ନୂଆଦିଲ୍ଲୀ: କ୍ରିକେଟ୍ ଦୁନିଆର ଅନେକ ମହାନ ବ୍ୟାଟରଙ୍କୁ ଚକମା ଦେଖାଇଥିବା ସେନ୍ ୱର୍ଣ୍ଣ ଆଜିବି ଝୁରୁଛି କ୍ରିକେଟ୍ ଜଗତ। ମାତ୍ର ୫୨ ବର୍ଷ ବୟସରେ ତାଙ୍କ ଅକାଳ ବିୟୋଗକୁ ଅନେକ ବିଶ୍ବାସ କରିପାରୁନାହାନ୍ତି। ଦ୍ବିତୀୟ ଅଗ୍ରଣୀ ଟେଷ୍ଟ୍ ବୋଲର, ୧୯୯୯ ଦିନିକିଆ ବିଶ୍ବକପ୍ ବିଜେତା ଓ ଆଇପିଏଲ୍ ବିଜେତା ପ୍ରଥମ ଅଧିନାୟକ, ଅନ୍ୟତମ ୱିଜଡେନ୍ କ୍ରିକେଟର୍ ଅଫ୍ ଦ ସେଞ୍ଚୁରି ବିବେଚିତଙ୍କ କ୍ରିକେଟ୍ ପ୍ରଦର୍ଶନ ଅତୁଳନୀୟ ଥିଲା। ପେସ୍ ବୋଲରଙ୍କ ଭୂସ୍ବର୍ଗ ଅଷ୍ଟ୍ରେଲିଆରେ ଜନ୍ମ ଗ୍ରହଣ କରି ବିଶ୍ବ କ୍ରିକେଟର୍ ମହାନ ସ୍ପିନର୍ ପାଲଟିଥିଲେ। ତଥାପି ତାଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଲାଗିରହିଥିବା ବେଳେ ଓ୍ୱର୍ଣ୍ଣଙ୍କ ପୁଅ ଦେଇଛନ୍ତି ଚାଞ୍ଚଲ୍ୟକର ତଥ୍ୟ।

୨୦୨୨ରେ ଥାଇଲାଣ୍ଡରେ ଥିବାବେଳେ ସେନ୍ ୱର୍ଣ୍ଣଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଇଥିଲା। ଏହାର ବର୍ଷକ ପୂର୍ବରୁ ୨୦୨୧ରେ ସେ ଇଂଲଣ୍ଡରେ କୋଭିଡ୍ରେ ଆକ୍ରାନ୍ତ ହୋଇଥିଲେ । ସେନ୍ ୱର୍ଣ୍ଣଙ୍କ ମୃତ୍ୟୁର ଚାରି ବର୍ଷ ପରେ ତାଙ୍କ ପୁଅ ଜାକସନ୍ ୱର୍ଣ୍ଣ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। କୋଭିଡ୍ ଟିକା ଯୋଗୁଁ ତାଙ୍କ ପିତାଙ୍କର ଅସମୟରେ ମୃତ୍ୟୁ ହୋଇଥିବା ସେ ଦାବି କରିଛନ୍ତି।

ଏକ ପଡକାଷ୍ଟରେ ସେ କହିଛନ୍ତି ଯେ ତାଙ୍କ ପିତା ବାଧ୍ୟତାମୂଳକ ଭାବେ ନେଇଥିବା ତିନିରୁ ଚାରିଟି କୋଭିଡ୍ ଟିକା ତାଙ୍କ ହୃଦଘାତ ପଛର କାରଣ ଥାଇପାରେ। ତେବେ ସେ ସ୍ଵୀକାର କରିଛନ୍ତି ଯେ ତାଙ୍କ ପିତାଙ୍କର ପୂର୍ବରୁ କେତେକ ଶାରୀରିକ ସମସ୍ୟା ଥିଲା। କିନ୍ତୁ ଟିକା ନେବା ଫଳରେ ତାଙ୍କର ସମସ୍ୟା ଅତ୍ୟଧିକ ଆସିଥିଲା। ମୁଁ ଯେତେବେଳେ ତାଙ୍କ ମୃତ୍ୟୁର ଖବର ପାଇଲି, ତୁରନ୍ତ ସରକାର ଓ କୋଭିଡ୍ ଟିକାକୁ ଦାୟୀ କରିଥିଲି। ସେ ଟିକା ନେବାକୁ ଚାହୁଁନଥିଲେ, କିନ୍ତୁ କାମ ପାଇଁ ବାଧ୍ୟ ହୋଇ ୩-୪ଟି ଟିକା ନେଇଥିଲେ। ପିତାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବି ମୁଁ ଏକଥା କହିବାରୁ ନିଜକୁ ରୋକି ପାରିନଥିଲି’ ଜାକ୍ସନ୍ କହିଛନ୍ତି।

ଭାରତରେ କରୋନା ମହାମାରୀ ପରେ କୋଭିଡ୍ ଟିକା ନେଇଥିବା ଲୋକଙ୍କ ଆକସ୍ମିକ ମୃତ୍ୟୁ ହେଉଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏମିତିକି ଚାଲିବା, ବୁଲିବା ବେଳେ ଲୋକଙ୍କର ଆକସ୍ମିକ ମୃତ୍ୟୁ ହେଉଥିବା କୁହାଯାଇଥିଲା । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ICMR ଏବଂ ନ୍ୟାଶନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ NCDC ପକ୍ଷରୁ ପ୍ରକାଶିତ ରିପୋର୍ଟରେ ମୃତ୍ୟୁ ସଂପର୍କିତ ଅଭିଯୋଗକୁ ଖାରଜ କରାଯାଇଛଥିଲା। ଉଭୟ ସଂସ୍ଥା ପକ୍ଷରୁ କରାଯାଇଥିବା ରିସର୍ଚ୍ଚ ଏବଂ ଅନୁଧ୍ୟାନରୁ କୋଭିଡ ଟିକା ସହ ହୃଦଘାତ ସଂପର୍କରେ କୌଣସି ସିଧାସଳଖ ସଂପର୍କ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା।