ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ‘Belonging: A Journey of Love’ ନଭେମ୍ବର ୧୦ରେ ଲଞ୍ଚ ହେବାକୁ ଯାଉଛି । ଏହା ପୂର୍ବରୁ ସୋନିଆ ଗାନ୍ଧୀ ‘ଦି ହିନ୍ଦୁ’କୁ ସାକ୍ଷାତକାର ଦେଇ ବିଜେପି ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଗତ ୧୨ ବର୍ଷ ବିଜେପି ଶାସନରେ ଆମର ଦେଶ, ସାମ୍ବିଧାନିକ ସଂସ୍ଥା ଅନେକ କ୍ଷତି ସହିଲେଣି । ଲୋକେ ଏହାକୁ ଦୃଦୟଙ୍ଗମ କରିପାରୁଛନ୍ତି ଏବଂ ସେମାନେ ଅସ୍ଥିର ହୋଇପଡ଼ିଲେଣି । ଲଗାତାର କଂଗ୍ରେସର ପ୍ରଦର୍ଶନ ଖରାପ ହେଉଥିବା ନେଇ ପ୍ରଶ୍ନରେ ସୋନିଆ କହିଛନ୍ତି, ମୁଁ ଜଣେ ନିରାଶାବାଦୀ ମଣିଷ ନୁହେଁ । ଗତ ୧୨ ବର୍ଷ ମଧ୍ୟରେ ଦେଶର ମୂଳ ସଂରଚନାରେ ବହୁତ କ୍ଷତି ହୋଇଛି ।

ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଏସଆଇଆର ଏବଂ 'ଭୋଟ୍ ଚୋରି' ମାଧ୍ୟମରେ ଅନେକ ନିର୍ବାଚନ ଚୋରି କରାଯାଇଛି । ଏହା ଗତ କିଛି ମାସ ମଧ୍ୟରେ ସ୍ପଷ୍ଟ ଭାବେ ପ୍ରମାଣିତ ହୋଇସାରିଛି। ନିର୍ବାଚନ କମିଶନଙ୍କ ପକ୍ଷପାତ କାର୍ଯ୍ୟଶୈଳୀକୁ ନେଇ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ଲଗାତାର ପ୍ରତିବାଦ କରିଆସୁଛନ୍ତି। ନିକଟରେ ଏକ ରିପୋର୍ଟରୁ ପ୍ରକାଶ ପାଇଥିଲା ଯେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ନିଷ୍ପତ୍ତି ବିରୋଧରେ ୧୦ ମାସ ମଧ୍ୟରେ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ୧୪ ଥର ଆପତ୍ତି ଉଠାଇଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ସରକାର ଆସିବା ପରଠାରୁ ବିରୋଧୀ ଦଳଗୁଡ଼ିକୁ ସମାନ ସୁଯୋଗ ମିଳୁନାହିଁ। ଶାସକ ଦଳ ସାମ୍ବିଧାନିକ ସଂସ୍ଥା, ଗଣମାଧ୍ୟମ, ପ୍ରଚୁର ଅର୍ଥବଳ ଏବଂ ଧର୍ମର ବ୍ୟବହାର କରି ପୂର୍ଣ୍ଣ ନିୟନ୍ତ୍ରଣ ଜାହିର କରିଛି। ୨୦୨୯ ଲୋକସଭା ନିର୍ବାଚନରେ ଯଦି ବିଜେପି ପରାସ୍ତ ହୁଏ, ତେବେ ଦେଶର ବ୍ୟବସ୍ଥାକୁ ପୁଣି ଥରେ ସୁଧାରିବା ପାଇଁ ବହୁ ସମୟ ଏବଂ ପରିଶ୍ରମର ଆବଶ୍ୟକତା ରହିବ ବୋଲି ସୋନିଆ କହିଛନ୍ତି । କିନ୍ତୁ ଭାରତର ଜନସାଧାରଣ ପୁଣି ଥରେ ଏକ ସଠିକ୍ ସୁଶାସନକୁ ସ୍ୱାଗତ କରିବେ ବୋଲି ସେ ଦୃଢ଼ ଆଶା ପ୍ରକାଶ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ରାଜନୀତିରେ କିଛି ସମୟରେ ବୁଝାମଣା ଆବଶ୍ୟକ ହୋଇଥାଏ ।  କିନ୍ତୁ କଂଗ୍ରେସ କେବେ ବି ବିଜେପି କିମ୍ବା ଆରଏସଏସ ସହ କୌଣସି ବୁଝାମଣା କରିନାହିଁ କି କେବେ କରିବ ନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୃଷ୍ଠଭୂମିକୁ ନେଇ ସୋନିଆ ଗାନ୍ଧୀ କହିଛନ୍ତି, ମୋଦୀ ଜଣେ ଚା' ବିକାଳି ଥିବା କଥାକୁ ତାଙ୍କ ପିଆର ଟିମ୍ ବଢ଼ାଇ-ଚଢ଼ାଇ ଉପସ୍ଥାପନ କରିଥାଇପାରେ ।  କିନ୍ତୁ ଏହା ସତ ଯେ, ସେ ଏକ ସାଧାରଣ ପୃଷ୍ଠଭୂମିରୁ ଆସି ଆରଏସଏସ ଭିତରେ ନିଜ ପ୍ରଚେଷ୍ଟାରେ କ୍ଷମତା ହାସଲ କରିଛନ୍ତି। ସେ ଏକ ଭିନ୍ନ ଆଦର୍ଶଗତ ଚିନ୍ତାଧାରାରୁ ଆସିଛନ୍ତି । କିନ୍ତୁ ରାଜନୀତିରେ ସଫଳ ହେବାର ଅନେକ ବାଟ ରହିଛି । ସେ କଂଗ୍ରେସରେ ଡକ୍ଟର ମନମୋହନ ସିଂହ ଏବଂ ମଲ୍ଲିକାର୍ଜୁନ ଖଡେଗଙ୍କ ରାଜନୈତିକ ସଫଳତାକୁ ଉଦାହରଣ ଦେଇଛନ୍ତି । ସେହିଭଳି ଆରଏସଏସ ଠାରୁ କଂଗ୍ରେସର କିଛି ଶିଖିବାର ନାହିଁ ବୋଲି କହିଛନ୍ତି ସୋନିଆ ଗାନ୍ଧୀ ।