ମୁମ୍ବାଇ: ପୁଣି ଅଡ଼ୁଆରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ। ଏକ କାର୍ଯ୍ୟକ୍ରମରେ ଲୋକଙ୍କ ଆଡ଼କୁ ଅଶ୍ଳୀଳ ଇଙ୍ଗିତ କରିବାରୁ ଆର୍ଯ୍ୟନଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ ହୋଇଛି। ନଭେମ୍ବର ୨୮ ତାରିଖରେ ବେଙ୍ଗାଲୁର ଏକ ପବ୍‌ରେ ଆର୍ଯ୍ୟନଙ୍କ ଲୋକଙ୍କ ଆଡ଼କୁ ମଝି ଆଙ୍ଗୁଳି ଦେଖାଇଥିଲେ। ଏହି ପବରେ ମହିଳାମାନେ ବି ଉପସ୍ଥିତ ଥିଲେ। ଆର୍ଯ୍ୟନଙ୍କର ଏଭଳି ଆଚରଣ ମହିଳାଙ୍କ ପ୍ରତି ଅପମାନ ବୋଲି ମାମଲାରେ ଉଲ୍ଲେଖ ରହିଛି।

ନଭେମ୍ବର ୨୮ ତାରିଖରେ ଘଟିଥିବା ଏହି ଘଟଣାର ଭିଡିଓ ଭାଇରାଲ୍ ହୋଇଥିଲା। ପବ୍ରେ ସମସ୍ତେ ଉପସ୍ଥିତ ଥିବା ବେଳେ ଆର୍ଯ୍ୟନ ଖାନ ବାଲକୋନିକୁ ଆସି ଲୋକଙ୍କ ଆଡ଼କୁ ଦୁଇ ହାତରେ ମଝି ଆଙ୍ଗୁଳି ଦେଖାଇଥିଲେ। ଏପରି କରିବା ଅକ ଅଶାଳୀନ ଆଚରଣ ବୋଲି ଧରାଯାଏ। ଆର୍ଯ୍ୟନଙ୍କର ଏହି ଭିଡିଓ ଖୁବ୍ ଭାଇରାଲ ହୋଇଥିଲା। ଏହାକୁ ନେଇ ଲୋକେ ଆର୍ଯ୍ୟନଙ୍କୁ ନାନା ସମାଲୋଚନା ମଧ୍ୟ କରିଥିଲେ। ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ନେବାକୁ ଲୋକମାନେ ଦାବି କରିଥିଲେ।

ଖବର ସରବରାହ ସଂସ୍ଥା ଏଏନ୍‌ଆଇ ଅନୁସାରେ, ସାଙ୍କି ରୋଡ୍ ବାସିନ୍ଦା ଆଡଭୋକେଟ ୱାଇଜ ହୁସେନ ଏସ, ଆର୍ଯ୍ୟନଙ୍କ ବିରୁଦ୍ଧରେ ମାମଲା କରିଛନ୍ତି। ହୁସେନ ପୋଲିସ ମହାନିର୍ଦ୍ଦେଶକ, ବେଙ୍ଗାଲୁରୁ ସିଟି ପୋଲିସ କମିଶନର, ଡିସିପି (ସେଣ୍ଟ୍ରାଲ ଡିଭିଜନ), କ୍ୟୁବନ ପାର୍କ ପୋଲିସ ଷ୍ଟେସନର ଇନ୍ସପେକ୍ଟର ଏବଂ କର୍ଣ୍ଣାଟକ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି। ସେ ଜନସାଧାରଣଙ୍କ ଉପସ୍ଥିତିରେ ଅଶ୍ଳୀଳ ଇଙ୍ଗିତ କରିଥିବା ଆର୍ଯ୍ୟନ ଖାନଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରିବାକୁ ଦାବି କରିଛନ୍ତି।

ସେ ତାଙ୍କ ଅଭିଯୋଗରେ ଲେଖିଛନ୍ତି ଯେ ହୁ ଆର୍ଯ୍ୟନ ଖାନ ଏଭଳି ଆଚରଣ କରିଥିବା ସମୟରେ ସେଠାରେ ଅନେକ ମହିଳା ଉପସ୍ଥିତ ଥିଲେ। ଏଭଳି ଆଚରଣ ଦ୍ୱାରା ମହିଳାଙ୍କ ସମ୍ମାନ ନଷ୍ଟ ହୋଇଛି ମର୍ଯ୍ୟାଦାକୁ ହାନୀ ପହଞ୍ଚିଛି ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କର ଏଭଳି ଆଚରଣ ଭାରତୀୟ ନ୍ୟାୟ ସଂହିତା (BNS)ରେ ପ୍ରାସଙ୍ଗିକ ଧାରାର ଉଲ୍ଲଂଘନ ହୋଇଛି।

ହୁସେନ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଏହି କାର୍ଯ୍ୟକଳାପ ଯୋଗୁ ସାଧାରଣରେ ଅପ୍ରସ୍ତୁତ ଅନୁଭବ, ଲଜ୍ଜାବୋଧ ଏବଂ ଭାବପ୍ରବଣଗତ ଯନ୍ତ୍ରଣା ସୃଷ୍ଟି କରିଛି। ଏହି ଘଟଣା ବେଙ୍ଗାଲୁର ଏକ "ସୁରକ୍ଷିତ ଏବଂ ମର୍ଯ୍ୟାଦାପୂର୍ଣ୍ଣ ସାର୍ବଜନୀନ ପରିବେଶକୁ ଖରାପ ବୋଲି ପ୍ରତିଫଳିତ କରୁଛି ବୋଲି ସେ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ମାମଲାରେ ଡେପୁଟି କମିଶନର ଅଫ୍ ପୋଲିସ (ସେଣ୍ଟ୍ରାଲ୍ ଡିଭିଜନ) ହାକେ ଅକ୍ଷୟ ମଛିନ୍ଦ୍ରା ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଇଛନ୍ତି। ପୋଲିସ ଏହି ଘଟଣାର ଖବର ନେଇସାରିଛି ବୋଲି ସେ କହିଛନ୍ତି। ଡିସିପି କହିଛନ୍ତି ଯେ ସୋସିଆଲ ମିଡିଆ ପୋଷ୍ଟ ଆଧାରରେ, କର୍ତ୍ତୃପକ୍ଷ ସ୍ୱତଃପ୍ରବୃତ୍ତ ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଯାଞ୍ଚ ପାଇଁ ପବ୍ ପରିସରରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତାର ଧାରା ୧୭୩ ବି ଅଧୀନରେ ମାମଲାଟି ବର୍ତ୍ତମାନ ତଦନ୍ତ କରାଯାଉଛି।