ନୂଆଦିଲ୍ଲୀ:  ନ୍ୟୁଜିଲାଣ୍ଡ ଗସ୍ତ ପାଇଁ BCCI ମଙ୍ଗଳବାର  ୧୬ ଜଣିଆ ଟି-୨୦ ଦଳ ଘୋଷଣା କରିଛି । ଆଉ ଏହି ତାଲିକାରେ ଅଭିଜ୍ଞ ସ୍ୱିଙ୍ଗ୍ ବୋଲର ଭୁବନେଶ୍ୱର କୁମାରଙ୍କ ନାମ ସବୁଠାରୁ ବଡ଼ ଆକର୍ଷଣ ପାଲଟିଛି। ପ୍ରାୟ ୪ ବର୍ଷର ଦୀର୍ଘ ବ୍ୟବଧାନ ପରେ ଭୁବନେଶ୍ୱର ପୁଣି ଥରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଶ୍ରେୟସ ଆୟରଙ୍କୁ ଏହି ସିରିଜ୍ ପାଇଁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ତିଳକ ବର୍ମା ଉପ-ଅଧିନାୟକ ରହିଛନ୍ତି । ଆସନ୍ତା ଅକ୍ଟୋବର ୨୨ ତାରିଖରୁ କ୍ରାଇଷ୍ଟଚର୍ଚ୍ଚଠାରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଏହି ଟି-୨୦ ସିରିଜ୍ ଆରମ୍ଭ ହେବ। ଦିନିକିଆ ଓ ଟେଷ୍ଟ ଦଳ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ।

୩୬ ବର୍ଷୀୟ ଭୁବନେଶ୍ୱର କୁମାର ୨୦୨୨ ନଭେମ୍ବର ମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଦୀର୍ଘ ଦିନ ଧରି ଜାତୀୟ ଚୟନକର୍ତ୍ତାମାନେ ଯୁବ ବୋଲରମାନଙ୍କୁ ସୁଯୋଗ ଦେଉଥିଲେ । କିନ୍ତୁ ଭୁବନେଶ୍ୱର ଘରୋଇ କ୍ରିକେଟ୍ ଏବଂ ଆଇପିଏଲ୍ ରେ ନିଜର ଚମତ୍କାର ପ୍ରଦର୍ଶନ ବଳରେ ପୁଣି ଦଳକୁ ଫେରିବାକୁ ସକ୍ଷମ ହୋଇଛନ୍ତି। ନ୍ୟୁଜିଲାଣ୍ଡର ସ୍ୱିଙ୍ଗ୍‌-ଅନୁକୂଳ ପରିବେଶରେ ତାଙ୍କର ସ୍ୱିଙ୍ଗ୍  ଦକ୍ଷତା ଏବଂ ଡେଥ୍ ଓଭର ବୋଲିଂ ଭାରତୀୟ ଟିମ୍‌ ପାଇଁ ଉପଯୋଗୀ ହେବ ।

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟି-୨୦ ଦଳ
ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ୍ (ୱିକେଟ କିପର), ବୈଭବ ସୂର୍ଯ୍ୟବଂଶୀ, ଇଶାନ କିଷନ (ୱିକେଟ କିପର), ତିଳକ ବର୍ମା (ଉପ-ଅଧିନାୟକ), ଅକ୍ଷର ପଟେଲ, ଶିବମ ଦୁବେ, ନୀତୀଶ କୁମାର ରେଡ୍ଡୀ, ନମନ ଧୀର, ପ୍ରିନ୍ସ ଯାଦବ, ମୟଙ୍କ ଯାଦବ, ଆର୍ଶଦୀପ ସିଂହ, ଭୁବନେଶ୍ୱର କୁମାର, ବରୁଣ ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବ ।