ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ହାଇକମାଣ୍ଡ ପଞ୍ଜାବ ରାଜନୀତିରେ ଏକ ପ୍ରମୁଖ ସଂଗଠନଗତ ପରିବର୍ତ୍ତନ କରିଛନ୍ତି। ଦଳର ବରିଷ୍ଠ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କୁ ପଞ୍ଜାବ କଂଗ୍ରେସର ନୂଆ AICC ସାଧାରଣ ସମ୍ପାଦକ ତଥା ରାଜ୍ୟ ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଛି। ସେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସ୍ଥାନ ନେବେ।

ନିଷ୍ପତ୍ତି ପଛର ମୁଖ୍ୟ କାରଣ 
ପଞ୍ଜାବରେ କଂଗ୍ରେସ ନିଜର ପୁରୁଣା ଦବଦବା ଫେରିପାଇବାକୁ ଚେଷ୍ଟା କରୁଛି। ସଚିନ୍ ପାଇଲଟଙ୍କ ଦଳୀୟ ସଂଗଠନ ଦକ୍ଷତା, ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଲୋକପ୍ରିୟତା ଏବଂ କୂଟନୈତିକ ଦକ୍ଷତାକୁ ଦୃଷ୍ଟିରେ ରଖି ହାଇକମାଣ୍ଡ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି।

୨୦୨୫ରେ ବଘେଲଙ୍କୁ ପଞ୍ଜାବ ପ୍ରଭାରୀ ଭାବରେ ନିଯୁକ୍ତି ଦିଆଯାଇଥିଲା। ଛତିଶଗଡ଼ରେ ୨୦୧୮ରେ କଂଗ୍ରେସକୁ ବିପୁଳ ବିଜୟ ଦେବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ତେବେ ୨୦୨୩ ଛତିଶଗଡ଼ ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଏବଂ ପଞ୍ଜାବରେ ଦଳୀୟ ସଂଗଠନକୁ ନୂଆ ଶକ୍ତି ଦେବା ପାଇଁ ଦଳର ହାଇକମାଣ୍ଡ ଏହି ନିଷ୍ପତ୍ତି ନେଇଛନ୍ତି। ସେପଟେ ଭୂପେଶ ବଘେଲଙ୍କୁ ଆସାମ ପ୍ରଭାରୀ ନିଯୁକ୍ତ କରିଛି ଏଆଇସିସି ।

ପାଇଲଟଙ୍କ ସାମ୍ନାରେ ଆହ୍ବାନ

୧. ପଞ୍ଜାବ କଂଗ୍ରେସରେ ଦୀର୍ଘ ଦିନରୁ ଚାଲିଆସୁଥିବା ଆଭ୍ୟନ୍ତରୀଣ କନ୍ଦଳ ଓ ନେତାଙ୍କ ମଧ୍ୟରେ ଥିବା ମତଭେଦକୁ ଦୂର କରି ସମସ୍ତଙ୍କୁ ଏକାଠି ନେଇ ଚାଲିବା ପାଇଲଟଙ୍କ ପ୍ରଥମ ଗୁରୁତ୍ୱପୂର୍ଣ୍ଣ କାମ ହେବ।
୨. ବର୍ତ୍ତମାନ ପଞ୍ଜାବରେ ଆମ୍ ଆଦ୍‌ମୀ ପାର୍ଟି (AAP) ସରକାରରେ ଥିବାବେଳେ ବିଜେପି ଓ ଶିରୋମଣି ଅକାଳୀ ଦଳ (SAD) ମଧ୍ୟ ନିଜର ସ୍ଥିତି ମଜଭୁତ୍ କରୁଛନ୍ତି। ଏହି ପରିସ୍ଥିତିରେ କଂଗ୍ରେସକୁ ପୁନର୍ବାର ନଂ-୧ ଦଳ ଭାବରେ ଗଢ଼ିତୋଳିବା ଏକ ବଡ଼ ଚ୍ୟାଲେଞ୍ଜ୍।
୩.  ଗ୍ରାସରୁଟ୍‌ ବା ତୃଣମୂଳ ସ୍ତରରେ ଦଳର କର୍ମୀମାନଙ୍କୁ ସକ୍ରିୟ କରି ନୂଆ ରଣନୀତି ପ୍ରସ୍ତୁତ କରିବା ବି ତାଙ୍କ ପାଇଁ ବଡ଼ ଆହ୍ବାନ ।

​​​​​​​

ପଞ୍ଜାବ ସମେତ  ୬ ରାଜ୍ୟରେ ପ୍ରଭାରୀ ନିଯୁକ୍ତ କରିଛି କଂଗ୍ରେସ । ଦଳର ବରିଷ୍ଠ ନେତା ରଣଦୀପ ସିଂହ ସୂର୍ଯେଓ୍ବାଲାଙ୍କୁ ଗୁଜୁରାଟର ପ୍ରଭାରୀ ଦାୟିତ୍ବ ଦିଆଯାଇଛି । ପୂର୍ବରୁ ତାଙ୍କ ଉପରେ କର୍ଣ୍ଣାଟକର ଦାୟିତ୍ବ ଥିଲା । ଏବେ ସେ ଦୁଇଟି ରାଜ୍ୟରେ ପ୍ରଭାରୀ ଦାୟିତ୍ବ ତୁଲାଇବେ ।