ଭୁବନେଶ୍ୱର: ବାଲେଶ୍ବରକୁ କେମିତି ଆସିଲେ ଓରାଙ୍ଗଉଟାନ ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। ସେପଟେ ଏ ପ୍ରସଙ୍ଗରେ ଏସଟିଏଫ ଜୋରଦାର ତଦନ୍ତ ଚଳାଇଛି । ଏହାର ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାରେ ପାଞ୍ଚଟି ଶିଶୁ ଓରାଙ୍ଗଉଟାନ ଉଦ୍ଧାର ହେବା ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ଏହା ସହିତ ଏହି ପ୍ରାଣୀମାନେ କେଉଁ ପରିସ୍ଥିତିରେ ଓଡ଼ିଶାରେ ପହଞ୍ଚିଲେ ? ସେ ସମ୍ପର୍କରେ ସବିଶେଷ ତଦନ୍ତ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କେଉଁ ପରିସ୍ଥିତିରେ ଏହି ପ୍ରାଣୀ ଗୁଡ଼ିକ ବାଲେଶ୍ୱର ଜିଲ୍ଲାକୁ ଆସିଲେ ଏବଂ ଏହା ପଛରେ କ’ଣ ପୃଷ୍ଠଭୂମି ରହିଛି, ତାକୁ ସ୍ପଷ୍ଟ କରିବା ପାଇଁ, ସେ ନିର୍ଦ୍ଦେଶ ଦେଇଛନ୍ତି। ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲଣ ପାଇଁ ଓଡ଼ିଶା କେବେହେଲେ ଏକ ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବ ନାହିଁ, ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ବିଦେଶୀ ବନ୍ୟପ୍ରାଣୀଙ୍କ ଏହି ବେଆଇନ ପରିବହନରେ କୌଣସି ନେଟୱାର୍କ ସମ୍ପୃକ୍ତ ଥିଲେ, ତାହାକୁ ଚିହ୍ନଟ କରି ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Also Read: ଓରାଙ୍ଗଉଟାନ ଚାଲାଣରେ ସରକାରଙ୍କ କଡ଼ା ଆଭିମୁଖ୍ୟ: DNA ଟେଷ୍ଟରୁ ଖୋଲିବ ଅସଲି ରହସ୍ୟ !

ଆହୁରି ମଧ୍ୟ ଏହି ବିରଳ ପ୍ରଜାତିର ପ୍ରାଣୀଗୁଡ଼ିକ କେଉଁ ମାର୍ଗ ଦେଇ ଓଡ଼ିଶାକୁ ଅଣାଯାଇଥିଲା ? ସେମାନେ କିପରି ରାଜ୍ୟରେ ପ୍ରବେଶ କଲେ ? ସେମାନଙ୍କ ପରିବହନରେ କିଏ ସମ୍ପୃକ୍ତ ଥିଲେ ଏବଂ କେଉଁ ଉଦ୍ଦେଶ୍ୟରେ ସେମାନଙ୍କୁ ଅଣାଯାଉଥିଲା ? ଏସବୁ ଦିଗ ସ୍ପଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ, ଭାରତ ସରକାରଙ୍କ ସମ୍ପୃକ୍ତ କର୍ତ୍ତୃପକ୍ଷ, ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (WCCB) ଏବଂ ଅନ୍ୟାନ୍ୟ ବନ୍ୟପ୍ରାଣୀ ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ରଖି ଏହି ମାମଲାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ତଦନ୍ତ ଜାରି ରହିଥିବା ସମୟରେ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଗୁଡ଼ିକୁ ପ୍ରଚଳିତ ବନ୍ୟପ୍ରାଣୀ ସୁରକ୍ଷା ପ୍ରୋଟୋକଲ୍ ଅନୁଯାୟୀ ଉପଯୁକ୍ତ ଚିକିତ୍ସା ସେବା, ସୁରକ୍ଷା ଓ ଆବଶ୍ୟକ ଯତ୍ନ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।