ନୂଆଦିଲ୍ଲୀ ୨୧।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ପାକିସ୍ତାନର ପୂର୍ବତନ ଉଚ୍ଚାୟୁକ୍ତ ଅବଦୁଲ ବାସିତ ଭାରତକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଏକ କାଳ୍ପନିକ ପରିସ୍ଥିତିର ଉଲ୍ଲେଖ କରି କହିଛନ୍ତି ଯେ ଯଦି ପାକିସ୍ତାନ ଉପରେ ଆମେରିକାର ଆକ୍ରମଣ ହୁଏ ତେବେ ପାକିସ୍ତାନକୁ ଭାରତ ଉପରେ ଆକ୍ରମଣ କରିବା ଦରକାର। ବସିତ କହିଛନ୍ତି ଯେ ଭାବନ୍ତୁ ଯଦି ପାକିସ୍ତାନ ଉପରେ ଆକ୍ରମଣ ହୁଏ ତେବେ ଭାରତର ମୁମ୍ବାଇ ଓ ଦିଲ୍ଲୀ ଉପରେ ତାକୁ ବୋମା ପକାଇବାକୁ ପଡିବ। ପାକିସ୍ତାନର ପୂର୍ବତନ କୂଟନୀତିଜ୍ଞଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଆଞ୍ଚଳିକ ଓ ବୈଶ୍ୱିକ ସ୍ତରରେ ସୁରକ୍ଷାକୁ ନେଇ ଚିନ୍ତା ଲାଗି ରହିଛି।

ଇଏ ସେହି ଅବଦୁଲ ବସିତ ଯିଏ ଭାରତର ରାଜଧାନୀରେ ୩ ବର୍ଷ ପର୍ଯ୍ୟନ୍ତ ପାକିସ୍ତାନର ହାଇକମିଶନର ଭାବେ କାର୍ଯ୍ୟ କରିଥିଲେ। ସେ ୧୯୮୨ ମସିହାରେ ପାକିସ୍ତାନ ବିଦେଶ ସେବାରେ ଯୋଗ ଦେଇଥିଲେ ଓ ପରେ ସାରା ବିଶ୍ୱର ବିଭିନ୍ନ ଦେଶର ଦୂତାବାସମାନଙ୍କରେ ବଡ ପଦ ପଦବୀରେ ଥିଲେ। ଭାରତ ଆସିବା ପୂର୍ବରୁ ବସିତ ମେ ୨୦୧୨ରୁ ମାର୍ଚ୍ଚ ୨୦୧୪ ପର୍ଯ୍ୟନ୍ତ ଜର୍ମାନରେ ପାକିସ୍ତାନ ରାଜଦୂତ ଥିଲେ। ୨୦୧୪ ମସିହାରେ ତାଙ୍କୁ ଭାରତ ପଠାଯାଇଥିଲା। ଏଠାରେ ସେ ୩ ବର୍ଷ କାମ କରିଥିଲେ। ଯେଉଁ ବ୍ୟକ୍ତି ଦିଲ୍ଲୀର ଗଳି ଓ ମୁମ୍ବାଇକୁ ଆଖି ପାଖରେ ଦେଖିଛନ୍ତି ସେ ଏହି ସହର ମାନଙ୍କ ଉପରେ ବୋମା ପକାଇବା କଥା କହିବା ତାଙ୍କ ମାନସିକତାକୁ ସ୍ପଷ୍ଟ ଦର୍ଶାଉଛି।

ଉଲ୍ଲେଖଯୋଗ୍ୟ ଯେ ବସିତଙ୍କ ବୟାନ ସେହି ସମୟରେ ଆସିଛି ଯେତେବେଳେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ପାକିସ୍ତାନ ବାୟୁସେନା ଆଫଗାନିସ୍ତାନର ଅନେକ ଅଞ୍ଚଳ ଉପରେ ବୋମା ମାଡ଼ କରିଛି। ତାଲିବାନ ସରକାର ମୁଖପାତ୍ର ଜବିଉଲ୍ଲାହ ମୁଜାହିଦ କହିଛନ୍ତି ଯେ ପାକିସ୍ତାନ ସେନା କାବୁଲରେ ଏକ ନିଶା ମୁକ୍ତି ହସ୍ପିଟାଲ ଉପରେ ବୋମା ପକାଇଛି। ଦାବି ଅନୁସାରେ ପାକିସ୍ତାନର ଏହି ଆକ୍ରମଣରେ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଓ ୨୫୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି।

ଆଫଗାନୀ ଅଧିକାରୀମାନେ କହିଛନ୍ତି ଯେ ପାକିସ୍ତାନର ଏହି ଆକ୍ରମଣରେ ଜନବସତି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଆକ୍ରମଣରେ ମହିଳା ପିଲାଙ୍କ ସମେତ ଅନେକ ନିର୍ଦ୍ଦୋଷ ପ୍ରାଣ ହରାଇଛନ୍ତି। ତାଲିବାନ ସରକାର ଏହାକୁ ମାନବତା ବିରୋଧରେ ଅପରାଧ ଓ ଆଫଗାନ ଆକାଶ ସୀମା ଉଲ୍ଲଂଘନ ବୋଲି କହିଛି। ଗୋଟିଏ ପଟେ ଆଫଗାନିସ୍ତାନକୁ ଲାଗିଥିବା ପାକିସ୍ତାନ ସୀମା କୁହୁଳୁଥିବା ବେଳେ କୂଟନୀତିଜ୍ଞ ଭାରତ ବିରୋଧରେ ବିବାଦୀୟ ବୟାନ ଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।