ବ୍ୟାପୁଛି, ହେଲେ ଅଧିକାଂଶଙ୍କ ଠାରେ ହାଲୁକା ଲକ୍ଷଣ ଦେଖାଯାଉଛି। ଗୁରୁତର ମାମଲା ସଂଖ୍ୟା ପ୍ରାୟ କମ୍। ଗତ ଜୁନ ମାସରେ ଚୀନ୍ ରେ ପାଖାପାଖି ୭୯ ହଜାର ଲୋକେ ସଂକ୍ରମିତ ମିଳିଥିଲେ। ଏଥିରୁ ମାତ୍ର ୧୩୦ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିଲା ଓ ଜଣଙ୍କର ମୃତ୍ୟୁ ହୋଇଛି।

ଚୀନ୍ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ (ଚୀନ୍ ସିଡିସି) ଅନୁସାରେ ଏବେ ଦେଶରେ ଓମିକ୍ରନ ଏନବି.୧.୮.୧ ଭାରିଆଣ୍ଟ ସବୁଠୁ ଅଧିକ ବ୍ୟାପୁଛି। ଏହା ଏବେ ମଧ୍ୟମ ସ୍ତରରେ ବ୍ୟାପୁଥିବା ବେଳେ ୧୩ରୁ ୧୯ ଜୁଲାଇ ମଧ୍ୟରେ କରୋନା ପରୀକ୍ଷଣର ପଜେଟିଭିଟି ହାର ୧୬.୩% ହୋଇଯାଇଛି। ଏହା ପୂର୍ବ ସପ୍ତାହରେ ଏହି ହାର ୧୨% ଆଖପାଖରେ ଥିଲା। ଅନ୍ୟପଟେ ଇନଫ୍ଲୁଏଞ୍ଜା ପଜେଟିଭିଟି ହାର ହ୍ରାସ ହୋଇ ୧୨.୬%କୁ କମି ଆସିଛି। ଅର୍ଥାତ ଚଳିତବର୍ଷ କରୋନା ଫ୍ଲୁଠାରୁ ଅଧିକ ବ୍ୟାପୁଥିବା ସଂକ୍ରମଣରେ ପରିଣତ ହୋଇଛି। ଚୀନ୍ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁସାରେ ଅଧିକାଂଶ ରୋଗୀଙ୍କ ଠାରେ ଜ୍ୱର, ଗଳାରେ ଯନ୍ତ୍ରଣା ଓ କାଶ ଛିଙ୍କ ପରି ସାଧାରଣ ଲକ୍ଷଣ ରହିଛି। ଲୋକେ ୫ରୁ ୭ ଦିନରେ ସୁସ୍ଥ ହୋଇଯାଉଛନ୍ତି।

ହେଲେ ଏବେ ଭାରତ ପାଇଁ ଚିନ୍ତିତ ହେବାର ସ୍ଥିତି ନାହିଁ। ଏପର୍ଯ୍ୟନ୍ତ ଏଭଳି କୌଣସି ସଂକେତ ମିଳି ନାହିଁ ଚୀନ୍ ରେ ବ୍ୟାପୁଥିବା ଭାରିଆଣ୍ଟ ପୂର୍ବବଳି ବିପଦଜନକ। ଭାରତରେ ମଧ୍ୟ ଏହି ମାମଲାକୁ ନେଇ କୌଣସି ଅସାଧାରଣ ସ୍ଥିତି ସାମ୍ନାକୁ ଆସି ନାହିଁ। ତଥାପି ସ୍ୱାସ୍ଥ୍ୟ ବିଶେଷଜ୍ଞ ବୟଷ୍କ, ଗର୍ଭବତୀ ମହିଳା, ସାନ ପିଲା ଓ ଦୁର୍ବଳ ପ୍ରତିରକ୍ଷା ସ୍ୱାସ୍ଥ୍ୟର ଲୋକେ ଏବଂ ଗୁରୁତ୍ତର ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଥିବା ଲୋକେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛନ୍ତି। ଚୀନ୍ ରେ କରୋନା ମାମଲା ବଢୁଛି ସତ ହେଲେ ଏବେ ବୁହାନ ଭଳି ମହାମାରୀ ଅଥବା ବଡ଼ ସ୍ୱାସ୍ଥ୍ୟ ସଂକଟ ଆଶଙ୍କା ଦେଖା ଯାଉ ନାହିଁ। ସେହିପରି ଭାରତ ପାଇଁ ଏଭଳି ପରିସ୍ଥିତିରେ ଘାବରେଇଯିବା ବଦଳେ ସତର୍କ ରହିବା ଉଚିତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।