ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ସିଇସି ଓ ଏସଆଇଆର ବିପକ୍ଷରେ ଶନିବାର ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ବିରୋଧ କରିଛି। ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ‘ଗଣତନ୍ତ୍ରର ଜନନୀକୁ ମୋଦି ସରକାର ଦମନିତ ଗଣତନ୍ତ୍ରରେ ପରିବର୍ତ୍ତିତ କରିଛନ୍ତି’। ଏ ନେଇ ଖଡଗେ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଲେଖିଛନ୍ତି ଆମର ଯୁବ, ଛାତ୍ର, ଓକିଲ, ସାମ୍ବାଦିକ, ସାମାଜିକ କାର୍ଯ୍ୟକର୍ତ୍ତା, କୃଷକ ସଂଘ ନେତା, ୟୁଟ୍ୟୁବର, କଣ୍ଟେଣ୍ଟ କ୍ରିଏଟର ଯିଏବି ଏ ସରକାରଙ୍କୁ ପ୍ରଶ୍ନ କରୁଛି ତାକୁ ଗିରଫ କରାଯାଉଛି।

ଖଡଗେ ବିରୋଧ ପ୍ରଦର୍ଶନକୁ ଜାରି ରଖିବାକୁ କହିଥିବା ବେଳେ ଆମେ ବି ଦେଶର ସ୍ୱାଧୀନତା ଲାଗି ଲହୁ ବୁହାଇଥିବାର ମନେ ପକାଇ ଦେଇଛନ୍ତି। ଏଣୁ ଆମେ ଗଣତନ୍ତ୍ର, ଆମର ସମ୍ବିଧାନ ଓ ପ୍ରତି ଭାରତୀୟଙ୍କ ମୌଳିକ ଅଧିକାର ରକ୍ଷା ଲାଗି ପୁରା ସାମର୍ଥ୍ୟର ସହ ଲଢିବୁ ବୋଲି ଉଲ୍ଲେଖ କରିଛନ୍ତି। କେବଳ ଖଡଗେ ନୁହନ୍ତି ଶଶି ଥରୁର, ଅଶୋକ ଗହଲୋତ ଓ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସକ୍ଖୁଙ୍କ ସମେତ କଂଗ୍ରେସର ଅନ୍ୟ ନେତାମାନେ ମଧ୍ୟ ବିରୋଧ ପ୍ରଦର୍ଶନରେ ଲୋକଙ୍କୁ ଗିରଫ କରାଯାଉଥିବାର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଶଶି ଥରୁର ମଧ୍ୟ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଲେଖିଛନ୍ତି ଦିଲ୍ଲୀରେ ଜାତାୟାତର ସ୍ୱାଧୀନତାକୁ ସମ୍ପୂର୍ଣ୍ଣ ରୋକି ଦିଆଯାଇଛି। ସେ ଲେଖିଛନ୍ତି ଯେ ଜନ୍ତର ମନ୍ତରକୁ ଏଥି ପାଇଁ ତିଆରି କରାଯାଇଥିଲା ଯେ ଲୋକେ ଦିଲ୍ଲୀର କେନ୍ଦ୍ର ସ୍ଥଳରେ ସେମାନଙ୍କ ଅସହମତି ପ୍ରକାଶ କରିପାରିବେ। ହେଲେ ଆଜି ସେହି ସ୍ଥାନକୁ ସଂଯୋଗ କରୁଥିବା ସଡ଼କକୁ ବନ୍ଦ କରିଦିଆଯାଇଛି। ସେ କହିଛନ୍ତି ଯେ ଏଥିରେ ଯେ କେହି ବି ପ୍ରଶ୍ନ କରିପାରେ ଯେତେବେଳେ ଜାତୀୟ ରାଜଧାନୀରେ ମହିଳାଙ୍କ ସୁରକ୍ଷା ଆବଶ୍ୟକତା ଥାଏ ଏତେ ସଂଖ୍ୟାରେ ପୋଲିସ ଫୋର୍ସ ଓ ତତ୍ପରତା କେଉଁଆଡେ ଉଭେଇ ଯାଏ? ଥରୁର କହିଛନ୍ତି ଯେ ଯେଉଁମାନଙ୍କୁ ଅଟକ କରାଯାଇଛି ସେମାନଙ୍କୁ ମୁକ୍ତ କରିବାକୁ ପଡିବ। ଏଥିରେ ଯଦି ପ୍ରଦର୍ଶନକାରୀ ସୋମବାର ପୁଣି ଫେରନ୍ତି ତେବେ ଅଧିକାରୀ ଜାତୀୟ ରାଜଧାନୀକୁ ପୁଣି ଲକଡାଉନ କରିବେକି?

ସୋମବାର ପ୍ରଦର୍ଶନ କରିବ ଇଣ୍ଡିମେଣ୍ଟ
ଏଥି ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା କେ.ସି. ବେଣୁଗୋପାଳ ଘୋଷଣା କରିଛନ୍ତି ଯେ ସୋମବାର ଇଣ୍ଡି ମେଣ୍ଟ ଦିଲ୍ଲୀରେ ଏକ ବଡ଼ ଧରଣର ପ୍ରଦର୍ଶନ କରିବ। ଏହି ପ୍ରଦର୍ଶନ ଲୋକଙ୍କ ଭୋଟ ଦାନ ଅଧିକାର ରକ୍ଷା ଲାଗି ଚଳାଯାଉଥିବା ଅଭିଯାନ ଅନ୍ତର୍ଗତ। ସେ ତାଙ୍କ ଲୋକସଭା ନିର୍ବାଚନମଣ୍ଡଳି ଆଲାପୁଝାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ କଂଗ୍ରେସ ଓ ଇଣ୍ଡି ମେଣ୍ଟ ସେ ପର୍ଯ୍ୟନ୍ତ ନିଜର ଆନ୍ଦୋଳନ ଜାରି ରଖିବ ଯେଉଁ ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ଓ ପ୍ରଣାଳୀ ନିରପେକ୍ଷ ଓ ସ୍ୱାଧୀନ ନ ହୋଇଛି।