ନୂଆଦିଲ୍ଲୀ: ସାରା ଦିନ ଉତ୍ଥାନ-ପତନ ପରେ ବୁଧବାର ଭାରତୀୟ ସେୟାର ବଜାର ଲଗାତର ତୃତୀୟ ଦିନରେ ଲାଲ୍ ସଂକେତରେ ବନ୍ଦ ହୋଇଛି । ସେନସେକ୍ସ ୨୭୦.୮୪ ଅଙ୍କ ବା ୦.୩୩ ପ୍ରତିଶତ ହ୍ରାସ ସହ ୮୧,୯୦୯.୬୩ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୭୫ ଅଙ୍କ ବା ୦.୩୦ ପ୍ରତିଶତ ଖସି ୨୫,୧୫୭.୫୦ ସ୍ତରରେ ବନ୍ଦ ହୋଇଛି । ତେବେ ଦିନର କାରବାର ବେଳେ ସେନସେକ୍ସ ଗୋଟିଏ ସମୟରେ ୧୦୦୦ ଅଙ୍କ ଯାଏ ଖସି ଯାଇଥିଲା । କାରବାର ସମୟରେ ନିଫ୍ଟି ମଧ୍ୟ ୨୫,୦୦୦ ସ୍ତର ଭାଙ୍ଗିଥିଲା ।

ତେବେ ଅପରାହ୍ନରେ ବଜାର ହଠାତ୍ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲା । ସେନସେକ୍ସ ଦିନର ସର୍ବନିମ୍ନ ସ୍ତରରୁ ୧୨୦୦ ପଏଣ୍ଟ ଉପରକୁ ଉଠି ସବୁଜ ସ୍ଥିତିକୁ ଫେରିଆସିଥିଲା । ନିଫ୍ଟି ମଧ୍ୟ ଏହାର କ୍ଷତି ପୂରଣ କରି ୨୫,୩୦୦ ପାଖାପାଖି ଫେରିଆସିଥିଲା । ପୁଣି ଶେଷ ଘଣ୍ଟାରେ, ବଜାର ଉପରେ ବିକ୍ରି ଚାପ ବଢିଥିଲା । ସେନସେକ୍ସ ଏବଂ ନିଫ୍ଟି ଉଭୟ ଲାଲ ସଂକେତରେ ବନ୍ଦ ହୋଇଥିଲା ।

ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ ବିଦେଶୀ ନିବେଶକଙ୍କ ଦ୍ୱାରା ଜାରି ରହିଥିବା ବିକ୍ରି, ଭାରତୀୟ ଟଙ୍କା ଦୁର୍ବଳ ହେବା ଏବଂ ବିଶ୍ୱ ବାଣିଜ୍ୟ ଉତ୍ତେଜନା ବଜାର ସେଣ୍ଟିମେଣ୍ଟକୁ ଦୁର୍ବଳ ରଖିଛି । ଡିସେମ୍ବର ତ୍ରୈମାସିକର ମିଶ୍ରିତ ଫଳାଫଳକୁ ନେଇ ମଧ୍ୟ ନିବେଶକ ସତର୍କ ଅଛନ୍ତି ।

ବ୍ୟାଙ୍କିଙ୍ଗ, ଆର୍ଥିକ ଏବଂ କଞ୍ଜ୍ୟୁମର ଡ୍ୟୁରେବଲ୍ସ ସେୟାରରେ ସବୁଠାରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି । ମେଟାଲ, ତୈଳ ଏବଂ ଗ୍ୟାସ ଓ ଉର୍ଜା ସେୟାର ବ୍ୟତୀତ ସମସ୍ତ ସେକ୍ଟୋରାଲ୍ ସୂଚକାଙ୍କ ସବୁଜ ସଂତେକରେ ବନ୍ଦ ହୋଇଥିଲା । ବିଏସଇ ମିଡକ୍ୟାପ୍ ଏବଂ ସ୍ମଲକ୍ୟାପ୍ ସୂଚକାଙ୍କ ମଧ୍ୟ ୧ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି ।

ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ମୋଟ ବଜାର ପୁଞ୍ଜି ଆଜି ୪୫୩.୩୭ ଲକ୍ଷ କୋଟିକୁ ହ୍ରାସ ପାଇଛି, ଯାହା ପୂର୍ବ କାରବାକ ଦିନରେ ୪୫୫.୮୨ ଲକ୍ଷ କୋଟି ଥିଲା । ଏହିପରି ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ବଜାର ପୁଞ୍ଜି ଆଜି ପ୍ରାୟ ୧.୪୫ ଲକ୍ଷ କୋଟି ହ୍ରାସ ପାଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ୧.୪୫ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।

ବିଏସଇ ସେନସେକ୍ସର ୩୦ ମଧ୍ୟରୁ ୧୩ଟି ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ଏଥିରେ, ଇଟର୍ନାଲ୍ର ସେୟାର ସର୍ବାଧିକ ୪.୯୮ ପ୍ରତିଶତ ବୃଦ୍ଧି ପାଇଛି । ଏହା ପରେ, ଅଲଟ୍ରାଟେକ୍ ସିମେଣ୍ଟ, ଇଣ୍ଡିଗୋ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ପାୱାର ଗ୍ରୀଡ୍ର ସେୟାର ୦.୬୭ ପ୍ରତିଶତରୁ ୧.୩୦ ପ୍ରତିଶତ ବୃଦ୍ଧି ସହିତ ବନ୍ଦ ହୋଇଛି।