ନୂଆଦିଲ୍ଲୀ: ଦେଶର ବିଭିନ୍ନ କେନ୍ଦ୍ରରେ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ଅଣ୍ଡରଗ୍ରାଜୁଏଟ୍ (CUET-UG) ୨୦୨୬ ପରୀକ୍ଷା ବିଳମ୍ବକୁ ନେଇ ଶନିବାର ସାରା ଦେଶରେ ବିବାଦ ହୋଇଛି । ପରୀକ୍ଷାରେ ଆୟୋଜନରେ ତ୍ରୁଟିକୁ ନେଇ କେନ୍ଦ୍ର ସରକାର ପୁଣି ଥରେ ରାଜନୈତିକ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି । ବିରୋଧୀଙ୍କ ଦ୍ୱାରା ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରାଯିବା ପରେ ଏନଟିଏ "ଯାନ୍ତ୍ରିକ ତ୍ରୁଟି"କୁ ଦାୟୀ କରିଛି ।

ଆମ ଆଦମୀ ପାର୍ଟି ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସେ ସିୟୁଇଟି ବିଳମ୍ବକୁ ଜାତୀୟ ସ୍ତରର ପରୀକ୍ଷା ପରିଚାଳନାରେ ଆଉ ଏକ ଅବ୍ୟବସ୍ଥା ବୋଲି କହିଛନ୍ତି । ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି, "ପ୍ରଥମେ ନିଟ୍, ତା'ପରେ ସିବିଏସଇ, ଏବେ ସିୟୁଇଟି" । ଏହା ସହିତ ସେ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ଏବଂ ସିବିଏସଇ ଦ୍ୱାଦଶ ଶ୍ରେଣୀର ମାର୍କିଂ ସିଷ୍ଟମକୁ ନେଇ ଚାଲିଥିବା ବିବାଦ ଆଡ଼କୁ ଆଙ୍ଗୁଠି ନିର୍ଦ୍ଦେଶ କରିଛନ୍ତି ।

କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି । ଏହି ଅବ୍ୟବସ୍ଥା ତାଲିକାରେ ସେ ଷ୍ଟାଫ୍ ସିଲେକ୍ସନ କମିଶନ ପରୀକ୍ଷାକୁ ମଧ୍ୟ ସାମିଲ କରିଛନ୍ତି । ଏକ୍ସରେ ଲେଖିଛନ୍ତି, "ନିଟ୍, ସିବିଏସଇ, ଏସଏସସି ଏବଂ ଆଜି ସିୟୁଇଟି । ଚାରୋଟି ପରୀକ୍ଷା, ଏକ କୋଟି ପିଲା । ଗୋଟିଏ ହେଲେ ପରୀକ୍ଷା ସ୍ୱଚ୍ଛତାର ସହ କରାଯାଇ ନାହିଁ ।"

 

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ "ବିଶ୍ୱଗୁରୁ" ଦାବିକୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାକୁ ବର୍ବାଦ କରିଦେଇଛନ୍ତି । କହିଛନ୍ତି, "ଯେଉଁ ପିଢ଼ିର ଭବିଷ୍ୟତ ଆପଣ ନଷ୍ଟ କରୁଛନ୍ତି, ସେହି ପିଢ଼ି ହିଁ ଆପଣଙ୍କ ହିସାବ କରିବେ।" । ଏହାସହ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଆତିଶୀଙ୍କ ପୋଷ୍ଟକୁ ସେୟାର କରି ଲେଖିଛନ୍ତି, "ଦେଶକୁ ଜଣେ ଶିକ୍ଷିତ ପ୍ରଧାନମନ୍ତ୍ରୀ ଦରକାର ।"

ପରୀକ୍ଷାରେ ଅବ୍ୟବସ୍ଥାକୁ ନେଇ ଏନଟିଏ ଲଗାତାର ବିବାଦରେ ରହିଛି । ଏନଟିଏ ପାଇଁ ଗତ କିଛି ସପ୍ତାହ ମଧ୍ୟରେ ସିୟୁଇଟି ତ୍ରୁଟି ଦ୍ୱିତୀୟ ବଡ଼ ଝଟକା । ଗତ ମେ’ ୩ରେ ଅନୁଷ୍ଠିତ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ଏବଂ ବ୍ୟାପକ ଅନିୟମିତତା ଅଭିଯୋଗ ଯୋଗୁଁ ବାତିଲ କରାଯାଇଛି । ଶିକ୍ଷା ମନ୍ତ୍ରଣାଳୟ ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ସହ ଜୁନ୍ ୨୧ ତାରିଖରେ ୨୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ପାଇଁ ପୁନଃ ପରୀକ୍ଷା କରିବାକୁ ଦିନ ଧାର୍ଯ୍ୟ କରିଛି । ଆତିଶୀ ଏବଂ ସୌରଭ ଭରଦ୍ୱାଜଙ୍କ ଭଳି ବିରୋଧୀ ନେତାମାନେ ପରୀକ୍ଷା କେନ୍ଦ୍ର ବାହାରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳାର ଭିଡିଓ ସେୟାର କରି ସରକାରଙ୍କ ଅପାରଗତାକୁ ନିନ୍ଦା କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅବଶ୍ୟ ସିବିଏସଇ ତ୍ରୁଟି ପାଇଁ ନିଜେ "ସମ୍ପୂର୍ଣ୍ଣ ଦାୟିତ୍ୱ" ନେଇଛନ୍ତି ଏବଂ ସୁରୁଖୁରୁରେ ସବୁ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ।

ଅନ୍ୟପଟେ, ନିକଟରେ ଅନୁଷ୍ଠିତ ଏସଏସସି ଜିଡି କନଷ୍ଟେବଳ ପରୀକ୍ଷାକୁ ନେଇ ମଧ୍ୟ ବିବାଦ ହୋଇଛି । ବ୍ୟାପକ ସର୍ଭର କ୍ରାଶ୍, ସିଟିଂ କ୍ଷମତାର ଭୁଲ ହିସାବ ଏବଂ ଗ୍ରେଟର ନୋଏଡାରେ ଏକ ହାଇଟେକ୍ କପି ଗ୍ୟାଙ୍ଗ ଧରାପଡ଼ିବା ପରେ ଏସଏସସି ମଧ୍ୟ ବିବାଦ ଘେରକୁ ଆସିଥିଲା । ଯାହାଫଳରେ କିଛି ସିଫ୍ଟର ପରୀକ୍ଷା ବାତିଲ କରିବାକୁ ପଡ଼ିଥିଲା ।

ଏନଟିଏର ସ୍ପଷ୍ଟୀକରଣ

ସିୟୁଇଟିକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଦେଖାଦେଇଥିବା ଆଶଙ୍କା ଉପରେ ପ୍ରତିକ୍ରିୟା ରଖି ଏନଟିଏ ଏକ ସ୍ପଷ୍ଟୀକରଣ ଜାରି କରିଛି । ଏଜେନ୍ସି କହିଛି ଯେ ସେମାନଙ୍କର ଟେକ୍ନିକାଲ ପାର୍ଟନର 'ଟାଟା କନସଲଟାନ୍ସି ସର୍ଭିସେସ୍'ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ କିଛି କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହେବାରେ ବିଳମ୍ବ ହୋଇଥିଲା । ପରେ ଏହି ସମସ୍ୟାର ସମାଧାନ କରାଯାଇଥିଲା ଏବଂ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ସମୟ ଦିଆଯାଇଥିଲା । ବିଳମ୍ବ ଯୋଗୁଁ ଦ୍ୱିତୀୟ ସିଫ୍ଟର ସମୟ ଅପରାହ୍ନ ୩ଟା ବଦଳରେ ୪ଟାକୁ ଘୁଞ୍ଚାଇ ଦିଆଯାଇଥିଲା । ଏନଟିଏ ଏହି ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିବା ସହ ହେଲ୍ପଲାଇନ ନମ୍ବର (୯୧-୧୧-୪୦୭୫୯୦୦୦) ଏବଂ ଇମେଲ୍ ([email protected]) ଜାରି କରିଛି ।