ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ସୋମବାର ଦିନ 'କକ୍ରୋଚ୍ ଜନତା ପାର୍ଟି' (CJP)ର ବିକ୍ଷୋଭ ପ୍ରଦର୍ଶନ ସମୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଦୋଳନ ଚାଲିଥିବା ବେଳେ ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦୁଇ ଜଣ ଯୁବକ ଚାପୁଡ଼ା ମାରିଛନ୍ତି । ସୂଚନା ଅନୁଯାୟୀ, ଅଭିଜିତ ଯେତେବେଳେ ସମର୍ଥକମାନଙ୍କ କାନ୍ଧରେ ବସି ସଭାସ୍ଥଳ ଶହୀଦ ସ୍ମାରକୀ ଆଡ଼କୁ ଯାଉଥିଲେ, ସେହି ସମୟରେ ଭିଡ଼ ଭିତରେ ଲୁଚି ରହିଥିବା ଦୁଇ ଜଣ ଯୁବକ ତାଙ୍କ ନିକଟକୁ ଆସି ତାଙ୍କୁ ଚାପୁଡ଼ା ମାରିଥିଲେ। ଏହି ଅପ୍ରତ୍ୟାଶିତ ଘଟଣା ଯୋଗୁଁ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଜିତଙ୍କ ସମର୍ଥକମାନେ ତୁରନ୍ତ ସକ୍ରିୟ ହୋଇ ଉଭୟ ଆକ୍ରମଣକାରୀଙ୍କୁ କାବୁ କରିନେଇଥିଲେ ଏବଂ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହି ଘଟଣା ପରେ କିଛି ସମୟ ପାଇଁ ଆନ୍ଦୋଳନ ସ୍ଥଳରେ ଭୟ ଓ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା।

ଅଭିଜିତଙ୍କ ବୟାନ
ଏହି ଅପ୍ରୀତିକର ପରିସ୍ଥିତି ସତ୍ତ୍ୱେ ଅଭିଜିତ ଦୀପକେ ମଞ୍ଚକୁ ଆସି ସମର୍ଥକମାନଙ୍କୁ ସମ୍ବୋଧିତ କରିଥିଲେ। ସେ ସାମ୍ପ୍ରଦାୟିକ ଏବଂ ଜାତିଭିତ୍ତିକ ରାଜନୀତି କରୁଥିବା ଶକ୍ତିଗୁଡ଼ିକୁ ଟାର୍ଗେଟ୍ କରି କହିଥିଲେ, ‘ଦେଶରେ ହିନ୍ଦୁ-ମୁସଲିମ ରାଜନୀତି ଏବେ ଆଉ ଚଳିବ ନାହିଁ।’ ସେ କହିଥିଲେ, ଆମ ଦେଶର ସ୍ୱାଧୀନତା ଲକ୍ଷ ଲକ୍ଷ ଲୋକଙ୍କ ବଳିଦାନ ପରେ ମିଳିଛି। କିନ୍ତୁ ଆଜି କିଛି ଲୋକ ସ୍ୱାର୍ଥ ହାସଲ ପାଇଁ ସାଧାରଣ ଜନତାଙ୍କୁ ଧର୍ମ ଓ ଜାତି ନାଁରେ ବାଣ୍ଟିବାକୁ ଚେଷ୍ଟା କରୁଛନ୍ତି। ସେ ଉପସ୍ଥିତ ସମସ୍ତ ଯୁବପିଢ଼ିଙ୍କୁ ଏଭଳି ବିଭାଜନକାରୀ ପ୍ରସଙ୍ଗରୁ ଦୂରେଇ ରହି ଏକଜୁଟ୍ ହୋଇ ନିଜର ଅଧିକାର ପାଇଁ ଲଢ଼ିବାକୁ ଆହ୍ୱାନ ଦେଇଥିଲେ।

ଅଭିଜିତ ଦୀପକେ ସ୍ପଷ୍ଟ କରିଛନ୍ତି ଯେ, ଏହି ଆକ୍ରମଣ ଯୋଗୁଁ ସେମାନଙ୍କର ଆନ୍ଦୋଳନ ଅଟକିବ ନାହିଁ। ସେ ମଞ୍ଚରୁ ନୂଆ ରଣନୀତି ଘୋଷଣା କରି କହିଛନ୍ତି, ଦଳ ପକ୍ଷରୁ ଲୋକେ ଆସନ୍ତା ଜୁନ୍ ୨୦ ତାରିଖରେ ବହୁ ସଂଖ୍ୟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ସେ ଚେତାବନୀ ଦେଇଛନ୍ତି ଯେ, ଏଥର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଇସ୍ତଫା ନେବା ପୂର୍ବରୁ ସେମାନେ ଦିଲ୍ଲୀରୁ ଫେରିବେ ନାହିଁ । ମଞ୍ଚରୁ ଦିଆଯାଇଥିବା 'ଦିଲ୍ଲୀ ଚଲୋ' ନାରାକୁ ସେଠାରେ ଉପସ୍ଥିତ ହଜାର ହଜାର ପ୍ରଦର୍ଶନକାରୀ ଜୋରଦାର ସମର୍ଥନ କରିଥିଲେ। ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ ସଭା ଶେଷ ହୋଇଥିଲା।

ବିକ୍ଷୋଭ ସ୍ଥଳରେ ଚୋରି ଏବଂ ପୋଲିସର କାର୍ଯ୍ୟାନୁଷ୍ଠାନ
ଏହି ଆନ୍ଦୋଳନ ସମୟରେ ପୂର୍ବରୁ ମଧ୍ୟ କିଛି ଯୁବକଙ୍କ ମଧ୍ୟରେ ବଚସା ଓ ପାଟିତୁଣ୍ଡ ହୋଇଥିଲା । ପୋଲିସ ଜଣେ ଯୁବକକୁ ଅଟକ ରଖିଥିଲା। ଏହା ବ୍ୟତୀତ, ଧାରଣା ସ୍ଥଳରୁ ଅନେକ ଲୋକଙ୍କ ମୋବାଇଲ୍ ଫୋନ୍ ଚୋରି ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା। ଏହାକୁ ଦୃଷ୍ଟିରେ ରଖି ନିଜ ନିଜ ସାମଗ୍ରୀ ପ୍ରତି ସତର୍କ ରହିବାକୁ ମଞ୍ଚରୁ ବାରମ୍ବାର ଘୋଷଣା କରାଯାଇଥିଲା।