ଭୋପାଳ: ମଧ୍ୟପ୍ରଦେଶରେ ରାଜ୍ୟସଭା ନିର୍ବାଚନରେ ଏକ ନାଟକୀୟ ମୋଡ଼ ସାମନାକୁ ଆସିଛି । ମଙ୍ଗଳବାର କଂଗ୍ରେସର ଏକମାତ୍ର ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ରଦ୍ଦ ହୋଇଛି । ରିପୋର୍ଟ ଅନୁସାରେ ନଟରାଜନ ନିଜ ନାମାଙ୍କନ ଫର୍ମରେ ହାଇଦ୍ରାବାଦର ଏକ ଅଦାଲତରେ ବିଚାରଧୀନ ମାମଲା ସମ୍ପର୍କିତ ତଥ୍ୟ ପ୍ରଦାନ କରି ନ ନଥିଲେ । ଏହାକୁ ବିଜେପି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ରୂପେ ଦେଖାଯାଉଛି । ମୀନାକ୍ଷୀ ନଟରାଜନଙ୍କୁ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ଏବଂ କୋର୍ ଟିମର ସଦସ୍ୟ ଭାବେ ଦେଖାଯାଉଛି । ତାଙ୍କ ନାମାଙ୍କନ ରଦ୍ଦ ହେବା କଂଗ୍ରେସ ପାଇଁ ବଡ଼ ଏକ ଝଟକା । ମୀନାକ୍ଷୀଙ୍କ ନାମାଙ୍କନ ରଦ୍ଦ ହେବା ପରେ ବିଜେପି ନେତା ମହେଶ କେୱଟଙ୍କ ବିଜୟ ମଧ୍ୟ ସୁନିଶ୍ଚିତ ହୋଇଛି ।

ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ରଦ୍ଦ କରିବା ପାଇଁ ବିଜେପି ନେତା ଦାବି କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ମୀନାକ୍ଷୀ ନଟରାଜନ ନିଜ ସତ୍ୟପାଠରେ କୋର୍ଟରେ ବିଚାରଧୀନ ଗୋଟିଏ କେସ୍ ତଥ୍ୟ ଦେଇ ନ ଥିଲେ । ଏହି ତଥ୍ୟ ପ୍ରଦାନ ନ କରିବା ଯୋଗୁଁ କଂଗ୍ରେସ ପାର୍ଥୀଙ୍କ ନାମାଙ୍କନ ରଦ୍ଦ ହୋଇଛି ।

ବିଜେପିର ଅଭିଯୋଗ ପରେ, ରିଟର୍ଣ୍ଣିଂ ଅଫିସର ତାଙ୍କୁ ଏକ ନୋଟିସ ଜାରି କରି ଜୁନ୍ ୯ ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଉତ୍ତର ଦେବାକୁ କହିଥିଲେ । କିନ୍ତୁ, ସେ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ, ରିଟର୍ଣ୍ଣିଂ ଅଫିସର ସୂଚନା ଲୁଚାଇବା ପାଇଁ ଦୋଷୀ ବୋଲି ପାଇଥିଲେ । ଏହାପରେ ବୈଷୟିକ ଆଧାରରେ ତାଙ୍କର ନାମାଙ୍କନକୁ ରଦ୍ଦ କରିଦେଲେ ।

ମଧ୍ୟପ୍ରଦେଶ ବିରୋଧୀ ଦଳ ନେତା ଉମଙ୍ଗ ସିଂହାର ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି । ଆଇନ ଏବଂ ନିୟମକୁ ଅଣଦେଖା କରି ନାମାଙ୍କନକୁ ବାତିଲ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ସୁପ୍ରିମକୋର୍ଟର ନିୟମ ଅନୁଯାୟୀ ଯେଉଁ ମାମଲା ଦାୟର ହୋଇଛି ସେହି ବିଷୟରେ ଜଣାଇବାକୁ ପଡିବ । କିନ୍ତୁ ଏହି ମାମଲାରେ କେବଳ କାରଣ ଦର୍ଶାଅ ନୋଟିସ୍ ମିଳିଥିଲା, ନିୟମକୁ ଅଣଦେଖା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ମାମଲାରେ କଂଗ୍ରେସ କୋର୍ଟକୁ ଯିବ ବୋଲି ସେ କହିଛନ୍ତି ।

ଏହି ପ୍ରସଙ୍ଗରେ କଂଗ୍ରେସର ମଧ୍ୟପ୍ରଦେଶ ପ୍ରଭାରୀ ହରିଶ ଚୌଧୁରୀ ଦାବି କରିଛନ୍ତି ଯେ ମୀନାକ୍ଷୀ ନଟରାଜନଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇନାହିଁ । ବିଜେପି ତାଙ୍କୁ ହଇରାଣ କରିବା ପାଇଁ ଏପରି ଅଭିଯୋଗ ଆଣୁଛି । ସେ କହିଛନ୍ତି ଯେ ମୀନାକ୍ଷୀ ନଟରାଜନଙ୍କୁ କୋର୍ଟରୁ କାରଣ ଦର୍ଶାଅ ନୋଟିସ ମିଳିଛି ଏବଂ ଏହା ଶପଥପତ୍ରରେ ଉଲ୍ଲେଖ କରିବା ଆବଶ୍ୟକ ନୁହେଁ ।

ହରିଶ ଚୌଧୁରୀ କହିଛନ୍ତି ଯେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ସ୍ପଷ୍ଟ ଯେ ନୋଟିସ୍ ଗ୍ରହଣ କରିବା ସମୟରେ ନୁହେଁ, ମାମଲା ରୁଜୁ ହେବା କ୍ଷେତ୍ରରେ ନାମାଙ୍କନରେ ସୂଚନା ପ୍ରଦାନ କରାଯିବା ଆବଶ୍ୟକ । କଂଗ୍ରେସ ନେତା କହିଛନ୍ତି, ବୈଷୟିକ ଦୃଷ୍ଟିରୁ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନକୁ ଖାରଜ କରାଯାଇପାରିବ ନାହିଁ ।

ମଧ୍ୟପ୍ରଦେଶର ଖାଲି ପଡ଼ିଥିବା ତିନୋଟି ରାଜ୍ୟସଭା ଆସନ ପାଇଁ ବିଜେପି ଜାତୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ ଏବଂ ରାଜ୍ୟ ୟୁନିଟ୍ ସମ୍ପାଦକ ରଜନୀଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା । ତୃତୀୟ ଆସାନ ପାଇଁ କଂଗ୍ରେସର ମୀନାକ୍ଷୀ ନଟରାଜନ ଓ ବିଜେପିର ମହେଶ କେୱଟଙ୍କ ମଧ୍ୟରେ ଭୋଟିଂ ହୋଇଥାନ୍ତା । କିନ୍ତୁ ଏବେ ମୀନାକ୍ଷୀଙ୍କ ନାମାଙ୍କନ ରଦ୍ଦ ପରେ ତିନିଟି ଯାକ ଆସନରେ ବିଜେପି ପ୍ରାର୍ଥୀ ନିର୍ବାଚିତ ସୁନିଶ୍ଚିତ ହୋଇଛି ।