ନୂଆଦିଲ୍ଲୀ: ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ଦ୍ୱାରା  ସିବିଏସଇର ଅନ୍ ସ୍କ୍ରିନ୍ ମାର୍କିଂ (ଓଏସଏମ) କଣ୍ଟ୍ରାକ୍ଟର ଯାଞ୍ଚ ଏବେ ଭାଇରାଲ ହୋଇଯାଇଛି। ସାର୍ଥକ ସିଦ୍ଧାନ୍ତ ଲେଖିଥିବା ବ୍ଲଗରେ ସିବିଏସଇ ଦ୍ୱାରା ଦ୍ୱାଦଶ ଶ୍ରେଣୀ ଉତ୍ତର ପୁସ୍ତିକାର ମୂଲ୍ୟାୟନ ଲାଗି ଦିଆଯାଇଥିବା ଓଏସଏମ କଣ୍ଟ୍ରାକ୍ଟ ସମ୍ପର୍କିତ ଟେଣ୍ଡର ଡକ୍ୟୁମେଣ୍ଟର ଯାଞ୍ଚ କରାଯାଇଛି। ପୋଷ୍ଟରେ ଛାତ୍ର ଅଭିଯୋଗ କରିଛନ୍ତି ଯେ ଟେଣ୍ଡର ସର୍ତ୍ତରେ କରାଯାଇଥିବା ପରିବର୍ତ୍ତନ ଯୋଗୁ କଣ୍ଟ୍ରାକ୍ଟ ହାସଲ କରିଥିବା ହାଇଦ୍ରାବାଦର ସିଓଇଏମପିଟି ଏଡୁଟେକକୁ ଫାଇଦା ହୋଇଥାଇପାରେ।

ଏହି ବ୍ଲଗରେ ଛାତ୍ର ଟେଣ୍ଡର ଡକ୍ୟୁମେଣ୍ଟର ବିଭିନ୍ନ ସଂସ୍କରଣକୁ ତୁଳନା କରିଛନ୍ତି। ତର୍କ ଦେଇଛନ୍ତି ଯେ କଣ୍ଟ୍ରାକ୍ଟର ଚୂଡ଼ାନ୍ତ ଆବଣ୍ଟନ ପୂର୍ବରୁ ଅନେକ ପାତ୍ରତା ଓ ମୂଲ୍ୟାୟନ ମାନକରେ ସଂଶୋଧନ କରାଯାଇଛି। ସିଦ୍ଧାନ୍ତଙ୍କ କହିବା କଥା ହେଉଛି ଛାତ୍ରଙ୍କ ଦ୍ୱାରା ଓଏସଏମ ପ୍ରାଣାଳୀର କାର୍ଯ୍ୟାନ୍ୱୟନକୁ ନେଇ ଚିନ୍ତା ପ୍ରକଟ କରାଯିବା ପରେ ସେ ଡକ୍ୟୁମେଣ୍ଟର ଅଧ୍ୟୟନ କରିଥିଲେ। ଏଥିରେ ସେ ନିଜ ବିଶ୍ଲେଷଣକୁ ସମର୍ଥନ କରିଛନ୍ତି ଓ ଏଥିରେ ଅଧିକ ପାରଦର୍ଶିତା ଦାବି କରିବା ସହ ସିବିଏସଇକୁ ଏହି ସବୁ ପରିବର୍ତ୍ତନ ପଛର କାରଣ ଜଣାଇବାକୁ ନିବେଦନ କରିଛନ୍ତି।

ଲୋକସଭାରେ ବିରୋଧୀ ଦଳ ନେତାଙ୍କ ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ ଛାତ୍ରଙ୍କ ବ୍ଲଗକୁ ସେୟାର କରିଛନ୍ତି। ରାହୁଲ କହିଛନ୍ତି ଯେ ଛାତ୍ରଙ୍କ ନିଷ୍କର୍ସ ଟେଣ୍ଡର ପ୍ରକ୍ରିୟା ଉପରେ ଗୁରୁତର ପ୍ରଶ୍ନଚିହ୍ନ ଲଗାଉଛି। ଏଣୁ ଏହାର ଏକ ସ୍ୱତନ୍ତ୍ର ବିଚାରବିଭାଗୀୟ ଯାଞ୍ଚ ହେବା ଦରକାର। ରାହୁଲ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ ୧୭ ବର୍ଷ ବୟଷ୍କ ଛାତ୍ର ସାର୍ଥକ ସିଦ୍ଧାନ୍ତ ସିବିଏସଇ ଟେଣ୍ଡର ପ୍ରକ୍ରିୟା ଉପରୁ ପର୍ଦ୍ଦା ହଟାଇଛନ୍ତି। ସିବିଏସଇ ନିଜ ଡକ୍ୟୁମେଣ୍ଟ ଉପଯୋଗ କରି ସିଓଇଏମପିଟିକୁ ଲାଭ ଦେବା ପାଇଁ ନିଜ ଚୟନ ପ୍ରକ୍ରିୟାରେ ହେରଫେର କରିଛନ୍ତି। ଏହି ମାମଲାରେ ପ୍ରଧାନମନ୍ତ୍ରୀ ସବୁଥର ଭଳି ନିରବ ଥିବା ବେଳେ ଏବେ ପ୍ରଶ୍ନ ଉଠୁଛି ସେ କାହାକୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି ଓ କାହିଁକି?

ଏହି ବିବାଦ ସିବିଏସଇର ଡିଜିଟାଲ ମୂଲ୍ୟାୟନ ପ୍ରଣାଳୀକୁ ନେଇ ଜାରି ଚର୍ଚ୍ଚା ମଧ୍ୟରେ ସାମ୍ନାକୁ ଆସିଛି, ଯାହା ଦ୍ୱାଦଶ ଶ୍ରେଣୀ ଉତ୍ତର ପୁସ୍ତିକା ମୂଲ୍ୟାୟନ ନିମନ୍ତେ ଆରମ୍ଭ ହୋଇଥିଲା। ବୋର୍ଡ ପ୍ରଥମେ ଏହି ପ୍ରଣାଳୀକୁ ସମର୍ଥନ କରିଥିଲା ଓ ମୂଲ୍ୟାୟନର ସଠିକତା ସହିତ ବୁଝାମଣା କରାଯାଇଥିବା ଅଭିଯୋଗର ଖଣ୍ଡନ କରିଥିଲା।

Also Read..NEET, CBSE ପରେ CUET: ପରୀକ୍ଷାରେ ବିଭ୍ରାଟକୁ ନେଇ ଅଡ଼ୁଆରେ କେନ୍ଦ୍ର ସରକାର, ସ୍ପଷ୍ଟୀକରଣ ରଖିଲା ଏନଟିଏ